ଯୁବ ପତ୍ରିକା ” କୋଠଘର ଚାଟଶାଳୀ” ଲୋକାର୍ପଣ

‘ରାଉରକେଲା(ସମୃଦ୍ଧଓଡିଶା) କୋଠଘର ଆମ ସାହିତ୍ୟ ପରିବାର’ ଏବଂ ସିଲିକନ ବିଶ୍ୱବିଦ୍ୟାଳୟର ମେଟା ଏକାଡେମୀ ସେଲର ମିଳିତ ଆନୁକୂଲ୍ୟରେ କୋଠଘର ଆମ ସାହିତ୍ୟ ପରିବାରର ବହୁ ପ୍ରତୀକ୍ଷିତ ତ୍ରୈମାସିକ ଯୁବ ପତ୍ରିକା “କୋଠଘର ଚାଟଶାଳୀ”ର ପ୍ରଥମ ସଂସ୍କରଣ ଶାରଦୀୟ ବିଶେଷାଙ୍କର ଲୋକାର୍ପଣ ଉତ୍ସବ ସିଲିକନ୍ ୟୁନିଭରସିଟି, ଭୁବନେଶ୍ୱରର ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କୋଠଘରର ପ୍ରତିଷ୍ଠାତା ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ସଭାପତିତ୍ବରେ, ଉଦଘାଟକ ଭାଷାବିତ୍ଵ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ସିଲିକନ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ସରୋଜ କାନ୍ତ ମିଶ୍ର ଏବଂ ଡିନ ପ୍ରଫେସର ରାମପ୍ରସାଦ ପଣ୍ଡାଙ୍କ କରକମଳରେ “କୋଠଘର ଚାଟଶାଳୀ” ପତ୍ରିକାଟି ଉନ୍ମୋଚନ ହୋଇଥିଲା । ଅତିଥିଗଣ ଯୁବକମାନଙ୍କ ପାଇଁ କୋଠଘର ପରିବାରର ଏହି ଅନନ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହିତ ଏହି ପତ୍ରିକାଟି ନିଶ୍ଚିତ ଭାବରେ ଆଗାମୀ ଦିନରେ ଯୁବପିଢ଼ି ପାଇଁ ଚେତନାର ସ୍ୱର ହେବ ବୋଲି ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ ।ଏହା ବ୍ୟତୀତ ସଂପାଦିକା ଅମ୍ବିକା ସ୍ୱାଇଁଙ୍କ ଭ୍ରମଣ କାହାଣୀ “ଏକା ଏକା ଦୁବାଇ ଯାତ୍ରା”, କେତନ ରଣାଙ୍କ ଉପନ୍ୟାସ “ସେଦିନ ବି ରାତି ପାହି ନଥିଲା” ସବିତା କରଙ୍କ କବିତା ସଂକଳନ “ଶେଷ ଶ୍ୱାସର ସ୍ପର୍ଶ” ଉନ୍ମୋଚିତ ହୋଇଥିଲା । ଓଡ଼ିଶାର ସବୁ ଜିଲ୍ଲାରୁ ଆସିଥିବା ଯୁବ କବି ରମାକାନ୍ତ ସିଂହ ସାହାଣୀ, ମଧୁସ୍ମିତା ମହାନ୍ତି, ମାନସ ରଞ୍ଜନ ସାହୁ, ଅଙ୍କିତା ଦାଶ, ବିଭାସ ରଞ୍ଜନ ପରିଡ଼ା, ମନୀଷା ବିଶ୍ଵାଳ, ସଂଗ୍ରାମ ମହାରଣା, ଶ୍ୟାମସୁନ୍ଦର ହେର୍ଣ୍ଣା, ପ୍ରମୋଦା ମହାନ୍ତି, ଅଂଶୁମାନ ସାହୁ, ଆଶୁତୋଷ ମିଶ୍ର, ସନ୍ଦିପ୍ତ ମହାପାତ୍ର ଆଦି ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ। ଲୋକାର୍ପଣ ଉତ୍ସବ ଓ କବିତା ଆସର କାର୍ଯ୍ୟକ୍ରମକୁ ସ୍ୱାତି ସୋନାଲିକା ପଣ୍ଡା, ରୋଜାଲିନ୍ ଜେନା ଏବଂ କମଳ ଲୋଚନ ବେହେରା ସଂଯୋଜନା କରିଥିଲେ। ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ “ଭାଷାର ସୁରକ୍ଷା ଏବଂ ଯୁବପିଢ଼ିର ଅବଦାନ” ବିଷୟ ଉପରେ ହୋଇଥିବା ବକୃତା ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ଶ୍ରେୟଶ୍ରୀ ମିଶ୍ର ଏବଂ ଅଙ୍କିତ ତ୍ରିପାଠୀକୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମଟିକୁ ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ସିଲିକନ ବିଶ୍ୱବିଦ୍ୟାଳୟର କାର୍ଯ୍ୟରତ ଡ଼. ପ୍ରତାପ ରଞ୍ଜନ ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ । ପରିଶେଷରେ ପତ୍ରିକାର ସହ ସମ୍ପାଦକ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ସସ୍ମିତା ପ୍ରଧାନ

Leave a Reply

Your email address will not be published. Required fields are marked *