ରକ୍ତରଞ୍ଜିତ ହେଲା ଭବାନୀପାଟଣା ସହର : ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମାଁ ମାଣିକେଶ୍ୱରୀ ଝୁମି ଝୁମି ମନ୍ଦିରକୁ କଲେ ପ୍ରବେଶ

ଭବାନୀପାଟଣା(ସମୃଦ୍ଧଓଡିଶା)କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ତଥା ବିରଳ ଛତର ବିଜୟ ଯାତ୍ରା ୨୨ ତାରିଖ ରବିବାର ଦିନ ଶାନ୍ତି ଶୃଙ୍ଖଳା ଓ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ହଜାର ହଜାର ପଶୁ ପକ୍ଷୀଙ୍କ ରକ୍ତରେ ଭବାନୀପାଟଣା ସହରର ୪ କି.ମି ମୁଖ୍ୟ ରାଜରାସ୍ତା ଉପରେ ମାଁ ମାଣିକେଶ୍ୱରୀ ଝୁମି ଝୁମି ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେବା ସହିତ ନିଜେ ଆନନ୍ଦ ଉଲ୍ଲାସରେ ମୁଖ୍ୟ ମନ୍ଦିରକୁ ମଧ୍ୟାହ୍ନରେ ପ୍ରବେଶ କରିଥିଲେ । ମାଁ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରର ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ଅବସରରେ ୨୬ ନମ୍ବର ଜାତୀୟ ରାଜପଥର ପ୍ରାୟ ୪ କିମି ରୁ ଉର୍ଦ୍ଧ ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତାର ଉଭୟ ପାଶ୍ୱର୍ ଏବଂ ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ ମୂଖ୍ୟ ଓ ତାର ଶାଖା ରାଜରାସ୍ତାରେ ଲକ୍ଷ୍ୟାଧିକ ଦର୍ଶକଙ୍କ ଭିଡ ଲାଗି ରହିଥିଲା । ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ପଶୁ ହତ୍ୟା ଉପରେ କଡା ନିର୍ଦ୍ଦେଶନାମା ଜାରି କରିବା ଏବଂ ଜିଲ୍ଲା ପ୍ରଶାସନ ପଶୁବଳି ନିରୁତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ହଜାର ହଜାର ଭକ୍ତ ସେମାନଙ୍କର ମାନସିକ ଅନୁଯାଇ ପଶୁ ଓ ପକ୍ଷୀବଳି ପକାଇଥିବା ଦେଖିବାକୁ ମିଳିଥିଲା । ଚଳନ୍ତି ବର୍ଷର ବଳି ପୂର୍ବ ବର୍ଷ ର ରେକର୍ଡ ପାର କରି ଦେଇଥିବା ଦେଖିବାକୁ ମିଳିଥିଲା । ଆଜି ପୁଣି ପ୍ରମାଣ ହୋଇଗଲା କେନ୍ଦ୍ର ଓ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସୁପ୍ରିମକୋର୍ଟ ଓ ହାଇକୋର୍ଟ କଡା ଆକଟ ଭକ୍ତଙ୍କ ଶ୍ରଦ୍ଧା ଓ ଭକ୍ତି ପାଖରେ ସବୁକିଛି ହାର ମାନିଛି । ହଜାର ହଜାର ପଶୁ ଓ ପକ୍ଷୀଙ୍କ ରକ୍ତରେ ଭବାନୀପାଟଣା ସହରର ସମସ୍ତ ରାଜରାସ୍ତା ରକ୍ତ ରଞ୍ଜିତ ହୋଇପଡିଥିଲା । ଗତ ୨୧ ତାରିଖ ଦିନ ମୁଖ୍ୟ ପୂଜକ ବିଶିକେଶନ ତ୍ରୀପାଠୀ ଏବଂ ସହଯୋଗୀ ପୂଜକ ବିଶି କେଶନ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀ ଅକ୍ଷୟ ମୁଣ୍ଡ ଓ ଯୋଗେଶ୍ୱର ବେହେରା ଙ୍କ ଦ୍ୱାରା ମୁଖ୍ୟ ପୂଜାର୍ଚ୍ଚନା କରାଯିବା ସହିତ ମହାଅଷ୍ଟମୀ ମଧ୍ୟ ରାତ୍ରିରେ ମହାବଳୀ ପରେ ମାଣିକେଶ୍ୱରୀ ମନ୍ଦିର ଉତ୍ତର ଦ୍ୱାର ନିକଟରେ ଅବସ୍ଥିତ ବୁଢାରଜା (ଭୈରବ) ଙ୍କ ସମ୍ମୁଖରେ ପୁଣି ପୋଢବଳୀ ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତର ଭବାନୀପାଟଣାର ପଶ୍ଚିମ ଦିଗରେ ଥିବା ଜେନାଖାଲ ପର୍ଯ୍ୟନ୍ତ ଯାଇଥିଲା । ୨୨ ତାରିଖ ରବିବାର ଦିନ ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି ଓ ଗୁପ୍ତ ପୂଜା ପାଠ ପରେ ଭୋର ଘ.୫.୫୪ ମି. ସମୟରେ ମାଁ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଲକ୍ଷାଧିକ ଭକ୍ତଙ୍କ ଗହଣରେ ଘୁମୁରା, ନିଶାଣ, ଘଣ୍ଟ ଆଦି ମଧ୍ୟରେ ଛିଟକନା, ମନ୍ଦାରଫୁଲ, ବେଲପତ୍ର ମାଳରେ ବସ୍ତ୍ରାବୃତ୍ତ ‘ଛତର’ ଝୁମି ଝୁମି ମୁଖ୍ୟ ୨୬ ନମ୍ବର ଜାତୀୟ ରାଜପଥର ୪ କି.ମି. ଦେଇ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଚଳିତ ବର୍ଷ ଛତରକୁ ମାନସିକ କରିଥିବା ଭକ୍ତମାନେ ହଜାର ହଜାର କୁକୁଡା, ପାରା, ବୋଦା, ମେଣ୍ଢା ଆଦି ମୁଖ୍ୟ ଜାତୀୟ ରାଜପଥ ସମେତ ଏହି ରାଜପଥକୁ ସଂଯୋଗ କରୁଥିବା ସହରର ବିଭିନ୍ନ ରାଜ ରାସ୍ତାର ଦୁଇ ପାଶ୍ୱର୍ରେ ବଳି ଦେବା ଫଳରେ ସମଗ୍ର ରାଜରାସ୍ତା ସହିତ ଭବାନୀପାଟଣା ସହର ଏକ ପ୍ରକାର ରକ୍ତ ରଞ୍ଜିତ ହୋଇଯାଇଥିଲା । ଯେଉଁ ଆଡେ ଦେଖିବ କେବଳ ରକ୍ତ ହିଁ ରକ୍ତ । ପୂର୍ବବର୍ଷ ଅପେକ୍ଷା ଚଳନ୍ତି ବର୍ଷ ବହୁ ଅଧିକ ସଂଖ୍ୟାର ବଳି ପଡିଥିବା ଦେଖିବାକୁ ମିଳିଥିଲା । ଲକ୍ଷାଧିକ ଭକ୍ତ ଛତର କୁ ଛିଟକନା, ଶାଢୀ, ନଡିଆ, ମନ୍ଦାରଫୁଲ, ପାରା ଓ ବେଲପତ୍ର ମାନ ଅର୍ପଣ କରିଥିଲେ । ଛତର ସମ୍ମୁଖରେ ବିଭିନ୍ନ ନିଶାନ ଦଳ, ପ୍ୟାଲେସରୋଡ୍‌ସ୍ଥିତ ଜୁନିୟର ମାଣିିକେଶ୍ୱରୀ କ୍ଲବ (ମାଁ ମାଣିକେଶ୍ୱରୀ ଘଣ୍ଟ ଦଳ), ଶ୍ରୀ ଘଣ୍ଟଦଳ, ବଜାର ପଡାର ଘଣ୍ଟବାଦ୍ୟ, ଅର୍କାବାହାଲିପଡାର ଆଦିବାସୀ ଓ ଶବର ନୃତ୍ୟ, ଗୋପବନ୍ଧୁନଗର ବଡପଡାର ନିଶାନ ବାଦ୍ୟ, ଭବାନୀଶଙ୍କର ଘଣ୍ଟ ଦଳ, ବଜରଙ୍ଗ ଦଳ, ମାଁ ଦୈବୀ ଶକ୍ତି ଗଣ୍ଟ ଦଳ, କଶାକେନ୍ଦୁ, ବାବାଦୁର ବଗିଚାପଡାର ମାଁ ବୃନ୍ଦାବତୀ ବାଦ୍ୟ ଦଳ, ସର୍ଦାର ବଲ୍ଲଭଭାଇ ପଟେଲ କ୍ଲବ ସମେତ ଅନ୍ୟାନ୍ୟ ମୋଟ ୨୫ ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ସେମାନଙ୍କ ନୃତ୍ୟ ଦଳ ଏବଂ ଗତ ୨୧ ତାରିଖ ରାତିରେ ରାଜବାଟି ସଭା ମଣ୍ଡପରେ ଅନୁଷ୍ଠିତ ଘୁମୁରା ନୃତ୍ୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା ଦଳ ସହିତ ଅନ୍ୟାନ୍ୟ ଘୁମୁରା ଦଳ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଏହି କଳାକାରମାନେ ବାଜା ବଜାଇ ନାଚିନାଚି ନିଜକୁ ହଜେଇଦେଇଥିଲେ ମାଁଙ୍କ ପାଖରେ । ଏହି ସାଂସ୍କୃତିକ ଅନୁଷ୍ଠାନ ଓ ତାହାର କଳାକାରମାନେ ମାଁ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରଙ୍କ ସମ୍ମୁଖରେ ନିଜର ବାଦ୍ୟ ଓ ନୃତ୍ୟ ପରିବେଷଣ କରିବା ପାଇଁ ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି ଏହି ଛତର ଯାତ୍ରାକୁ । ଏହି ଯାତ୍ରାରେ ଭାଗନେଇ ନିଜର କଳା ପ୍ରଦର୍ଶନ କରିବା ପାଇଁ ଦୀର୍ଘ ୧ ମାସରୁ ଉର୍ଦ୍ଧ୍ୱ ମାସ ଧରି ନିଜକୁ ପ୍ରସ୍ତୁତ କରିଥାନ୍ତି । ୨୨ ତାରିଖ ରବିବାର ପ୍ରାତଃ ୫.୫୪ ଘଣ୍ଟା ସମୟରେ ଜେନାଖାଲଠାରୁ ବାହରିଥିବା ଛତର ମୁଖ୍ୟ ମନ୍ଦିରର ସିଂହ ଦ୍ୱାରା ନିକଟରେ ପହଞ୍ଚିବା ବେଳକୁ ଦିବା ୧୨.୧୫ ମିନିଟ ହୋଇଯାଇଥିଲା । ଦୀର୍ଘ ସମୟଧରି ମା’ଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ଦୀର୍ଘ ସମୟ ଧରି ମାଁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ଦିନ ଯେତେ ଗଡି ଗଡି ଚାଲିଥାଏ ଲୋକଗହଳି ସେତିକି ବଢି ବଢି ଚାଲିଥିଲା । ମା’ଙ୍କ ଛତର ମୁଖ୍ୟ ମନ୍ଦିରରେ ପହଞ୍ଚିବା କ୍ଷଣି ମହାରାଜ ଅନନ୍ତ ପ୍ରତାପ ଦେଓ ସମେତ ତାଙ୍କ ସପରିବାର ସଦସ୍ୟମାନେ ବନ୍ଦାପନା କରି ସ୍ୱାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ପୂର୍ବବର୍ଷ ପରି ଚଳନ୍ତି ବର୍ଷ ମା’ଙ୍କ ଛତରକୁ ପୂଜକ ମଧୁସୁଦନ ବେହେରା ବହନ କରିଥିବା ବେଳେ ଧବଳେଶ୍ୱର ବାହୁକ ପାଟ୍ଟଖଣ୍ଡା ବହନ କରିଥିଲା ବେଳେ ପ୍ରେମାନନ୍ଦ ଧଙ୍ଗଡାମାଝୀ ସହଯୋଗ କରିଥିଲେ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଏସ୍‌.ପି. ଅଭିଳାଶ ଜୀ., ଅତିରିକ୍ତ ଜିଲ୍ଲାପାଳ ଜନ୍ମଜୟ ଦରଓଆନ ଓ ଅତିରିକ୍ତ ଜିଲ୍ଲାପାଳ ତ୍ରୀଲୋଚନ ପାତ୍ର , ଭବାନୀପାଟଣା ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ ଏବଂ ଅତିରିକ୍ତ ଏସ୍‌.ପି. , ଏସ୍‌.ଡି.ପି.ଓ. ଭବାନୀପାଟଣା, ଟାଉନ୍ ଥାନା ଆଇ.ଆଇ.ସି. ସମେତ ଭବାନୀପାଟଣା ତହସିଲଦାର ଓ ଅନ୍ୟ ମାଜିଷ୍ଟ୍ରେଟ ଏବଂ ଅନ୍ୟାନ୍ୟ ଅଧିକାରୀ ସମେତ ପୂର୍ବରୁ ଛତରଯାତ୍ରା ସୁଚାରୁ ରୂପେ ପରିଚାଳନା କରିଥିବା କିଛି ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଯେଉଁମାନେ ବର୍ତ୍ତମାନ ଜିଲ୍ଲା ବାହାରେ କାର୍ଯ୍ୟରତ ଅଛନ୍ତି ।ସେହି ଅଧିକାରୀ ମାନଙ୍କୁ ଚଳନ୍ତି ବର୍ଷ ସୁଚାରୁରୂପେ ଛତର ପରିଚାଳନା ପାଇଁ ଡେପୁଟେସନରେ ଜିଲ୍ଲା ପ୍ରଶାସନ ଆଣିଥିଲେ । ଯାହା ସମସ୍ତ ଅଧିକାରୀ ମାନେ ଏହି ଛତରଯାତ୍ରାରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ କିପରି ଛତର ଯାତ୍ରା ଅନୁଷ୍ଠିତ ହେବ ତାହା ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ପଶୁ ବଳି ବନ୍ଦ କରିବା ପାଇଁ କଡା ବାରଣ ଏବଂ ଜିଲ୍ଲା ପ୍ରଶାସନର ବଳିପ୍ରଥାକୁ ନିରୁତ୍ସାହିତ କରିବା ପାଇଁ ପ୍ରଶାସନ ତରଫରୁ ଜନସଚେତନତା ସୃଷ୍ଟି କରାଇଥିଲେ ମଧ୍ୟ ଭକ୍ତଙ୍କ ଉପରେ କାଣିଚିଏ ମାତ୍ର ତାହାର ପ୍ରଭାବ ପଡିନଥିବା ଦେଖିବାକୁ ମିଳିଥିଲା । ଚଳନ୍ତି ବର୍ଷ ଛତର ଜେନାଖାଲରୁ ମୂଖ୍ୟମନ୍ଦିର କୁ ଆସିବା ସମୟରେ ସମାଗମ ହୋଇଥିବା ଲକ୍ଷାଧିକ ଭକ୍ତ, ଛତର ଉପରକୁ ନଡିଆ ଖଣ୍ଡ, ଛିଟକନା,ବେଲପତ୍ର, ମନ୍ଦାରମାଳ ପକାଉଥିବା ସତ୍ତ୍ୱେ ଛତର ଉପରେ ବସିଥିବା ପାରା ମାନଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପଡିନଥିବା ଘଟଣା ଉପସ୍ଥିତ ଭକ୍ତ ଓ ଦର୍ଶକଙ୍କ ମାନଙ୍କୁ ବିଶ୍ମୟ କରିଥିଲା । ଜିଲ୍ଲା