
ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ନିକଟରେ ପ୍ରବାହିତ ମୂଳିଆଖାଳ ସନ୍ନକଟସ୍ଥ ଏକ ଇଟାଭାଟି ‘ମା’ର ଭଂଗା ଇଟା ଓ ବିଭିନ୍ନ ଇଟା ତିଆରି ସାମଗ୍ରୀ ଗଦା ହୋଇଥିବାରୁ ୪ଟି ଗାର ଜଳ ନିଷ୍କାସନ ହୋଇ ପାରୁନଥିଲା । କୁଅଁରପୁର, ଗୋପାଳପ୍ରସାଦ, ଓଲମରା ଓ ମାକିଡିଆ ଗ୍ରାମବାସୀଙ୍କ ପକ୍ଷରୁ ଗୌରଚରଣ ଘୋଷ, ଶିବ ଚରଣ ଘୋଷ, ସୁଧିର କୋଇଲା, ସୁଧାଂଶୁ କୋଇଲା, ଗୋପାଳ ଅଧିକାରୀ, ହରିନାରାୟଣ କୋଇଲା, ସୁରେନ୍ଦ୍ର ଦଣ୍ଡପାଟ ଓ ବସନ୍ତ ବେହେରା ପ୍ରମୁଖ ଜଳେଶ୍ୱର ତହସିଲଦାର ଓ ଉପଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଆସିଥିଲେ । ଗତ କିଛିଦିନ ପୂର୍ବରୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଉଉପରୋକ୍ତ ବ୍ୟକ୍ତି ଓ ଗ୍ରାମାବସୀଙ୍କ ବ୍ୟାପକ କ୍ଷତି ଘଟିଥିବାରୁ ଆଜି ଜଳେଶ୍ୱର ତହସିଲଦାର ଶଂକର ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ହେମନ୍ତ ନାୟକ, ରାଇବଣିଆ ଆଇଆଇସି ଗୋପାଳ ସିଂ, ଆର୍ଆଇ ସୃଷ୍ଟିଧର ପାତ୍ର ପ୍ରମୁଖ ଘଟଣାସ୍ଥଳକୁ ଯାଇ ଉଚ୍ଛେଦ କରିଛନ୍ତି । ଫଳରେ ପାଣିନିଷ୍କାସନ ହେବା ସହିତ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲା ।
ରିପୋର୍ଟ : ଭୂପତି ପରିଡା