ରାଇବଣିଆରେ ହାତୀ ଆତଙ୍କ ଅବ୍ୟାହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘଦିନ ଧରି ରାଇବଣିଆ ଅଞ୍ଚଳରେ ହାତୀ ଅତଙ୍କ ଜାରି ରହିଥିବା ବେଳେ ଅଦ୍ୟାବଧି ୧୫ ପରିବାରର ବାସଗୃହ ଧ୍ୱଂସ ହୋଇଛି । ଅନ୍ୟପକ୍ଷରେ ହାତୀ କଚାଡିମାରିଥିବା ବ୍ୟକ୍ତିର ପରିବାରକୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି । ଶିମିଳିପାଳର ୧୮ଟି ହାତୀ ୧୫ଟି ବାସଗୃହ ଭାଙ୍ଗି ଦେଇଥିବା ବେଳେ ବାହାଦୁର ହାଁସଦା (୬୫)କୁ କଚାଡି ମାରି ଦେଇଥିଲା । ୧୮ଟି ହାତୀ ମଧ୍ୟରୁ ୧୨ଟି ପଶ୍ଚିମବଙ୍ଗର ଘାସମାରି ଜଂଗଲରେ ଥିଲା ବେଳେ ଅନ୍ୟ ୬ଟି ଗତ ରାତିରେ ମୟୂରଭଞ୍ଜର ରଙ୍ଗାମାଟିଆରେ ପ୍ରବେଶ କରିଥିଲେ । ଜଳେଶ୍ୱର ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ହାତୀମାନଙ୍କୁ ଘଉଡାଇ ଦେଇଥିଲେ ମଧ୍ୟ ଆଜି ରାଇବଣିଆର ଲୋପାପଦା ଜଂଗଲରେ ଅଦ୍ୟାବଧି ରହିଛନ୍ତି । ଗତ ରାତିରେ ଫୁଲଝରୀ ଗାଁର ଭାଗବତ ପାତ୍ରଙ୍କ ଘର ଭାଂଗିଛନ୍ତି । ଆଜି ରେଞ୍ଜର ଶ୍ରୀ ପାତ୍ର ଓ ଫରେଷ୍ଟର ତପନ ସିଂ ପ୍ରମୁଖ ମୃତ ବାହାଦୁର ମାରାଣ୍ଡିର ବିଧବା ପତ୍ନୀକୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ୩ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା