ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ଭାରତ ବର୍ଷ ତଥା ସମଗ୍ର ବିଶ୍ୱରେ ମେଦବହୁଳତା ବ୍ୟାପକ ଭାବରେ ବଢ଼ିବାରେ ଲାଗିଛି । ଏହିପାଇଁ ଲୋକେ ଜୀବନଶୈଳୀ ଅବ୍ୟବସ୍ଥା ଜନିତ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଚର୍ବି ତଥା ହୃଦୟ ସମସ୍ୟାରେ ଅଳ୍ପ ବୟସରେ ଆକ୍ରାନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଲଣ୍ଡନ ସ୍ଥିତ ବିଶ୍ୱ ମେଦବହୁଳତା ମହାସଂଘ ଏବଂ ମେକ୍ସିକୋ ମେଦ ବହୁଳତା ସମାଜର ଯୁଗ୍ମ ଅନୁକୁଲ୍ୟରେ ସ୍କୋପ ସମ୍ମିଳନୀ ମେକ୍ସିକୋ ସ୍ଥିତ ମଣ୍ଟେରେ ୨୬ ସେପ୍ଟେମ୍ବର ୨୦୧୯ରେ ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଡାଇବେଟିସ ଏଣ୍ଡ ଏଣ୍ଡୋକେୟାର କ୍ଲିନିକର ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡା.ସୁନୀଲ କୋଟା ସମ୍ମାନସ୍ପଦ ସ୍କୋପ ସ୍କଲାରସିପରେ ପୁରସ୍କୃତ ହେବା ସହ ମେଦବହୁଳତା ଏବଂ ତତ ଜନିତ ଆନୁସଙ୍ଗିକ ପାର୍ଶ୍ୱ ପ୍ରତିକ୍ରିୟା ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ଚର୍ବି, ହୃଦୟ, ବୃକକ ଏବଂ ଥାଇରଏଡ଼ ଆଦି ସମସ୍ୟା ସମ୍ବନ୍ଧୀୟ ନିଜ ଗବେଷଣାକୁ ବିଶ୍ୱ ଦରବାରରେ ଉପସ୍ଥିତ କରିବା ପାଇଁ ଆମନ୍ତ୍ରିତ ହୋଇଥିଲେ । ଡା. ସୁନୀଲ କୋଟାଙ୍କ ର ମେଦବହୁଳତା ସମ୍ବନ୍ଧୀୟ ୧୦ଟି ବୈଜ୍ଞାନିକ ପ୍ରକାଶନଙ୍କ ୨ଟି ଅଧ୍ୟାୟ ଲେଖନ ରହିଛି । ପୃଥିବୀ ସାରା ସମୁଦାୟ ୨୦୦ ବ୍ୟକ୍ତି ଅଂଶ ଗ୍ରହଣ କରିଥିବା କ୍ଷେତ୍ରରେ ପ୍ରାୟ ୫୦ ଜଣ ଡାକ୍ତର ଏହି ସ୍କୋପ ସ୍କଲାରସିପରେ ପୁରସ୍କୃତ ହୋଇଥିଲେ । ଡା. କୋଟା ଏକମାତ୍ର ଭାରତୀୟ ଡାକ୍ତର ରୂପେ ଏହି ସ୍କଲାରସିପ ଗ୍ରହଣ କରିଥିଲେ । ଓଡ଼ିଶା ତଥା ଭାରତ ବର୍ଷର ନାନା ଡାକ୍ତର, ବିଭିନ୍ନ ସଂସ୍ଥା ତଥା ସମାଜର ନାନା ବର୍ଗର ଲୋକେ ଡା. କୋଟାଙ୍କୁ ଏହି ସ୍କଲାରସିପ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା