



ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତ ସରକାରଙ୍କ ପଶୁପାଳନ ଓ ଡାୟେରି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମୌସୁମୀ ବୈଠକ ଅବସରରେ 12 ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମବେତ ଅତିଥିମାନଙ୍କୁ ରାତ୍ରିଭୋଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆମନ୍ତ୍ରଣ କରିଥିଲେ I ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହି ଅତିଥିମାନଙ୍କ ସହ ମତ ବିନିମୟ କରିବା ସହିତ ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ଉପରେ ଅବଗତ କରାଇଥିଲେ I ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ରାଜ୍ୟ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାୟେରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂ ବଘେଲ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିୟାନଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ସଂପୃକ୍ତ ବିଭାଗୀୟ ମନ୍ତ୍ରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ଏହା ବ୍ୟତୀତ ମତ୍ସ୍ୟ, ପଶୁପାଳନ, ଡାୟେରୀ ମନ୍ତ୍ରାଳୟ ସମେତ ବିଭିନ୍ନ ସର୍ବଭାରତୀୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ତଥା ପ୍ରତିନିଧିବୃନ୍ଦ ମଧ୍ୟ ସମବେତ ହୋଇଥିଲେ I ବିଭିନ୍ନ ରାଜ୍ୟର ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶିଳ୍ପୀମାନେ ଓଡ଼ିଶୀ, ସମ୍ବଲପୁରୀ, ସିଂହାରୀ ଓ ଛଉ ନୃତ୍ୟ ପରିବେଷଣ କରିଥିବାବେଳେ ବର୍ଣ୍ଣାଳୀ ହୋତାଙ୍କ ଭଜନ ଏବଂ ଲୋକଗୀତ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା I
ରିପୋର୍ଟ : ରଜତ ମହାପାତ୍ର





