ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ଦାବିରେ କଳିଙ୍ଗ ସାମ୍ବାଦିକ ସଂଘର ଧାରଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡ଼ିଶାରେ ଆଗଧାଡ଼ିରେ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇ ସରକାର ଓ ଜନସାଧାରଣଙ୍କ ହିତରେ ଖରା, ବର୍ଷା, ଶୀତ, ଟେକା ପଥରକୁ ଖାତିର ନକରି ନିଜର ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ପ୍ରମେୟ ଖବରକାଗଜରେ କାର୍ଯ୍ୟରତ ସାମ୍ବାଦିକ କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଘଟଣାର ୪୮ ଘଂଟା ନ ପୁରୁଣୁ ବଲାଙ୍ଗୀରେ ସମାଜ ଖବରକାଗଜର ପ୍ରସାର ନିର୍ବାହୀଙ୍କୁ ହତ୍ୟା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକମାନେ ବର୍ତମାନ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ତେଣୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯାଉ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ମୃତୁ୍ୟ ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରାଯାଉ । ମୃତୁ୍ୟବରଣ କରିଥିବା ସାମ୍ବାଦିକ ପ୍ରତାପ ଚନ୍ଦ୍ର ମହାପାତ୍ରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ଥଇଥାନ କରାଯାଉ, ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍ଜିଠାରେ ଧାରଣା ଦେବା ସହିତ ଦୃଢ ପ୍ରତିବାଦ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଟୁଇଟର ମାଧ୍ୟମରେ ଏକ ସ୍ମାରକପତ୍ର ପଠାଯାଇଛି । ଏହା ତୁରନ୍ତ କାର୍ଯ୍ୟକାରୀ ନହେଲେ ଆଗାମୀ ଦିନରେ ସଂଘ ଆମରଣ ଅନଶନ କରିବ ବୋଲି ସଂଘର କର୍ମକର୍ତା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ସୁକାନ୍ତ ରାଉତ, ଉପସଭାପତି ନିରଞ୍ଜନ ରେଡ୍ଡୀ, ସ୍ମରଜିତ୍ ଆର୍ଯ୍ୟ, ସମ୍ପାଦକ ବିଦ୍ୟାଧର ବାରିକ, କୋଷାଧ୍ୟକ୍ଷ ଗୌରୀପ୍ରସାଦ ମହାନ୍ତି, ଭୁବେନଶ୍ୱର ସଭାପତି ମନୋରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ସହିତ ସଂଘର ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ । 

ରିପୋର୍ଟ : ଆକାଶ ମିଶ୍ର