ଛତ୍ରପୁର (ସମୃଦ୍ଧ ଓଡିଶା) ରକ୍ଷାସୂତ୍ର ବା ରକ୍ଷାବନ୍ଧନ ଭାବ, ସ୍ନେହ, ପ୍ରେମର ଏକ ଉଦାହରଣ ସଦୃଶ । ରକ୍ଷା ବନ୍ଧନର ଇତିହାସ ହିନ୍ଦୁ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି । ବାମନାବତାର ପୌରାଣିକ କଥାରେ ରକ୍ଷା ବନ୍ଧନ ବିଷୟ ବର୍ଣ୍ଣିତ । କାହାଣୀ ଅନୁସାରେ ରାଜା ବଳି ଏକ ବଡ଼ ଧରଣର ଯଜ୍ଞ ସମ୍ପନ୍ନ କରି ସ୍ୱର୍ଗ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ସଜ ହେଉଥିଲେ । ଦେବରାଜ ଇନ୍ଦ୍ର ଚିନ୍ତା ପ୍ରକଟ କରି ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ବିଷ୍ଣୁ ବାମନରୂପ ଧାରଣ କରି ବଳୀଙ୍କ ନିକଟକୁ ଭିକ୍ଷା ମାଗିବାକୁ ଗଲେ । ବଳି ଭିକ୍ଷା ଦେବାକୁ ଉଦ୍ୟନ୍ତ ହୁଅନ୍ତେ ତାଙ୍କ କୂଳଗୁରୁ ଏଥିରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଲେ । ବଳି ପରାମର୍ଶକୁ ଅବଜ୍ଞା କରି ବିଷ୍ଣୁଙ୍କୁ ତିନି ପାଦ ଭୂମି ପ୍ରଦାନ କଲେ । ତିନି ପାଦରେ ଆକାଶ ପାତାଳ ଓ ପୃଥିବୀକୁ ପାଦରେ ଚାପିଦେଇ ବଳୀକୁ ରସତଳକୁ ନେଇଗଲେ । ଏହି ସମୟରେ ବଳି ରାଜା ନିଜ ଭକ୍ତି ବଳରେ ଭଗବାନଙ୍କୁ ନିଜ ପାଖରେ ରହିବାକୁ ପ୍ରତିଜ୍ଞା କରାଇନେଲେ । ମାତା ଲକ୍ଷ୍ମୀ ଏଥିରେ ଚିନ୍ତିତ ହେଲେ । ନାରଦଙ୍କଠାରୁ ପରାମର୍ଶ ନେଇ ବଳୀଙ୍କୁ ରକ୍ଷା ସୂତ୍ରରେ ବାନ୍ଧି ଭାଇ କରିନେଲେ । ବଦଳରେ ବଳି ରାଜା ବିଷ୍ଣୁଙ୍କ ପ୍ରତିଜ୍ଞାକୁ ଖଣ୍ଡନ କଲେ ।
ଆଉ ଏକ କାହାଣୀ ଇନ୍ଦ୍ର ଓ ଦାନବଙ୍କ ମଧ୍ୟରେ ଅନେକ ସମୟରେ ଘମାଘୋଟ ଯୁଦ୍ଧ ହେଉଥିଲା । ଲଢେ଼ଇରେ ଦାନବଗଣ ହାରିବାର ନାଁ ନେଉନଥିଲେ । ଚିନ୍ତା ପ୍ରକଟ କରି ଇନ୍ଦ୍ରଙ୍କୁ ଇନ୍ଦ୍ରାଣୀ ଏକ ଉପାୟ ଜଣାଇଲେ । ଇନ୍ଦ୍ରାଣୀ ଗାୟତ୍ରୀ ମନ୍ତ୍ର ଜପ କରି ଇନ୍ଦ୍ରଙ୍କ ବାହୁରେ ଏକ ଡୋରି ବାନ୍ଧିଦେଲେ । ଇନ୍ଦ୍ର ଯେବେ ଯୁଦ୍ଧ କ୍ଷେତ୍ରକୁ ଗଲେ ପାଦରେ ପାଦ ମିଶାଇ ଇନ୍ଦ୍ରାଣୀ ଇନ୍ଦ୍ରଙ୍କ ସହ ଦାନବଙ୍କ ବି ପାଖରେ ଲଢ଼ି ବିଜୟ ଲାଭ କରିଥିଲେ ।
