ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଛତ୍ରପୁର ରକ୍ତଦାତା ସେବା ସଂଘ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଅସହାୟ ଲୋକଙ୍କୁ ରକ୍ତଦାନ କରି ଜୀବନ ରକ୍ଷା କରିଥିବା ରକ୍ତଦାତା ଓ କୋଭିଡ୍ ମହାମାରୀ ସମୟରେ ଦେବଦୂତ ସାଜି ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ବଞ୍ଚାଇଥିବା ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା, ଶବ ଦାହ କାର୍ଯ୍ୟରେ ନିୟୋଜିତ ଥିବା ସ୍ଵେଚ୍ଛାସେବୀ ଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସଂଘର ମୁଖ୍ୟ ସଂଯୋଜକ ତଥା ସମାଜସେବୀ ଏମ୍ ମାଧବ କାୟାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଯୋଗ ଦେଇଥିବା ବେଳେ ସମ୍ମାନ୍ନିତ ଅତିଥୀ ଭାବେ ଚିଦାନନ୍ଦ ଦିବ୍ୟଧାମର ପ୍ରତିଷ୍ଠାତା ବିପ୍ରଚରଣ ପାତ୍ର, ଯୁବ ସମାଜସେବୀ ସୁଧିର ପଟ୍ଟନାୟକ, ଛତ୍ରପୁର ରକ୍ତଦାତା ସେବା ସଂଘର ସଭାପତି ତଥା ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଏବଂ ମୁଖ୍ୟ ବକ୍ତା ଭାବେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଭାବେ ଆଲୋକପାତ କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ସମସ୍ତ ରକ୍ତଦାତା ଓ ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା, ଶବ ଦାହ କାର୍ଯ୍ୟରେ ନିୟୋଜିତ ଥିବା ସ୍ଵେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନଙ୍କ ଦ୍ୱାରା ରକ୍ତଦାନ ମହତ ଦାନ ଉପରେ ଏକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏ. ରାବଣା ରାଓ, ଛତ୍ରପୁର ରକ୍ତଦାତା ସେବା ସଂଘର ମୁଖ୍ୟ ସଂଯୋଜକ ମାଧବ କାୟାଙ୍କ ସମେତ ସମସ୍ତ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା