ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ ହେଉଅଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ନିର୍ଦ୍ଦେଶାକ୍ରମେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଛି । ଏଥିସହିତ ଛାତ୍ରଛାତ୍ରୀମାନେ ତ୍ରିରଙ୍ଗା ସହ ସେଲଫି ଉଠାଇ www.harghartiranga.com ରେ ଅପଲୋଡ୍‌ କରିବା ପାଇଁ ନିର୍ଦ୍ଦେଶାନାମ ଜାରି ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରତ୍ୟେକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନକୁ ସୁନିଶ୍ଚିତ କରିବେ । ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏହି କ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଡ଼ି ହୋଇଛନ୍ତି । କାର୍ଯ୍ୟକ୍ରମ ଅଗଷ୍ଟ ୯ ରୁ ଅଗଷ୍ଟ ୧୫ ଯାଏଁ ପାଳନ କରାଯାଉଛି ।

ରିପୋର୍ଟ : ରଜତ ମହାପାତ୍ର ଓ ରୋଜାଲିନ୍‌ ସାହୁ, ଲୋକସଂପର୍କ ଅଧିକାରୀ