ଭଞ୍ଜନଗର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନା ମହାମାରି ଦ୍ରୁତ ଗତିରେ ନିଜର କାୟା ବିସ୍ତାର କରିଥିବା ବେଳେ ସମଗ୍ର ଓଡିଶା ସହିତ ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ଘୁ ଘୁ ହୋଇ ବଢ଼ି ଚାଲିଛି l ଯାହା ଫଳରେ କରୋନା ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ସମାଜରେ ଲୋକଙ୍କୁ କରୋନା କବଳରୁ ରକ୍ଷା ପାଇବା ନିମନ୍ତେ ସମାଜରେ ବିଭିନ୍ନ ସ୍ଵେଚ୍ଛାସେବୀ ସଂସ୍ଥା ପ୍ରତିଦିନ ବିଭିନ୍ନ ପ୍ରକାର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ କରୁଛନ୍ତି l ସେହିପରି ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଅନଲାଇନ କରୋନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭଞ୍ଜନଗର ଠାରେ ଆରମ୍ଭ କରାଯାଇଛି l ଯୁବ ରେଡକ୍ରସର ସଭ୍ୟମାନେ ଭଞ୍ଜନଗରରୁ ଅନଲାଇନ ମାଧ୍ୟମରେ ଦେଶ ବିଦେଶରେ ରହୁଥିବା ଅନେକ ଲୋକକୁ ପ୍ରଶିକ୍ଷଣ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ୯୦ ଜଣ ଅଂଶ ଗ୍ରହଣ କରିଥିଲେ l ଗଞ୍ଜାମ ଜିଲ୍ଲା ଯୁବ ରେଡ କ୍ରସ ସଂଯୋଜକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓଙ୍କର ସଂଯୋଜନାରେ ରାଜ୍ୟ ଯୁବ ରେଡକ୍ରସ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଉଦଘାଟନ ବକ୍ତବ୍ୟ ପ୍ରଦାନ କରିଥିଲେ l ଅରୁଣା ଅନୁଷ୍ଠାନର ମୁଖ୍ୟ ଲୋକନାଥ ମିଶ୍ର ସାଧନ ବ୍ୟକ୍ତିତ୍ୱ ହିସାବରେ କରୋନା କାରଣ ନିରାକରଣ ସହିତ ସମସ୍ତ ପ୍ରଶ୍ନ ଉତ୍ତର ପ୍ରଦାନ କରିଥିଲେ l ଯୁବ ରେଡକ୍ରସ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର, ଯୁବ ରେଡକ୍ରସର ସମସ୍ତ ସ୍ଵେଚ୍ଛାସେବୀଙ୍କର ଭୂମିକା ସମ୍ପର୍କରେ ବୁଝାଇଥିଲେ l ଅନଲାଇନ ପ୍ରଶିକ୍ଷଣର ସମସ୍ତ ବୈଷୟୀକ ନିୟନ୍ତ୍ରଣ ଯୋଗମାୟା ମିଶ୍ର କରିଥିଲେ l ଶେଷରେ ଯୁବ ରେଡକ୍ରସ ଜିଲ୍ଲା ସମ୍ପାଦକ ଅଧ୍ୟାପକ ମନୋରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ – ନିଲୁ ବିଷୋୟୀ