ମେଡିକାଲରେ ନିୟମିତ ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତି ପାଇଁ ବାଓ ମାଟ୍ରିକ୍ କାର୍ଯ୍ୟକ୍ଷମ ନିର୍ଦ୍ଦେଶ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ଗୁଡିକରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇ ଉଠୁଥିବା ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣ ଆରମ୍ଭ କରାଯାଇଥିଲା । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଡାକ୍ତର ଓ କର୍ମଚାରୀ ମାନଙ୍କୁ ସିଧା ରାସ୍ତାକୁ ଆଣିବା ପାଇଁ ବାଓ ମାଟ୍ରିକ୍ ଉପସ୍ଥାନର ବ୍ୟବସ୍ଥା କରାଗଲା । ଏହା ପୂର୍ବରୁ ସମସ୍ତ ସରକାରୀ ଦପ୍ତରରେ କାର୍ଯ୍ୟକାରୀ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ଲାଗୁ ହୋଇନଥିଲା । ତେବେ ମଇ ୧୦ ସୁଦ୍ଧା ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ରହିଥିବା ୨ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୬ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଓ ମାଟ୍ରିକ୍ ଖଞ୍ଜିବାକୁ କଡା ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ସିଡିଏମଓଙ୍କ ଦପ୍ତରର ପତ୍ରାଙ୍କ ୭୪୩୪ ପ୍ରକାରେ ଏହି ନିର୍ଦ୍ଦେଶାନାମା ବିଜ୍ଞପ୍ତି ପ୍ରକାଶ ପାଇଥିବା ଜାଣିବାକୁ ମିଳିଛି । ଦିଗପହଣ୍ଡି ବ୍ଳକ ଅଞ୍ଚଳର ଦିଗପହଣ୍ଡି ଓ ବମକେଇ ଭଳି ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଅଧିନରେ ରହିଥିବା ସିଦେ୍ଧଶ୍ୱର, ଝରିପଦର, ଭିଷ୍ମଗିରୀ, ତଲାସିଙ୍ଗି, ଗୌଡଗାଁ, ପଦ୍ମନାଭପୁର ଆଦି ୬ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ଡେପୁଟେସନରେ କାର୍ଯ୍ୟ ତୁଲା ଯାଉଥିଲା । ତେବେ ଡେପୁଟେସନ ଆଳରେ ରହିଥିବା ଡାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀ ମାନେ ମନମୁତାବକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଫେରୁଥିବା ଅଭିଯୋଗ ଆସୁଥିଲା । ସେହିପରି ଘଣ୍ଟା ଘଣ୍ଟା ଡାକ୍ତର ଓ କର୍ମଚାରୀଙ୍କୁ ନପାଇ ରୋଗୀଟିଏ ବାଧ୍ୟ ହୋଇ ସୁଦୂର ବ୍ରହ୍ମପୁର ବଡମେଡିକାଲକୁ ଖର୍ଚ୍ଚାନ୍ତ ହୋଇ ଯାଉଥିବାର ଅଭିଯୋଗ ଆସୁଥିଲା । ତେବେ ଏହି ସବୁ ସମସ୍ୟାର ଦୂର ସହିତ ମନଇଛା କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ନେଇ ଗଞ୍ଜାମ ଜିଲାପାଳ ଗତ ୨୦୧୮ ମସିହା ନଭେମ୍ବର ୧୧ରେ ପତ୍ରାଙ୍କ ୧୭୬୪୦ ପ୍ରକାରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ବାଓ ମାଟ୍ରିକ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ସିଡିଏମଓଙ୍କୁ ଏକ ପତ୍ର ଲେଖିଥିଲେ । ବିଭାଗ ପକ୍ଷରୁ ଏହାକୁ ଖାମଖିଆଲି ଭାବେ ନିଆଯାଇଥିବାରୁ ଚଳିତ ବର୍ଷ ମାର୍ଚ୍ଚ ୧୯ରେ ପୁନଶ୍ଚ ପତ୍ରାଙ୍କ ୫୪୭୮ ପ୍ରକାରେ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବାଓ ମାଟ୍ରିକ୍ କାର୍ଯ୍ୟକ୍ଷମ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ଚିଠି ଅନୁସାରେ ଅପ୍ରେଲ ୧୮ରେ ସିଡିଏମଓ ସମସ୍ତ ମେଡିକାଲ ଅଫିସର୍ ମାନଙ୍କୁ ଚିଠି ଦ୍ୱାରା ମଇ ମାସ ୧୦ ସୁଦ୍ଧା ବାଓ ମାଟ୍ରିକ୍ ଖଞ୍ଜି ଉପସ୍ଥାନ ଗ୍ରହଣ କରିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଉପସ୍ଥାନ ଅନୁସାରେ ଡାକ୍ତର, ଫାର୍ମାସିଷ୍ଟ ଓ କର୍ମଚାରୀ ମାନଙ୍କର ବେତନ ପ୍ରଦାନ କରାଯିବ ବୋଲି ଜଣାପଡିଛି । ତେବେ ବ୍ଳକରେ ରହିଥିବା ୨୭ ଗୋଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ବାଓ ମାଟ୍ରିକ୍ ସିଷ୍ଟମ୍ ଲାଗିବନି ବୋଲି ଜଣାପଡିଛି । ଅଧିକାଂଶ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ନିଜସ୍ୱ କୋଠା ନଥିବାରୁ ବାଓ ମାଟ୍ରିକ୍ ଖଞ୍ଜିବାରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା