ମ୍ୟୁନିସିପାଲଟିର ଦୁର୍ନିତୀ ନେଇ ସମୀକ୍ଷା କରୁଛି କଂଗ୍ରେସ : ମାଗିବ ହିସାବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ବିଭିନ୍ନ କାର୍ଯ୍ୟାବଳୀର ହିସାବ ମାଗୁଛି କଂଗ୍ରେସ ଶୀର୍ଷକ ଘଟଣାରେ ଆଜି ଏକ ବୈଠକ ଜଳେଶ୍ୱର ଇନ୍ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର ପୌର ପରିଷଦରେ ବିକାଶ ନାମରେ ବ୍ୟାପକ ଦୁର୍ନିତୀ ନେଇ ଏକ ସମୀକ୍ଷା ବୈଠକ ବସିଥିବା ବେଳେ ଏଥିରେ ଟାଉନ୍ ସଭାପତି ରିଆଜ ଖାଁ ପୌରହିତ୍ୱ କରିଥିଲେ । ‘ମୁଁ ମାଗୁଛି ହିସାବ, ଆପଣବି ମାଗନ୍ତୁ ହିସାବ ଶିର୍ଷକ ଏକ କ୍ୟାମ୍ପେନକୁ ସୁଶିଆଲ ମିଡିଆ ମାଧ୍ୟମରେ ମ୍ୟୁନିସିପାଲଟିର ପ୍ରତ୍ୟେକ ପରିବାରକୁ ଯୋଡିବାର ନିଷ୍ପତ୍ତି ନିଆଯାଇଛି । ପୌରାଞ୍ଚଳର ସଫେଇ କାର୍ଯ୍ୟରେ ଅତୀତରେ ୩ଲକ୍ଷ ୬୦ ହଜାର ଟଙ୍କା ମାସିକ ଖର୍ଚ୍ଚ ହେଉଥିବା ବେଳେ ଏବେ ୮ଲକ୍ଷ୭୭ହଜାର ଖର୍ଚ୍ଚ ହେଉଥିବାର ଦର୍ଶାଯାଇଥିଲେ ମଧ୍ୟ ସଫେଇରେ ସନ୍ତୁଷ୍ଟ ନୁହନ୍ତି ଜଳେଶ୍ୱର ସହରବାସୀ । କୋବିଦ-୧୯ ମୁକାବିଲା ଲାଗି କେନ୍ଦ୍ର ସରକାର କର୍ମନିଯୁକ୍ତି ପାଇଁ ମ୍ୟୁନିସିପାଲଟିକୁ ୯୭ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ଏଥିରେ କେତେ ଶ୍ରମ ଦିବସ ବା ପ୍ରକଳ୍ପ ହାତକୁ ନିଆଯାଇଛି, ସେ ସଂପର୍କରେ ସମୀକ୍ଷା କରିଛି କଂଗ୍ରେସ । ନର୍ଦ୍ଦିମା ଗୁଡିକ ସଫା ହେଉନଥିବା ବେଳେ ପରିସ୍କାର ପରିଚ୍ଛନ୍ନତା ନ ଥିବା, ବିଶୁଦ୍ଧ ପାନୀୟ ଜଳ ଓ ବିଜୁଳି ଯୋଗାଣ ହେଉନଥିବା ବେଳେ ସବୁ ରାସ୍ତାକଡରେ ବିଜୁଳି ଆଲୁଅ ଜଳୁନାହିଁ । ବିଧବା ଭତ୍ତା, ବାର୍ଦ୍ଧକ୍ୟଭତ୍ତା, ଭିନ୍ନକ୍ଷମ ଭତ୍ତା, ରେସନ କାଡ, ପ୍ରଧାନମନ୍ତ୍ରୀ ଆବସ ଯୋଜନା, ରାସ୍ତାଘାଟ ନିର୍ମାଣ ଓ ପାଣି ନିଷ୍କାସନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା ହୋଇ ବ୍ୟାପକ ଦୁର୍ନିତୀ ସଂପର୍କରେ ସମୀକ୍ଷା କରାଯାଇଥିଲା । ପ୍ରତି ୱାର୍ଡର ଲୋକଙ୍କଠାରୁ ମତାମତ ସଂଗ୍ରହ କରି ଲୋକଙ୍କୁ ସଚେତନତା କରାଯିବ ବୋଲି ସିଦ୍ଧାନ୍ତ ହେବା ସହିତ ଯଥାଯଥ ହିସାବ ନେଇ କଂଗ୍ରେସ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ହିସାବ ମାଗିବ ବୋଲି ସିଦ୍ଧାନ୍ତ ନେଇଛି । ଏଥିରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇନ୍‌ଜିବୀ ଗିରିଜା ଶଂକର ଦାସ, ଦେବିଦାସ ଗିରି, ପୂର୍ବତନ କାଉନ୍‌ସିଲର ଜଗଦୀଶ ନନ୍ଦି ପ୍ରମୁଖ ଅତିଥିଭାବେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହେମନ୍ତ ଗିରି, ଚିତ୍ତରଂଜନ ସାହୁ, ରାଜୀବ ପରିଡା, ଗୋପାଳ ଚନ୍ଦ, ପ୍ରଦୀପ ଭଂଜ, ହରିଶଂକର ପଣ୍ଡା, ବିରଜା ପାଠୀ, ବିନୋଦ ଦାସ, ବିରଞ୍ଚି ଭୂୟାଁ ଓ ଲକ୍ଷ୍ମୀଧର ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।