ଏବଂ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ପଡେଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ପଶ୍ଚିମ ବଙ୍ଗରୁ ଶହ ଶହ ଭକ୍ତ ଛତର ଦର୍ଶନ କରିବା ପାଇଁ ଆସିଥିଲେ । ସେହିପରି ପୂର୍ବତନ ସାଂସଦ ଭକ୍ତଚରଣ ଦାସ, ପୂର୍ବତନ ମନ୍ତୀ ଜଗନ୍ନାଥ ପଟ୍ଟନାୟକ , ନର୍ଲା ବିଧାୟକ ଭୁପେନ୍ଦ୍ର ସିଂହ, ପୂର୍ବତନ ମନ୍ତ୍ରୀ କ୍ୟା. ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ନଗରପାଳ ସଂଯୁକ୍ତା ବେହେରା , ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ , ପୁର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାଶ , ସାମାଜିକ ସେବୀ ସୁମିତ ଶତପଥୀ ସମେତ ବିଭିନ୍ନ ରାଜୈନତିକ ଦଳର ତୁଙ୍ଗ ନେତା ଏବଂ ବୁଦ୍ଧିଜୀବୀମାନେ ମାଁଙ୍କ ଛତରକୁ ଦର୍ଶନ କରିଥିଲେ । ୨୧ ତାରିଖ ରାତ୍ରୀ ଏବଂ ଛତର ଯାତ୍ରାର ଜନଗହଳିକୁ ଆଖି ଆଗରେ ରଖି ସମାଜସେବୀ ପ୍ରମୋଦ କୁମାର ଖମାରୀ ସମେତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ମାନଙ୍କ ତରଫରୁ ୨୧ ସଂଧ୍ୟା ଓ ୨୨ ତାରିଖ ଭୋରୁ ପିଇବା ପାଣି, ଜଳଖିଆ, ବିସ୍କୁଟ, ଚା ଓ କଫି ର ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯାଇଥିଲା । ଉପସ୍ଥିତ ଲକ୍ଷାଧିକ ଭକ୍ତ ମାଁଙ୍କ ଛତରକୁ ଦର୍ଶନ ନକରିବା ପର୍ଯ୍ୟନ୍ତ ଦର୍ଶନ ସ୍ଥାନରୁ ଛାଡି କୁଆଡେ ଯାଇନଥିଲେ । ଏପରିକି ଛତରକୁ ପଛକରି କୌଣସି ଯାତ୍ରୀବାହି ବସ, ଅନ୍ୟାନ୍ୟ ଗାଡିମୋଟର ଯାଇ ନଥିବା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୧୮ ଜଣ ଇନ୍ସିପେକ୍ଟର, ୩୨ ଜଣ ସବ୍‌ଇନ୍ସିପେକ୍ଟର, ୫୦ ଜଣ ଏଏସ୍‌ଆଇ, ୯ ଜଣ ହେଡ୍‌କନଷ୍ଟେବଲ୍ ଓ ଜଣେ ଟ୍ରାଫିକ୍ ହାବେଲ୍‌ଦାର ସହିତ ୯୩ ଜଣ ରିର୍ଜଭ ପୋଲିସ, ୧୫ ଜଣ ମହିଳା କନେଷ୍ଟେବଲ୍‌, ୧୪୦ ଜଣ ହୋମ୍‌ଗାଡ୍ ସହିତ ଏସ୍‌ଓଜି, ଡିଭିଏଫ୍ ଏବଂ ଆଇଆର୍‌ବି ଯବାନଙ୍କ ସହିତ ୪ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଥିଲେ । ଲୋକ ସମ୍ପର୍କ ବିଭାଗ ଅଧିକାରୀ ମନୋଜ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଘୋଡାଘାଟ୍ ଛକ ଓ ମନ୍ଦିର ନିକଟରେ ଅହରହ ଧାରା ବିବରଣୀ ପ୍ରସାର କରାଯାଇଥିଲା । ଆସନ୍ତା ୨୩ ତାରିଖ ମାଁ ମାଣିକେଶ୍ୱରୀଙ୍କର ଲାଖମରା ଓ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ । ଭବାନୀପାଟଣା ସହରର ଗାନ୍ଧୀଛକ ଓ ରିଜର୍ଭ ପୋଲିସ ବ୍ୟତିତ ଅର୍କାବାହାଲିପଡା, ବାହାଦୁର ବଗିଚାପଡା, ସାପ୍ତାହିକ ହାଟପଦା (ଜନତା ପୂଜା ମଣ୍ଡପ), ମନ୍ଦାର ବଗିଚାପଡା, ପୁରୁଣା ବସଷ୍ଟାଣ୍ଡ, ପ୍ରଦେଶୀପଡା (ବାଲାଜୀ ମନ୍ଦିର ସମ୍ମୁଖ), ଇରିକେସନ କଲୋନୀ, ଗୋନ୍ତିଆପଡା ଏବଂ ନକଟିଗୁଡା (ଆରଟିଓ ଅଫିସ ସମ୍ମୁଖ) ଆଦି ୧୧ ଟି ସ୍ଥାନରେ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ଦୁର୍ଗାପୂଜା ଏବଂ ବିଶେଷ କରି ଜୁନାଗଡରେ ଲଙ୍କେଶ୍ୱରୀ, ଥୁଆମୂଳ ରାମପୁରର ମାଣିକେଶ୍ୱରୀ, ଧର୍ମଗଡର ଭଣ୍ଡାରଘରଣୀ, କୋକସରା ଓ ଆମପାଣିର ବୁଢାରାଜ, ବେହେରାର ଦନ୍ତେଶ୍ୱରୀ, କେସିଙ୍ଗାର ମାତାଜୀ ମନ୍ଦିର ଶାନ୍ତି ଶୃଙ୍ଖଳାର ସହିତ ନବରାତ୍ର ପୂଜା ଅନୁଷ୍ଠିତ ହୋଇଅଛି । ବିଶେଷ କରି ଭବାନୀପାଟଣା ସହରର ମୁଖ୍ୟ ସ୍ଥାୟୀ ଗାନ୍ଧିଛକ ଦୁର୍ଗା ମନ୍ଦିର, ବାହାଦୂର ବଗିଚାପଡା, ମନ୍ଦାରବଗିଚାପଡା, ଜନତା ଦୁର୍ଗା ପୂଜା ମଣ୍ଡପ, ପରଦେଶୀପଡା ଓ ନକଟିଗୁଡା ର ଦୁର୍ଗାପୂଜା ମଣ୍ଡପ ଏବଂ ସାଜସଜ୍ଜା ଓ ତୋରଣ ଦେଖିବା ପାଇଁ ନାହିଁ ନଥିବା ଜନଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଏସ୍‌.ପି. ଅଭିଳାଶ ଜୀ.ଙ୍କ ତତ୍ତ୍ୱାବଧାନରେ ପୋଲିସ୍ ତରଫରୁ କଡାକଡି ଭାବରେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ଛତର ଯାତ୍ରା ସମେତ ସହରରେ ହୋଇଥିବା ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ନିକଟରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ୨୩ ତାରିଖ ଦିନ ଲାଖମରା, ରାବଣପୋଡି ଏବଂ ୨୪ ତାରିଖ ଦିନ ଦଶହରା ଓ ୨୫ ତାରିଖ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ମଧ୍ୟ ପୋଲିସ୍ ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।

ରିପୋର୍ଟ : ରଜତ ମହାପାତ୍ର