ରାଜ୍ୟରେ ୪ହଜାରକୁ ଅଧିକ ଡେଙ୍ଗୁ ରୋଗୀ

ଭୁବନେଶ୍ୱର – ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୪ହଜାରକୁ ଟପିଯାଇଛି । ସରକାରୀ ହିସାବରେ ଯଦିଓ ମୃତ୍ୟୁସଂଖ୍ୟା ୫ ରହିଛି ତଥାପି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ।ଡେଙ୍ଗୁ ସଂକ୍ରାନ୍ତରେ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ୍‍ ଡେଙ୍ଗୁରୋଗୀଙ୍କ ସଂଖ୍ୟା ୪୩୧୭ରେ ପହଞ୍ôଚ ଥିବାବେଳେ ଖୋରଧା ଜିଲ୍ଲା ପୂର୍ବଭଳି ପ୍ରଥମସ୍ଥାନ ବଜାୟ ରଖିଛି । ଏହି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୮ ହୋଇଥିବାବେଳେ ବର୍ତ୍ତମାନସୁଦ୍ଧା ମାତ୍ର ଜଣେ ମୃତ୍ୟୁବରଣ କରିଛନ୍ତି ।ସେହିଭଳି ଜଗତ୍‍ସିଂହପୁର ଜିଲ୍ଲାରେ ୭୭୭ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ କଟକ ଜିଲ୍ଲାରେ ୬୮୨, ରାୟଗଡାରେ ୨୦୨, ଯାଜପୁରରେ ୨୦୧, କେନ୍ଦ୍ରାପଡାରେ ୧୮୭, ନୟାଗଡରେ ୧୬୧ ଓ କଳାହାଣ୍ଡି ଜିଲ୍ଲାରେ ୧୫୪ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛି ।ତାଲିକାରେ ରାଜ୍ୟ ବାହାରର ୫୬ ଜଣ ଡେଙ୍ଗୁ ଆକ୍ରାନ୍ତ ଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାରେ ଜଣେ ହେଲେ କେହି ଡେଙ୍ଗୁରେ ଆକ୍ରାନ୍ତ ହୋଇନାହାନ୍ତି । ସେହିଭଳି ଖୋରଧା, ଜଗତ୍‍ସିଂହପୁର, ପୁରୀ, କେନ୍ଦୁଝର ଓ ରାୟଗଡା ଜିଲ୍ଲାରେ ଗୋଟିଏ କରି ଡେଙ୍ଗୁ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜିଲ୍ଲା ଗୁଡିକରେ କୌଣସି ଡେଙ୍ଗୁ ଆକ୍ରାନ୍ତ ମୃତ୍ୟୁମୁଖରେ ପଡିଥିବା ସରକାରୀ ଭାବେ ଦର୍ଶାଯାଇନାହିଁ ।ଆଜି ସୁଦ୍ଧା ସମଗ୍ର ରାଜ୍ୟରେ ୨୨,୬୨୮ଟି ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୩୧୭ଟିରେ ଡେଙ୍ଗୁ ଥିବା ଜଣାପଡିଛି । ଗତବର୍ଷ ଏହି ସମୟ ମଧ୍ୟରେ ୧୫,୮୪୬ଟି ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୨୬୧୦ଟିରେ ଡେଙ୍ଗୁ ଥିବା ଚିହ୍ନଟ ହୋଇଥିଲା ।କର୍ତ୍ତୃପକ୍ଷଙ୍କ ପାଇଁ ଆଶ୍ୱାସନାର ବିଷୟ ହେଉଛି ଯେ ଚଳିତମାସରେ ଗତବର୍ଷ ତୁଳନାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ୨୦୧୭ ମସିହାରେ ଅକ୍ଟୋବର ମାସରେ ୨୨୨୮ଟି ରକ୍ତ ନମୂନାରୁ ୬୨୩ଟି ପଜିଟିଭ୍‍ ବାହାରି ଥିବାବେଳେ ଚଳିତବର୍ଷ ୩୦୮୭ଟି ନମୂନାରୁ ୪୪୬ଟିରେ ଡେଙ୍ଗୁ ଥିବା ଜଣାପଡିଛି ।ରାଜ୍ୟ ସରକାର ମ୍ୟାଲେରିଆକୁ ସଫଳତାର ସହ ମୁକାବିଲା କରି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବାବେଳେ ଡେଙ୍ଗୁ କିନ୍ତୁ ଚିନ୍ତା ବଢାଇବାରେ ଲାଗିଛି । ଏହି ରୋଗର ନିୟନ୍ତ୍ରଣ ପାଇଁ ସଚେତନତା ପ୍ରମୁଖ ଅସ୍ତ୍ର ହୋଇଥିବାବେଳେ ଏ ବାବଦରେ ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ୱେ ସେଭଳି ଆଖିଦୃଶିଆ ସଫଳତା ମିଳିପାରୁନାହିଁ । ଡେଙ୍ଗୁ ଏବେ ୨୯ଟି ଜିଲ୍ଲାକୁ କବଳିତ କରି ରଖିଥିବାବେଳେ କର୍ତ୍ତୃପକ୍ଷଙ୍କ ସଚେତନତା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନଚିହ୍ନ ଲାଗିଗଲାଣି ।