ମହାଭାରତରେ ବର୍ଣ୍ଣିତ ଅଛି ଶିଶୁପାଳକୁ ବଦ୍ଧ କରିବା ସମୟରେ ସୁଦର୍ଶନ ଚକ୍ରରେ କୃଷ୍ଣଙ୍କ ତର୍ଜନୀ କ୍ଷତାକ୍ତ ହୋଇଥିଲା । ସେତେବେଳେ ରକ୍ତସ୍ରାବ ବନ୍ଦ କରିବାକୁ ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରର କାନି ଚିରି କୃଷ୍ଣଙ୍କ ହାତରେ ଗୁଡ଼ାଇ ଦେଇଥିଲେ । ଫଳ ସ୍ୱରୂପ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ କୋଟି ବସ୍ତ୍ର ପ୍ରଦାନକରି କୃଷ୍ଣ ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ ।
ଶ୍ରାବଣ ମାସ ହିନ୍ଦୁ ଧର୍ମର ଏକ ପବିତ୍ର ମାସ । ବର୍ଷର କେବଳ ଏହି ମାସରେ ଜଙ୍ଗଲରେ ବସକରୁଥିବା ମୁନି ଋଷିମାନେ ଜନପଦକୁ ଫେରି ଆସନ୍ତି । ଏହି ମାସ ଯାକ ଜନପଦରେ ଅବସ୍ଥାନ କରି ଅଧିବାସୀଙ୍କ ଶିକ୍ଷା ଦୀକ୍ଷାରେ ବ୍ୟସ୍ତ ରୁହନ୍ତି । ମାସାନ୍ତରେ ଗହ୍ମା ପୂର୍ଣ୍ଣିମା ପଡ଼ନ୍ତେ ନିଜ ଯଜମାନଙ୍କୁ ଉପବିତ ପ୍ରଦାନ କରି ନିଜ ଆଶ୍ରମକୁ ଗମନ କରନ୍ତି । ଏହି ପଇତା ଜଯମାନଙ୍କ ପାଇଁ ରକ୍ଷା କବଚ ସଦୃଶ । ବ୍ରାହ୍ମଣ ବା ପୁରୋହିତମାନେ ନିଜ ଯଜମାନଙ୍କୁ ପିଢ଼ି ପରେ ପିଢ଼ି ଗହ୍ମା ପୂର୍ଣ୍ଣିମା ଅବସରରେ ପାଇତାକୁ ରକ୍ଷା କବଚ ଭାବେ ବାନ୍ଧି ଆସୁଛନ୍ତି । ଏହି ରକ୍ଷା ବନ୍ଧନ ପ୍ରଥା କେଉଁ ଆବହମାନ କାଳରୁ ଏପର୍ଯ୍ୟନ୍ତ ଚଳିଆସୁଛି । ପୁରୋହିତମାନେ ଯଜମାନଙ୍କ ମଙ୍ଗଳ ପାଇଁ ରକ୍ଷା ବନ୍ଧନ ପ୍ରଥା ଭାଇ ଭଉଣୀ ସମ୍ପର୍କ ବ୍ୟତିରେକ ଏକ ଭିନ୍ନ ସମ୍ପର୍କ ସ୍ଥାପନ କରେ ।
– କେବଳ ରକ୍ତ ସମ୍ପର୍କୀୟ ଭାଇ ଭଉଣୀଙ୍କ ମଧ୍ୟରେ ସୀମିତ ରହିନାହିଁ ଏହି ପରମ୍ପରା ।
ଜଗନ୍ନାଥ ସଂସ୍କୃତିରେ ଝୁଲଣ ଯାତ୍ରା ବା ଗହ୍ମା ପୂର୍ଣିମା :- ଶ୍ରାବଣ ଶୁଳ୍କ ଦଶମୀ ପାଖରୁ ଭାଦ୍ର କୃଷ୍ଣ ପ୍ରତିପଦା ସାତଦିନ ଧରି ପାଳନ କରାଯାଏ ।
ଶ୍ରାବଣ ପୂର୍ଣ୍ଣିମା ଦିନ ବଳଭଦ୍ରଙ୍କର ଜନ୍ମଉତ୍ସବ ବା ରାକ୍ଷୀ ଉତ୍ସବ ଶ୍ରୀମନ୍ଦିର ରେ ପାଳନ କରାଯାଏ । ଭବିଷ୍ୟ ପୁରାଣରେ କୁହାଯାଇଛି ଯେ, ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଥିଲେ ଏହିଦିନ ଦକ୍ଷିଣ ହସ୍ତରେ ଅଭିମନ୍ତ୍ରିତ ରାକ୍ଷୀ ବନ୍ଧନ ଦ୍ଵାରା ମନୁଷ୍ୟ ଏକ ବର୍ଷ ନିମିତ୍ତ ବିପଦରୁ ମୁକ୍ତ ହୋଇଥାଏ ।
ଇନ୍ଦ୍ର ବୁତ୍ରାସୁର ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ଇନ୍ଦ୍ରାଣୀ ମଧ୍ୟ ଏହିଦିନ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧିଥିଲେ । ତେଣୁ ଏହା କେବଳ ଯେ, ଭଉଣୀ ଭାଇ ହାତରେ ରାକ୍ଷୀ ବନ୍ଧନ କରିବ ତାହା ନୁହେଁ । ସ୍ତ୍ରୀ ମଧ୍ୟ ସ୍ଵାମୀ ହାତରେ ତାହାର ରକ୍ଷା ନିମନ୍ତେ ରାକ୍ଷୀ/ରକ୍ଷା ସୂତ୍ର ବନ୍ଧନ କରିଥାଏ । କୁନ୍ତୀ ମଧ୍ୟ କୌରବମାନଙ୍କ ଠାରୁ ପାଣ୍ଡବମାନଙ୍କୁ ରକ୍ଷା କରିବା ପାଇଁ କୃଷ୍ଣଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରିଥିଲେ । ଗୋପୀମାନେ ବିପତ୍ତିରୁ ରକ୍ଷା ପାଇବା ପାଇଁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବନ୍ଧନ କରିଥିଲେ । ବଳଭଦ୍ର ଅସୁରମାନଙ୍କ ସହ ଯୁଦ୍ଧ କରିବା ପାଇଁ ଗଲାବେଳେ ବ୍ରାହ୍ମଣ ଯେଉଁ ଉପବିତ(ପଇତା) ଦେଇଥିଲେ, ତାହାକୁ ମଧ୍ୟ ରକ୍ଷାସୂତ୍ର ଭାବରେ ଗ୍ରହଣ କରାଯାଏ ।
ଏହି ସ୍ମୄତିରେ ବ୍ରାହ୍ମଣମାନେ – “ଯେନବଦ୍ଧୋ ବଳିରାଜା ଦାନବେନ୍ଦ୍ର ମହାସୁରଃ ।
ତେନାତ୍ବାମପି ବଧ୍ନାମି ରକ୍ଷମାଂ ଚରମାଚଳ।।”
ମନ୍ତ୍ର ପାଠ କରି ଯଜମାନ ମାନଙ୍କୁ ଦକ୍ଷିଣ ହସ୍ତରେ ରାକ୍ଷୀ ବନ୍ଧନ କରନ୍ତି ଏବଂ ପଇତା ବା ଉପବିତ ପିନ୍ଧାଇଥାନ୍ତି । ଏହିପରି ଭାବରେ ରକ୍ଷାସୂତ୍ର ବା ରକ୍ଷାବନ୍ଧନ ଭାବ, ସ୍ନେହ, ପ୍ରେମର ଏକ ଉଦାହରଣ ସଦୃଶ ।
