ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, ଜଗନ୍ନାଥ ମୋର ସାହା ଭରଷା…

ଭାରତ ହେଉଛି ଜଗନ୍ନାଥର ଦେଶ । ଏହି ଦେଶର ନାଗରିକମାନେ ବାର ମାସରେ ତେର ପର୍ବ ପାଳନ କରିଥାଆନ୍ତି । ହେଲେ ଜଗତରନାଥ ଜଗନ୍ନାଥଙ୍କୁ କେହିକେବି ଅବହେଳା କରିନଥାନ୍ତି । ସବୁରି ମୂଳରେ ସେହି ଜଗନ୍ନାଥ । ତାଙ୍କ ବିନା ଗଛର ପତ୍ରବି ହଲେନାହିଁ । ସେ ସ୍ୱୟଂ ସୃଷ୍ଟି କର୍ତ୍ତା, ପରମବ୍ରହ୍ମ, ନିରାକାର, ରକ୍ଷାକର୍ତ୍ତା ଓ ସଂହାର କର୍ତ୍ତା ମଧ୍ୟ । ତାଙ୍କର ଆକାର ନ ଥିବାରୁ ତାଙ୍କୁ ନିରାକାର ଵୋଲି କୁହାଯାଇଥାଏ । ଆପଦ ବିପଦ ସମୟରେ ରକ୍ଷାକରିଥିବାର ପୂର୍ବ ପୁରୁଷରୁ କଥିତ ଅଛି । ଯିଏ ଯେଉଁ ପ୍ରକାରେ ଭକ୍ତି କରି ପାରିଲା ପ୍ରଭୁ ଜଗନ୍ନାଥ ତାଙ୍କୁ ସେହି ପ୍ରକାର ରକ୍ଷା କରିଥାଆନ୍ତି । ସେଥିପାଇଁ ତାଙ୍କୁ ଭକ୍ତର ଭଗବାନ ବୋଲି କୁହାଯାଇଥାଏ କାରଣ ଭକ୍ତର ମନ ଜାଣି ମନୋବାଞ୍ଛା ପୂରଣ କରି ଥାଆନ୍ତି । ଦିନକର କଥା, ଜଣେ ଜମିଦାର ଥିଲେ । ସେ ଯେମିତି ଧନୀ ସେମିତି ଦାନୀ ମଧ୍ୟ ଥିଲେ । ତାଙ୍କର ଅଚଳାଚଳ ସମ୍ପତ୍ତି ଥିଲା । ଦୈନିକ ଅତିଥି ମାନଙ୍କର ଯିବା ଆସିବାରେ ଜମିଦାରଙ୍କର ଅତିଥି ଭବନ ଆନନ୍ଦ ଉଲ୍ଲାସରେ ଉଛୁଳି ଉଠୁଥିଲା । ଜମିଦାରଙ୍କ ସ୍ତ୍ରୀ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ ଓ ସର୍ବଗୁଣାରେ ପରିପୂର୍ଣ୍ଣା ଥିଲେ । ଏତେ ଧନ ସମ୍ପଦର ଅଧିକାରିଣୀ ହୋଇଥିଲେ ମଧ୍ୟ ଦିନେ ହେଲେ ତାଙ୍କର ଗର୍ବ ଅହଂକାର ନ ଥିଲା । ସାଧୁ, ସନ୍ୟାସୀ ଓ ଅତିଥି ମାନଙ୍କ ସେବାରେ ଦିନରାତି ବୁଡି ରହୁଥିଲେ । ସରଳ ସୁନ୍ଦର ବ୍ୟବହାର ଓ ମିଠା କଥାରେ ଅତିଥି ମାନଙ୍କର ଦୁଃଖ ଦୂର ହୋଇ ଯାଉଥିଲା । ଜମିଦାର ଦମ୍ପତିଙ୍କର କୋଳ ମଣ୍ଡନ କରିଥାଏ ପୁତ୍ରଟିଏ । ଅତି ସରଧାରେ ନାମ ଦେଇଥାନ୍ତି ରଘୁନାଥ । ଜନ୍ମ ହେବା ଦିନରୁ ପିଲାଟିର ସ୍ଵଭାବ ଜଣାପଡିଥିଲା । କ୍ରମଶ ବଡ଼ ହେବାକୁ ଲାଗିଲା ରଘୁନାଥ । ନମ୍ର ଓ କୋମଳ ସ୍ଵଭାବର ହୋଇଥିବାରୁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଲା । ପିତାମାତା ଯେତେବେଳେ ମନ୍ଦିରକୁ ଯାଆନ୍ତି ସେତେବେଳେ ତାଙ୍କ ସହିତ ପୁଅ ରଘୁନାଥ ମଧ୍ୟ ମନ୍ଦିରକୁ ଯାଏ । ପିତାମାତାଙ୍କ ସହିତ ଜଗନ୍ନାଥଙ୍କର ସ୍ତୁତି ଓ ଭଜନ କୀର୍ତ୍ତନ ମଧ୍ୟ କରେ । ମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତି ଦେଖି ଭାରି ଖୁସି ହୁଏ । ପୁଅକୁ ଯେତେବେଳେ ୧୭ ବର୍ଷ ବୟସ ପିତାମାତା ବିବାହ ପାଇଁ ପାଖ ଗାଁରୁ ସୁନ୍ଦରୀ ଝିଅଟିଏ ଠିକ୍ କଲେ । ବିବାହ ପାଇଁ ବୟସ ହୋଇ ନ ଥିଲେ ମଧ୍ୟ ବହୁ ଜାକଜକମରେ ବାଳୁତ ବିଭା କଲେ । ହେଲେ ନିୟତିର ଇଛାକୁ କାହାରି ହାତ ନଥିବା କଥା ସମସ୍ତେ ଜାଣନ୍ତି । ଜମିଦାରଙ୍କ ଅଞ୍ଚଳରେ ଦୀର୍ଘଦିନ ହେବ ବର୍ଷା ନହେବାରୁ ଦୁର୍ଭିକ୍ଷ ପଡିଲା । ଯେହେତୁ ଜମିଦାର ଜଣେ ଦୟାଳୁ ଓ ଦାନୀ ବ୍ୟକ୍ତି ଥିଲେ, ଦୁର୍ଭିକ୍ଷ ସମୟରେ ପ୍ରଜାମାନଙ୍କ ଭୋକ ଉପବାସକୁ ଦେଖି ସହି ପାରିଲେ ନାହିଁ । ନିଜ ଅମାରରେ ଯାହା ଥିଲା ସେ ସବୁ ପ୍ରଜାମାନଙ୍କୁ ବାଣ୍ଟି ଦେବାରୁ ଅମାର ଖାଲି ହୋଇଗଲା । ଅତିଥି ମାନେ ଦୁଆରୁ ଫେରି ଯାଉଥିବାରୁ ଚିନ୍ତାରେ ଜମିଦାର ଅସୁସ୍ଥ ହୋଇ ପଡିଲେ । ଏହି ସମୟରେ ପୁଅକୁ ପାଖକୁ ଡାକି କହିଲେ ପୁଅରେ ମୋତେ ତ ଆରପାରିରୁ ଡାକ ଆସିଲାଣି । ମୁଁ ଯେତେ ଋଣ କରିଛି ତୁ ଯେମିତି ହେଲେ ଶୁଝିଦେବୁ । କାହାରିକୁ ଠକିବା ମନୋବୃତ୍ତି ରଖିବୁ ନାହିଁ ଜଗନ୍ନାଥ ତୋର ମଙ୍ଗଳ କରିବେ । ଏତିକି କହି ଜମିଦାର ଚିରନିଦ୍ରାରେ ଶୋଇଗଲେ । ସ୍ତ୍ରୀ କମଳା ସ୍ୱାମୀଙ୍କ ଜୁଇ ନିଆଁରେ ଝାସ ଦେଇ ସତୀ ହେଲେ । ବାପାମାଆଙ୍କୁ ହରାଇ ପୁଅ ରଘୁନାଥ ଅନାଥ ହୋଇ ପଡିଲେ । ବାପାଙ୍କ ସମ୍ପତ୍ତି ବିକ୍ରି କରି ଋଣ ସବୁ ଶୁଝିଦେଲା । ନିଜକୁ ବଞ୍ଚିବାକୁ ଆଉ କିଛି ରହିଲା ନାହିଁ । ନିରାଶ୍ରୟ ହୋଇ ଶେଷରେ ଭିକ୍ଷା ମାଗିବାକୁ ଲାଗିଲେ । ଦିନେ ଭିକ୍ଷା କରି ଫେରୁଥିଲା ବେଳେ ହଠାତ୍ ରଘୁ ଚିନ୍ତା କଲା ଏଠାରେ ଏତେ ଭୋକ ଉପବାସରେ ରହି ଭିକ୍ଷା ମାଗି ଚଳିବା ଅପେକ୍ଷା ବଡଦାଣ୍ଡର ବଡଠାକୁର ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଯିବି । ସେହିଠାରେ ରହି ମହାପ୍ରସାଦ ଖାଇ ଦିନ କାଟିବି । ମଲେ ସେହିଠି ହିଁ ମରିବି । ସେଠାରେ ମହାପ୍ରଭୁଙ୍କୁ ସବୁକଥା ଜଣାଇ ମହାପ୍ରସାଦ ଖାଇ ମହାପ୍ରଭୁଙ୍କୁ ଦର୍ଶନ କରି ରହିଲେ । ଏକଥା ଶ୍ୱଶୁର ଘର ଲୋକ ଜାଣିବାକୁ ପାଇଲେ ଓ ମନେ ମନେ ସନ୍ତାପି ହେଲେ କାହିଁକି ଲକ୍ଷ୍ମୀରୂପା ଝିଅକୁ ବାଳୁତ ବିଭାକଲେ । ସବୁ ସମ୍ପତ୍ତି ହରାଇ ଜ୍ୱାଇଁ ଦାଣ୍ଡରେ ଭିକ୍ଷା ମାଗୁଛି । ଆଉ ସେହି ଭିକାରୀକୁ ଝିଅକୁ ନଦେଇ ଅନ୍ଯତ୍ର ବିଭା ଦେବାକୁ ସ୍ଥିର କଲେ । ଏକଥା ଝିଅ ଜାଣିପାରି ଚିଠି ଖଣ୍ଡେ ଲେଖି ଗାଁରୁ ଜଗନ୍ନାଥ ଧାମକୁ ଯାଉଥିବା ଲୋକଙ୍କ ହାତରେ ସ୍ୱାମୀ ରଘୁନାଥଙ୍କ ପାଖକୁ ପଠାଇଲା । କାରଣ ସେତେବେଳକୁ ସ୍ତ୍ରୀ ଜାଣି ସାରିଥିଲା ରଘୁନାଥ ବଡଦାଣ୍ଡରେ ରହି ଭିକ୍ଷାମାଗି ଚଳଳୁଛନ୍ତି । ଚିଠିପାଇ ରଘୁନାଥ ମୂଳରୁ ଶେଷ ପର୍ଯ୍ୟନ୍ତ ପଢି ସବୁ ବୁଝିପାରିଲେ । ତତକ୍ଷଣାତ ଘରକୁ ଆସିବାକୁ ମନସ୍ଥକରି ମହାପ୍ରଭୁଙ୍କୁ ଜଣାଇଲେ । ପୂର୍ବରୁ ଶ୍ୱଶୁର ଘରଲୋକ ଚିନ୍ତା କରିଥିଲେ ଜ୍ୱାଇଁକୁ ମାରିଦେଇ ଝିଅକୁ ଅନ୍ଯତ୍ର ବିଭା ଦେବା ପାଇଁ । ଜ୍ୱାଇଁ ଶ୍ୱଶୁର ଘରେ ପହଞ୍ଚନ୍ତେ ଶ୍ୱଶୁର ଘରଲୋକେ ବହୁ ଆଦର କଲେ । ତା’ପରେ ଚିନ୍ତାକଲେ ଜ୍ୱାଇଁକୁ ମାରିବା ପାଇଁ । ପିଠାରେ ବିଷଦେଇ ମାରିବାକୁ ସ୍ଥିର କରୁଥିବାର ସ୍ତ୍ରୀ ଅନ୍ନପୂର୍ଣ୍ଣା ଶୁଣିବାକୁ ପାଇଲା । ହେଲେ ସ୍ୱାମୀର ମରଣ ଚିନ୍ତାକୁ ସ୍ତ୍ରୀ ସହିପାରିଲେ ନାହିଁ । କରିବେ କ’ଣ,କିପରି ସ୍ୱାମୀଙ୍କୁ ମରଣ ମୁହଁରୁ ରକ୍ଷା କରିବେ ଏହିକଥା ମନରେ ଭାବି ଭାବି ଜଗନ୍ନାଥଙ୍କୁ ସ୍ମରଣ କଲେ । ଏଣେ ସ୍ୱାମୀ ଯେ ଜଗନ୍ନାଥଙ୍କର ପରମ ଭକ୍ତ ଏକଥା ସ୍ତ୍ରୀ ଅନ୍ନପୂର୍ଣ୍ଣାକୁ ଜଣାନଥାଏ । ରଘୁନାଥକୁ ପିଠାରେ ବିଷ ମିଶାଇ ଖାଇବାକୁ ଦେବାର ବ୍ୟବସ୍ଥା କରାଗଲା । ଖାଇବାକୁ ଦିଆଯିବା ପୂର୍ବରୁ କୌଶଳ କ୍ରମେ କାଗଜରେ ଚିଠି ଲେଖି ପିଠା ମଧ୍ୟରେ ପୁରାଇ ଦେଲେ ସ୍ତ୍ରୀ । ରଘୁନାଥ ପିଠା ଖାଇବାକୁ ଭାଙ୍ଗିଲା ବେଳେ ପିଠା ଭିତରେ ଥିବା କାଗଜଟି ତଳକୁ ଖସି ପଡିବାରୁ ରଘୁନାଥ ତଳୁ ଉଠାଇଆଣି ପଢି ସବୁକଥା ବୁଝିନେଲା । ଯେହେତୁ ପ୍ରଭୁ ଜଗନ୍ନାଥଙ୍କ ଉପରେ ରଘୁନାଥର ପୂର୍ଣ୍ଣ ଭରଷା ଥିଲା କାଳବିଳମ୍ବ ନକରି ପ୍ରଭୁଙ୍କୁ ସ୍ମରଣ କରି ଭକ୍ଷଣ କଲେ । ଦେଖୁ ଦେଖୁ ବିଷ ରଘୁର ଦେହସାରା ଘାରିଗଲା । ସେହିଠାରେ ହିଁ ଟଳିପଡିଲେ । ଶ୍ୱଶୁର ଗଙ୍ଗାଧର ଯୋଜନା ସଫଳ ହେଲା ବୋଲି ଭାବିଲେ । ଏହା ଦେଖି ସ୍ତ୍ରୀ ଅନ୍ନପୂର୍ଣ୍ଣା ବିକଳ ହୋଇ ଜଗନ୍ନାଥଙ୍କୁ ସ୍ମରଣ କଲେ । ଡାକଶୁଣି ଜଗନ୍ନାଥଙ୍କ ରତ୍ନସିଂହାସନ ଥରି ଉଠିଲା । ଅତି ଆପଣାର ଭୃତ୍ଯକୁ ବିପଦ ପଡିଛି ବୋଲି ଭାବି ମହାପ୍ରଭୁ ଗରୁଡ଼ ପିଠିରେ ବସି ଆସି ପହଞ୍ଚିଲେ ରଘୁନାଥର ଶ୍ୱଶୁର ଘର କଳାବତୀପୁରରେ । ଦେଖିଲେ ଅତି ଆପଣାର ରଘୁନାଥ ମରି ପଡିଛି । ବାପା ଯେପରି ପୁଅକୁ କୋଳରେ ଧରେ ସେହିପରି ମହାପ୍ରଭୁ ଜଗନ୍ନାଥ ରଘୁକୁ କୋଳରେ ତୋଳି ଧରିଲେ । ସଙ୍ଗେ ସଙ୍ଗେ ରଘୁନାଥ ଜୀବଦାନ ପାଇଲା ପରେ ପ୍ରଭୁ ଅନ୍ତର୍ଦ୍ଧାନ ହୋଇଗଲେ । ରାତି ପାହିଲା । ଗଙ୍ଗାଧରର ପୁଅମାନେ ରଘୁନାଥର ଶୋଇବା ଘର କବାଟ ଖୋଲି ଦେଖିଲେ ରଘୁନାଥ ବସି ଜଗନ୍ନାଥଙ୍କ ନାମ ଜପୁଛି । ତାହାଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଯେ ରଘୁନାଥ ଜଣେ ସାହାନ୍ୟ ବ୍ୟକ୍ତି ନୁହେଁ । ଯାହାପାଇଁ ଆମେ ଏତେ କାଣ୍ଡ କଲୁ ସେ ନିଶ୍ଚୟ ଭଗବାନଙ୍କର ଭକ୍ତ । ସଙ୍ଗେ ସଙ୍ଗେ ଗଙ୍ଗାଧର ସହିତ ସ୍ତ୍ରୀ ଓ ପୁଅମାନେ ଆସି ରଘୁନାଥର ପାଦତଳେ ପଡି କ୍ଷମା ମାଗିଲେ । ସ୍ତ୍ରୀ ଅନ୍ନପୂର୍ଣ୍ଣା ଓ ତାଙ୍କର ସ୍ୱାମୀ ରଘୁନାଥଙ୍କର ଅଗାଢ ଭକ୍ତି ଯୋଗୁଁ ସାପବିଷ ପାନକରି ମରିପଡିଥିବା ରଘୁନାଥ ଜୀବଦାନ ପାଇଲେ । ଭକ୍ତିରେ ଭଗବାନ ଏକଥା ଚିରନ୍ତନ ସତ୍ୟ, ଏହା ପୂର୍ବରୁ ଥିଲା, ଏବେବି ଅଛି ଯୁଗେ ଯୁଗେ ରହିଥିବ ମଧ୍ୟ ।

ଲେଖକ : ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ବର