ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆକୁ ବିଜେଡିର ସଭା ମଣ୍ଡପ କରିବା ପାଇଁ ପ୍ରୟାସ:ଗଞ୍ଜାମ ଜିଲ୍ଲା ବିଜେପିର ତୀବ୍ର ବିରୋଧ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ସର୍ବପୂରାତନ ତଥା ଏକମାତ୍ର ବିମାନ ଉଡ଼ାଣ ପଡ଼ିଆ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କୁ ରାଜ୍ୟ ସରକାର ବିମାନ ବନ୍ଦରରେ ପରିଣତ କରିବା ଦିଗରେ ଆନ୍ତରିକତା ଦେଖାଇବା ପରିବର୍ତ୍ତେ ଏହାକୁ ବିଜେଡ଼ି ସଭା ମଣ୍ଡପରେ ପରିଣତ କରିବା ଘଟଣାକୁ ଗଞ୍ଜାମ ଜିଲ୍ଲା ବିଜେପି ବିରୋଧ କରିଛି । ବିଜେଡ଼ି ପକ୍ଷରୁ ଏଠାରେ ସଭା ମଣ୍ଡପ ନିର୍ମାଣ ଦ୍ୱାରା ଏୟାରଷ୍ଟ୍ରିପ୍ ର ସୌନ୍ଦର୍ଯ୍ୟରେ ହୋଇଥିବା କ୍ଷତିର ଭରଣା ବିଜେଡ଼ି ଠାରୁ ଆଦାୟ କରାଯାଉ ବୋଲି ଦଳ ପକ୍ଷରୁ ଦାବି ହୋଇଛି । ଏଥିସହ ଏହି ଏୟାରଷ୍ଟ୍ରିପ୍ ର ଐତିହ୍ୟ ବଜାୟ ରଖିବା ପାଇଁ ଗଞ୍ଜାମ ଜିଲ୍ଲାର ସାଧାରଣ ଜନତାଙ୍କ ସ୍ୱାଭିମାନ ଦୃଷ୍ଟିରୁ ଏଠାରେ ସଭାକୁ ବନ୍ଦ କରି ଅନ୍ୟତ୍ର କରିବା ପାଇଁ ନିର୍ଦ୍ଦେଶ ଦେବାପାଇଁ ଦାବି କରାଯାଇଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଭାରତ ସ୍ୱାଧୀନ ହେବାର ବହୁ ପୂର୍ବରୁ ୧୯୪୨ ମସିହାରେ ନିର୍ମାଣ ହୋଇଥିବା ବେଳେ ଶାସକ ଦଳର କୁଚକ୍ରାନ୍ତରେ ଏହା ଧ୍ୱଂସ ହେବାକୁ ବସିଛି । ଏହାକୁ ସବୁଦିନିଆ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତାହା ହୋଇପାରୁନାହିଁ ବୋଲି ଅଭିଯୋଗ କରିଛି ବିଜେପି । ଓଡ଼ିଶା ଇତିହାସରେ ବ୍ରହ୍ମପୁର ସହର ସମୃଦ୍ଧଶାଳୀ ଅଂଚଳ ଭାବେ ସୁଖ୍ୟାତି ଅର୍ଜନ କରିଥିବା ବେଳେ ଏଠାକାର ବାଣିଜ୍ୟ,ଶିକ୍ଷା,ସ୍ୱାସ୍ଥ୍ୟର ବିକାଶ ସହ ଗମନାଗମନ ସଡ଼କ ପରିବହନ ସହ ଆକାଶମାର୍ଗରେ ଯାତାୟତ ନିମନ୍ତେ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ବେଳେ ବିମାନବନ୍ଦର ପାଇଁ  ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଏକମାତ୍ର ବିକଳ୍ପ । ଯାହାଫଳରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁ ବ୍ରହ୍ମପୁର ଗସ୍ତ ସମୟରେ କହିଥିଲେ ଯେ ରାଜ୍ୟ ସରକାର ଜମି ଯୋଗାଇ ଦେଲେ କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନାରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ କୁ ସାମିଲ୍ କରି ଏହାକୁ ବିମାନ ବନ୍ଦରରେ ପରିଣତ ଦିଗରେ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ସରକାର ରନୱେ ଓ ଜମି ପରିସରକୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ଜମି ଯୋଗାଇବା ପରିବର୍ତ୍ତେ ଦଳୀୟ ସଭା ମଣ୍ଡପ କରିବା ଦୁର୍ଭାଗ୍ୟଜନକ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେଣୁ ରାଜ୍ୟ ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲ ବିଜେପି ଦାବି କରିବା ସହ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ବିଭୂତି ଭୁଷଣ ଜେନା, ସୁନୀଲ୍ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗି, ଶରତ ସାହୁ, ରବିନ୍ଦ୍ର ସାହୁ, ଶିବ ଅଧିକାରୀ, ବି.ପି ଚୌଧୁରୀ, ରାଜେଶ କୁମାର ସାହୁ, ଗୋପୀନାଥ ପଣ୍ଡା ପ୍ରମୁଖ ବହୁ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା