ସିମୁଳିଆ (ସମୃଦ୍ଧ ଓଡିଶା) ଯାତ୍ରା କଳାକାର ଓ କର୍ମଚାରୀ ସଂଘର ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଓଡ଼ିଶାର ସମସ୍ତ କର୍ମକର୍ତ୍ତାମାନେ ଯୋଗଦେଇ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନା କରି ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ସରକାର ସହୃଦୟତାର ସହିତ ବିଚାରକୁ ନେଇ ଦାବି ଗୁଡିକ ପୂରଣ ନିମନ୍ତେ ସୁବ୍ୟବସ୍ଥା କଲେ ଓଡ଼ିଶାର ୩୦.୦୦୦ହଜାରରୁ ଉର୍ଦ୍ଧ୍ୱ ଯାତ୍ରା କଳାକାର ଓ କର୍ମଚାରୀମାନେ ଉପକୃତ ହେବେ ବୋଲି କହିଛନ୍ତି । ଦାବି ଗୁଡିକହେଲା – ଓଡିଶା ଯାତ୍ରା କଳାକୁ ଲୋକନାଟକର ସରକାରୀ ମାନ୍ୟତା ପ୍ରଦାନ କରିବା, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ହେଉଥିବା ଜିଲ୍ଲା ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କରେ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଯାତ୍ରା ପରିବେଶଣକୁ ସାମିଲ କରିବା, କଳାକାର ଭର୍ତ୍ତା ମାସକୁ ୧୨୦୦ ଟଙ୍କା ପରିବର୍ତ୍ତେ ୩୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା ଓ ଯାତ୍ରା ମାଲିକଙ୍କ ଠାରୁ ପାଇଥିବା ସାର୍ଟିଫିକେଟକୁ ଅଗ୍ରାଧିକାର ଦେଇ ବିଚାର ପ୍ରକ୍ରିୟାରେ ସାମିଲ କରିବା, ଯାତ୍ରାଅନୁଷ୍ଠାନରେ କାର୍ଯ୍ୟରତ କଳାକାର ଓ କର୍ମଚାରୀମାନଙ୍କୁ ବାର୍ଷିକ ୫ଲକ୍ଷ ଟଙ୍କାର ଜୀବନବିମା ପ୍ରଦାନ କରିବା, ଯାତ୍ରା ନାଟ୍ୟାଙ୍କରମାନଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ମନୋନୟନ ସାମିଲ କରିବା, ଯାତ୍ରାନାଟକ ପୁସ୍ତିକାଗୁଡିକ ରାଜା ରାମମୋହନ ରାୟ ଲାଇବ୍ରେରୀରେ ବିକ୍ରୟ ନିମନ୍ତେ ସାମିଲ କରିବା, ଅନ୍ୟ ବେସରକାରୀ ଶ୍ରମିକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ସୁବିଧା/ସହାୟତା ଗୁଡିକୁ ମଧ୍ୟ ଯାତ୍ରା ଅନୁଷ୍ଠାନର ଶ୍ରମିକ କର୍ମଚାରୀମାନଙ୍କୁ ପ୍ରଦାନ କରିବା, ଯାତ୍ରା ଅନୁଷ୍ଠାନର ରୋଗଗ୍ରସ୍ତ କଳାକାର ଓ କର୍ମଚାରୀମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ରାଜ୍ୟସ୍ତରୀୟ ଯାତ୍ରାନାଟକ ଉତ୍ସବ କରାଇ ଯାତ୍ରା କଳାକାରମାନଙ୍କୁ ପୁରସ୍କୃତ କରିବା, ପୁରୀ ସହର, କଟକ ସହର, ବ୍ରହ୍ମପୁର ସହର ଓ ବରଗଡ଼ ଜିଲ୍ଲାରେ ଯାତ୍ରା ପରିବେଷଣ କରିବା ନିମନ୍ତେ ଅନୁମତି ପ୍ରଦାନ କରିବା, ଓଡିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘର କାର୍ଯ୍ୟକାରୀ ନିମନ୍ତେ ଭୁବନେଶ୍ୱରରେ ମାଗଣାରେ ଏକ ଘର ଯୋଗାଇଦେବା, ଯାତ୍ରା ଅନୁଷ୍ଠାନ ଗଢିବା ନିମନ୍ତେ ଆଗ୍ରହୀ ବ୍ୟକ୍ତିମାନଙ୍କୁ ରିହାତି ଦରରେ ଋଣ ଯୋଗାଇଦେବା ଇତ୍ୟାଦି ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