ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ରେ ଭାଗ ନେବେ ୬୦ ବିଦେଶୀ ପ୍ରତିନଧି

ଭୁବନେଶ୍ୱର (ଆକାଶ ମିଶ୍ର) – ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ଭୁବନେଶ୍ୱରଠାରେ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମେଗା ଇଭେଣ୍ଟ ଆୟୋଜନ ନିମନ୍ତେ ଆନୁଷଙ୍ଗିକ କାର୍ଯ୍ୟାନୁଷ୍ଠାନର ଅଗ୍ରଗତି ସମ୍ପର୍କରେ ଆଜି ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (ଫିକି)ର ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ ।ଏହି ଆଲୋଚନା ସମୟରେ ଚଳିତ ବର୍ଷ ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ ମାଧ୍ୟମରେ ଯେପରି ଅଧିକ ପୁଞ୍ଜିନିବେଶ ହୋଇପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।ଫିକିର ସେକ୍ରେଟେରୀ ଜେନେରାଲ ଦିଲ୍ଲୀପ ଚେନୟ ଓ ଡେପୁଟି ସେକ୍ରେଟେରୀ ଜେନେରାଲ ଅରୁଣ ଚାୱଲା ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଯେ ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ସାଉଥ କୋରିଆ, ୟୁଏଇ ଆଦି ବିଦେଶୀ ରାଷ୍ଟ୍ରରୁ ପ୍ରାୟତଃ ୬୦ ଜଣ ଶିଳ୍ପ ପ୍ରତିନିଧି ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।ସେହିପରି ପ୍ରାୟ ୫୦ଟି ଭାରତୀୟ ବୃହତ କମ୍ପାନୀ ଏହି କନକ୍ଲେଭରେ ଯୋଗଦେବା ସହ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ । ମୋଟ ଉପରେ ଚଳିତ ବର୍ଷ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ରସାୟନ, ଏରୋସ୍ପେସ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଆମନ୍ତ୍ରିତ କରାଯାଇଥିବା ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରାୟ ୨ ହଜାରରୁ ଅଧିକ ପ୍ରତିନିଧି ଏହି କନକ୍ଲେଭରେ ଅଂଶଗ୍ରହଣ କରିବେ ।ଏହି ପ୍ରତିନିଧିମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ସୁବିଧା ସୁଯୋଗ ଦେବାରେ ଯେପରି କୌଣସି ତ୍ରୁଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଦାସ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।ବୈଠକରେ ଉପସ୍ଥିତ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହ କନକ୍ଲେଭ ଆୟୋଜନର ଭିତିଭୂମି ନିର୍ମାଣ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଦାସ ତଥା ଫିକିର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ମେକ ଇନ ଓଡ଼ିଶା କନକ୍ଲେଭ-୨୦୧୮ରୁ ସଫଳତା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।