ଯୁବ ଉଦ୍ୟୋଗୀଙ୍କ ପ୍ରୟୋଗଶାଳା ସାଜିବ ଉତ୍କଳ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର(ସମୃଦ୍ଧଓଡିଶା)ଛାତ୍ର ଅବସ୍ଥାରୁ ହିଁ ଉଦ୍ୟୋଗୀ ବନିବେ। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ। ଦକ୍ଷ, କର୍ମଠ ଓ କୁଶଳୀ ଉଦ୍ୟୋଗୀ ସୃଷ୍ଟି ପାଇଁ ନୂତନ ଶିକ୍ଷାନୀତି-୨୦୨୪ ଯେଉଁ ସମ୍ଭାବନା ସୃଷ୍ଟି କରିଛି, ସେ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବୋଷ୍ଟନ୍ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ସହିତ ଉତ୍କଳ ବିଶ୍ବବିଦ୍ୟାଳୟ ଏ ନେଇ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛି। ଯାହା ଛାତ୍ରଦ୍ୟୋଗୀ ସୃଷ୍ଟି ହେବା ନିମନ୍ତେ ପ୍ରୋତ୍ସାହିତ କରିବ ବୋଲି ବିଶ୍ବିବଦ୍ୟାଳୟ ଭି.ସି ପ୍ରଫେରସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ନୂତନ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ସାମିଲ୍ କରାଯିବ। ଏହା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇପାରିବେ। ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ପ୍ରତି ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ଅଧିକ ଜ୍ଞାରନ ଆହରଣ ପାଇଁ ଶୈକ୍ଷିକ ଗସ୍ତ (ଷ୍ଟଡି ଟୁର)ରେ ପଠାଯିବାକୁ ବ୍ୟବସ୍ଥା ରହିଛି। ଏହାଦ୍ବାରା ସେମାନେ ବିଭିନ୍ନ ନୂତନ ଜ୍ଞାନକୌଶଳ ଓ ଅଭିଜ୍ଞତା ହାସଲ କରିପାରିବେ। ଏ ସମ୍ପର୍କରେ ସୂଚନା ଦେଇ ପ୍ରଫେସର ଆଚାର୍ଯ୍ୟ କହିଛନ୍ତି, ନୂତନ ଶିକ୍ଷାନୀତି ଆଧାରରେ ବ୍ୟାବସାୟିକ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଛି। ଏହାଦ୍ବାରା ଛାତ୍ରାବସ୍ଥାରୁ ପିଲାମାନେ ଦକ୍ଷତା ହାସଲ କରିପାରିବେ। ଏହା ସେମାନଙ୍କୁ ଭବିଷ୍ୟରେ ଉଦ୍ୟୋଗୀ ହେବାରେ ସହାୟକ ହେବ। ତେଣୁ ବିଶ୍ବବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ସ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଚ୍ଚତର ଅଭିଯାନ (ରୁଷା) ୨.୦ ପାଣ୍ଠିରୁ ଏଥିନିମନ୍ତେ ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ, ଓଡ଼ିଶାର ଏକମାତ୍ର ବିଶ୍ବବିଦ୍ୟାଳୟ ଭାବେ କେବଳ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏଥିପାଇଁ ମନୋନୀତ କରାଯାଇଛି।

ରିପୋର୍ଟ : ରଜତ ମହାପାତ୍ର