ମୟୂରଭଞ୍ଜ ଜିଲ୍ଲାରେ କୃଷି , ଉଦ୍ୟାନ ଓ ଶକ୍ତି ବିଭାଗ କାର୍ଯ୍ୟର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ,କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଆଜି ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଉଦ୍ୟାନ କୃଷି ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଏଯାବତ ହୋଇଥିବା ସମସ୍ତ କୃଷି କାର୍ଯ୍ୟ ଏବଂ ତାହାର ପୁଙ୍ଖାନୁପୁଙ୍ଖ ବିବରଣୀ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ପଚାରି ବୁଝିଥିବା ବେଳେ ଏହି ବିଭାଗ ସହିତ ସଂଶ୍ଲିଷ୍ଟ ସମସ୍ତ ବିଭାଗୀୟ କାର୍ଯ୍ୟର ତଦାରଖ କରିଥିଲେ । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ କୃଷି ଏବଂ କୃଷକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା, ଏହାର କାର୍ଯ୍ୟକାରିତା ଏବଂ ଏହାର ଲାଭାନ୍ୱିତକରଣ ଦ୍ୱାରା ଉପଯୋଗ ହୋଇଥିବା ରାଜସ୍ୱ ବିଷୟରେ ପଚାରି ବୁଝିଥିଲେ । ଅଧିକାରୀମାନଙ୍କୁ ସମସ୍ତ ବିଭାଗୀୟ ଅନୁମୋଦିତ କାର୍ଯ୍ୟକୁ ତୁରନ୍ତ ସମାପ୍ତ କରି ବିଭାଗୀୟ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବା ଏବଂ ଆଗାମୀ ଯୋଜନା ଏବଂ କାର୍ଯ୍ୟପନ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଆଦେଶ ଦେଇଥିଲେ । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ଏବଂ ଏହି ଜିଲ୍ଲା ନିଜ ପାରମ୍ପରିକ କୃଷି ପାଇଁ ପ୍ରସିଦ୍ଧ, ଏହାକୁ ଅଗ୍ରଗତିର ସହ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ସହାୟତା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ । ଗ୍ରାମାଞ୍ଚଳର ବିଦୁ୍ୟତିକରଣ, ଟ୍ରାନ୍‌ସଫର୍ମର ପୋଡ଼ି, ସମୟ ଅସମୟରେ ବିଦୁ୍ୟତ କାଟ୍‌ ଭଳି ସମସ୍ୟା ଏବଂ ବହୁତ ଦିନରୁ ଅଟକି ଥିବା ବିଦୁ୍ୟତି କରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ବାଙ୍ଗିରିପୋଷି ବିଧାୟିକା କୁମାରୀ ସଞ୍ଜଳୀ ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଂସଦା, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ଉଦଳା ବିଧାୟକ  ଭାଷ୍କର ଚନ୍ଦ୍ର ମଢେଇ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଂସଦା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ, ଟି ପି ଏନ୍‌ ଓ ଡି ଏଲ୍‌ ର ସିଇଓ ବିଜୟ ଦାସ୍‌ ବାସାକ୍‌ ଓ ଶକ୍ତି ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ  ବିଧାୟକଗଣଙ୍କ ଦ୍ୱାରା ପଚାର ଯାଇଥିବା ତଥ୍ୟକୁ ଉପସ୍ଥାପନା କରିବା ସହିତ ଜିଲ୍ଲାରେ କୃଷିରେ କିଭଳି ଉନ୍ନତି ହୋଇ ପାରିବ ସେ ବିଷୟରେ ନିଜ ନିଜ ମତ ପୋଷଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ସୁଶ୍ରୀ ସଙ୍ଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