ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଦ୍ୱିତୀୟ ଜୀବନ ନେଲା କରୋନା ଭାଇରସ୍ । ମଙ୍ଗଳବାର ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ କରୋନା ରୋଗୀ ନିଜର ପ୍ରାଣ ହରାଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁବରଣ କରିଥିବା ଏହି ଆକ୍ରାନ୍ତ ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ମଙ୍ଗଳବାର ସେ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ସେ କରୋନା ଭାଇରସ୍ ସହିତ ଅନ୍ୟ କେତେକ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ହାଇପରଟେନସନ, ଡାଇବେଟିସ୍ ଓ କିଡନୀ ଜନିତ ରୋଗରେ ସେ ଆକ୍ରାନ୍ତ ଥିଲେ ବୋଲି କୁହାଯାଇଛି । ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୭ଟି ପଜିଟିଭ୍ କେସ୍ ସାମନାକୁ ଆସିଥିଲା ବେଳେ ସେଥିମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଏବେ ବି ୧୧୫ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ରିପୋର୍ଟ : ଆକାଶ ମିଶ୍ର