ବଳଦେବଙ୍କ ଜନ୍ମ:- ନୀଳାଦ୍ରୀମହୋଦୟ ମତରେ ଚତୁଃସମ ଅର୍ଥାତ ସମାନ ଚାରିଭାଗରେ ଥିବା ଚନ୍ଦନ, କର୍ପୂର, ଚୁଆ ଏବଂ କସ୍ତୁରୀ ବଳଭଦ୍ରଙ୍କ ସର୍ବାଙ୍ଗେ ଲାଗିହୁଏ । ତଦ୍ପରେ ଅଳଙ୍କାର ଲାଗିହୁଏ । ବୈରାଣୀ ପାଟ ଲାଗିହୁଏ, ତାପରେ ନୂଆ ବସ୍ତ୍ର ମଧ୍ୟ ଲାଗିହୁଏ । ସୁନା ଏବଂ ପାଟ ସୂତାର ରାକ୍ଷୀ ଓ ଗୁଆର ମାଳି, ଏସବୁ ଲାଗି ହୋଇସାରିବା ପରେ ବଳଭଦ୍ରଙ୍କ ସାମ୍ନାରେ ଏକ କଳସ ସ୍ଥାପନ କରଯାଏ। ସେହି କଳସରେ ଷଷ୍ଠୀ ଦେବୀ, ସପ୍ତଚିରଞ୍ଜିବୀ ( ମାର୍କଣ୍ଡେୟ, ବଳି,ଅଶ୍ୱଥାମା, ହନୁମାନ, ପର୍ଶୁରାମ, ବୀଭିଷଣ,ବ୍ୟାସ), ଏମାନଙ୍କ ସହିତ ସେହିଦିନର ତିଥି,ରାଶୀ, ନକ୍ଷତ୍ର ଏବଂ ସପ୍ତର୍ଷି ମାନଙ୍କର ମଧ୍ୟ ପୂଜା ହୋଇଥାଏ।ବାମଦେବ ସଂହିତ ମତରେ, କାତ୍ୟାୟନୀ ଷୋଡଶ ଉପଚାରରେ ବଳଦେବଙ୍କର ପୂଜା ହୋଇଥାଏ ।ତାହାପରେ ପିତ୍ତଳ ଥାଳି,ପାତ୍ର ସଜ ଆଣି ବଳଦେବଙ୍କର ମଙ୍ଗଳାର୍ପଣ ହୁଏ।ତତ୍ପରେ ତିନି ଦେବତା ଶ୍ରୀଦେବୀ, ଭୁଦେବୀ, ମଦନମୋହନଙ୍କର ବନ୍ଦାପନା ହୋଇଥାଏ । ସେହିଦିନ ଆଜ୍ଞାମାଳ ପାଇବା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଦୋଳରେ ବିଜେ କରନ୍ତି । ପାଟପତନି ଏବଂ ଚୂଳଲାଗି ପରେ ସୁଦର୍ଶନଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଇଥାନ୍ତି । ସେହିଠାରେ ତାଙ୍କୁ ସୁବର୍ଣ୍ଣ କମରପଟି ଓ ହରଡ଼ମାଳ ଲାଗି ହୋଇଥାଏ । ତାପରେ ସୁଦର୍ଶନ ପରିକ୍ରମାରେ ଯାଇଥାନ୍ତି ।ସୁଦର୍ଶନ ମାର୍କଣ୍ଡେୟଙ୍କ ନିକଟକୁ ଯାଇ ସେହିଠାରେ ମଣ୍ଡପରେ ବିଜେ କରିବେ । ସେହିଠାରେ ମୃତ୍ତିକାରେ ବଳଭଦ୍ରଙ୍କର ମୂର୍ତ୍ତି ନିର୍ମିତ ହୋଇଥାଏ । ଜୀବନ୍ୟାସ ଆଦି କର୍ମ ଏବଂ ସଂସ୍କାର ହୁଏ, ପ୍ରସାଦ ଲାଗିହୁଏ । ପଂଚମଣୋହିରେ ଶୀତଳ ଉପଚାର ମଧ୍ୟ ହୋଇଥାଏ । ପାଇକମାନେ ଏହିଦିନ ଯୁଦ୍ଧ ବିଦ୍ୟା ଶିକ୍ଷା ଆରମ୍ଭ କରୁଥିବାର ଉଲ୍ଲେଖ ରହିଛି । ଏକ ଉଚ୍ଚ ସ୍ଥାନରୁ ଡେଉଁ ଥିବାରୁ ଏହାକୁ ଗହ୍ମା ବୋଲି କୁହାଯାଏ । କାରଣ ଉଚ୍ଚସ୍ଥାନକୁ ଗହ୍ମା କୁହାଯାଏ ଏବଂ ଡେଇଁବାକୁ “ଗହ୍ମାଡିଆଁ” ବୋଲି କୁହାଯାଏ । ଏହିଦିନ ସୁତଳ ଲୋକରେ ମଧ୍ୟ ଭାଗବତ ଏବଂ ଅନ୍ନ୍ୟାନ୍ୟ ପ୍ରମାଣକୁ ଆଧାର କରି ଜୟଲକ୍ଷ୍ମୀଙ୍କର ପୂଜା ହୋଇଥାଏ । ସୁତଳ ଲୋକରେ ନାରାୟଣ, ଉପେନ୍ଦ୍ର ହୋଇ ରହିଲେ ଏବଂ ସେହିଠାରେ ଉପେନ୍ଦ୍ର ଏବଂ ଜୟଲକ୍ଷ୍ମୀଙ୍କର ମଧ୍ୟ ପୂଜାର୍ଚ୍ଚନା ହୋଇଥାଏ । ଏହିଦିନ ଗୋମତାକୁ ମଧ୍ୟ ରକ୍ଷା ବନ୍ଧନ କରି ପୂଜା ଅର୍ଚ୍ଚନା କରାଯାଇ ଥାଏ ।
“ଅସଲରେ ରକ୍ଷା ବନ୍ଧନ ପରମ୍ପରା ସେଇମାନେ ଆରମ୍ଭ କରିଥିଲେ ଯେଉଁମାନେ ପ୍ରକୃତରେ ଭାଇ ଭଉଣୀ ନଥିଲେ । ରକ୍ତ ସମ୍ପର୍କ ନଥାଇ ବି ସାମାନ୍ୟ ଏକ ଡୋରି ସେମାନଙ୍କୁ ଭାଇ ଭଉଣୀର ଅତୁଟ ସମ୍ପର୍କରେ ବାନ୍ଧି ପାରିଥିଲା ।”
ରକ୍ଷା ବନ୍ଧନର ପରମ୍ପରା ପ୍ରାୟ ୬୦୦୦ ବର୍ଷ ପୁରୁଣା ଅନୁମାନ କରାଯାଏ । କିନ୍ତୁ କୌଣସି ସ୍ଥାନରେ ଏହାର ସମୟ ଲିପିବଦ୍ଧ ହୋଇ ରଖାଯାଇନାହିଁ । ଲିପିବଦ୍ଧ କରି ରଖିବା ସମୟ ଆସିଲା ବେଳକୁ ହୁମାୟୁନ ଓ କର୍ଣ୍ଣାବତୀଙ୍କ ରକ୍ଷା ବନ୍ଧନ କଥା ପ୍ରଥମେ ଆସେ । ମଧ୍ୟ ଯୁଗରେ ମୁସଲିମ ଓ ରାଜପୁତଙ୍କ ମଧରେ ଭୀଷଣ ଯୁଦ୍ଧ ହୁଏ । ରାଣୀ କର୍ଣ୍ଣାବତୀ ଚିତୌଡ଼ ରାଜାଙ୍କ ବିଧବା ଥିଲେ । ଗୁଜୁରାଟ ସୁଲତାନ ବହାଦୂର ଶାହାଙ୍କଠାରୁ ନିଜ ରାଜ୍ୟ ଓ ପ୍ରଜାଙ୍କୁ ରକ୍ଷା କରିବା ପାଇଁ ରାଣୀ କର୍ଣ୍ଣାବତୀ ହୁମାୟୁନଙ୍କ ନିକଟକୁ ରାକ୍ଷୀ ପଠାଇଥିଲେ । ହୁମାୟୁନ ରାକ୍ଷୀର ସମ୍ମାନ ରକ୍ଷା କରି ରାଜ୍ୟକୁ ବଞ୍ଚାଇ ଥିଲେ । ବିଶ୍ୱବିଜୟୀ ରାଜା ଆଲେକଜ୍ୟାଣ୍ଡର ଭରତୀୟ ରାଜା ପୁରୁଙ୍କ ପ୍ରଖରତାକୁ ନେଇ ବିଚଳିତ ହୋଇ ପଡିଲେ । ଏଥିପାଇଁ ଆଲେକଜ୍ୟାଣ୍ଡରଙ୍କ ପତ୍ନୀ ଚିନ୍ତିତ ହୋଇ ଉଠିଲେ । ସେ ରକ୍ଷା ବନ୍ଧନ ସମ୍ପର୍କରେ ଶୁଣିଥିଲେ । ତାପରେ ପୁରୁଙ୍କ ନିକଟକୁ ସେ ରାକ୍ଷୀ ପଠାଇଲେ । ରାକ୍ଷୀକୁ ସମ୍ମାନ ଦେଇ ଆଲେକଜ୍ୟାଣ୍ଡରଙ୍କ ପତ୍ନୀଙ୍କୁ ପୁରୁ ନିଜର ଭଉଣୀ କଲେ । ଏଠି ସହ ଯୁଦ୍ଧ ସମାପ୍ତ ହେଲା ଓ ଆଲେକଜ୍ୟାଣ୍ଡର ଜୀବନ ଦାନ ପାଇଲେ । ଚନ୍ଦ୍ରଶେଖର ଆଜାଦ ସ୍ୱତନ୍ତ୍ରତା ସଂଗ୍ରାମରେ ସଂଘର୍ଷ କରୁଥିବା ସମୟ । ଏକଦା ଇଂରେଜମାନେ ତାଙ୍କୁ ପିଛା କରୁଥିଲେ । ଦୌଡ଼ୁ ଦୌଡ଼ୁ ଜଣେ ବିଧବାଙ୍କ ଘରେ ପଶିଗଲେ । ସେଠାରେ ଜଣେ ବିଧବା ବୃଦ୍ଧା ନିଜ ଝିଅଙ୍କ ସହ ରହୁଥିଲେ । ଆଜାଦଙ୍କୁ ଚୋର ଭାବି ଆଶ୍ରୟ ଦେବାକୁ ସେ ମନାକଲେ । ଆଜାଦ ନିଜର ପରିଚୟ ଦେବା ପରେ ତାଙ୍କୁ ଶରଣ ମିଳିଲା । ସେଠାରେ ଆଜାଦ ଜାଣିବାକୁ ପାଇଲେ ଦାରିଦ୍ର୍ୟ କାରଣରୁ ବୃଦ୍ଧା ଜଣଙ୍କ ନିଜର ଝିଅଙ୍କ ବିବାହ କରି ପାରୁନାହାନ୍ତି । ତେଣୁ ସେ ବୃଦ୍ଧାଙ୍କୁ କହିଲେ ତାଙ୍କୁ ଯଦି ସେ ଇଂରେଜ ମାନଙ୍କ ହାତରେ ଧରାଇ ଦେବେ ତେବେ ସେ ୫୦୦୦ଟଙ୍କା ପୁରସ୍କାର ପାଇ ଝିଅଙ୍କର ବିବାହ ଖର୍ଚ୍ଚ ଉଠାଇ ପାରିବେ । ଏହା ଶୁଣି ସେ ବିଧବା ଛଳ ଛଳ ଆଖିରେ କହିଲେ ଭାଇ, ତୁମେ ଦେଶ ସ୍ୱାଧୀନ କରିବାକୁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛି । ଝିଅ ବୋହୁଙ୍କ ଇଜ୍ଜତ ତୁମ ଭରସାରେ ବଞ୍ଚିରହିଛି । ତୁମକୁ ଧରାଇଦେଇ ସେଇ ରକ୍ଷାସଙ୍କ ପଇସାରେ ମୁଁ ମୋ ଝିଅକୁ ବିବାହ ଦେଇ ପରିବିନାହିଁ । ଆଉ ଏକ ରକ୍ଷା ସୂତ୍ରକୁ ବାନ୍ଧି ଦେଇ ଦେଶ ସେବାର ବଚନ ଦେଲେ । ସକାଳ ପହିଲା ବେଳକୁ ଆଜାଦ ଘରୁ ଚାଲି ଯାଇଥିଲେ । ଆଉ ତକିଆ ତଳେ ରଖିଯାଇଥିଲେ ୫,୦୦୦ ଟଙ୍କା ସହ ଏକ ଚିଠି । ସେଥିରେ ଲେଖା ଥିଲା, “ପ୍ରିୟ ଭଉଣୀ, ରାକ୍ଷୀ ବନ୍ଧା ଭେଟି ସ୍ୱରୂପ ଏହାକୁ ଗ୍ରହଣ କର ।”
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା