ରାଜ୍ୟ ବାହାରୁ ଆସି ଜଳେଶ୍ୱର ରେଳ ଷ୍ଟେସନରେ ଓହ୍ଲାଉଥିବା ଯାତ୍ରୀଙ୍କୁ ହେଉ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରନାର ପ୍ରାଦୁର୍ଭାବ ଯୋଗୁଁ ଭାରତ ସରକାରଙ୍କ ନିର୍ଦ୍ଦେଶରେ ହୋଟେଲ, ମଲ, ବଡବଡ ଦୋକାନବଜାର, କାରଖାନା ବନ୍ଦ କରାଯାଉଥିବାରୁ ସେଠାରେ ଅବସ୍ଥାନ କରୁଥିବା ବ୍ୟକ୍ତି ବିଶେଷ ଘରମୁହଁ ହୋଇଛନ୍ତି । ଗତ ୩ଦିନ ଧରି ଜଳେଶ୍ୱର ରେଳ ଷ୍ଟେସନରେ ରାଜ୍ୟ ବହାରୁ ହଜାର ହଜାର ବ୍ୟକ୍ତି ଆସି ଓହ୍ଲାଇ ଗାଁକୁ ଯାଉଥିବାରୁ ସେମାନଙ୍କୁ ରେଳ ଷ୍ଟେସନରେ ପରୀକ୍ଷା ନିରୀକ୍ଷା କରାଯିବାକୁ ଦାବୀ ହୋଇଛି । ଗତ ଶନିବାରଠାରୁ ଭୁବନେଶ୍ୱର ଓ ଖଡଗପୁର ପଟୁ ଆସୁଥିବା ନିଳାଚଳ ସୁପରଫାଷ୍ଟ, ଧଉଳୀ ସୁପରଫାଷ୍ଟ, ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ଇଷ୍ଟକୋଷ୍ଟ, ଉତ୍କଳ ଏକ୍ସପ୍ରେସ୍‌, ସମ୍ପର୍କକ୍ରାନ୍ତି, ଭିଲୁପୁରମ୍‌-ପୁରୁଳିଆ, ନନ୍ଦନକାନନ, ଜନଶତାବ୍ଦି, ଶାନ୍ତ୍ରାଗାଛି-ତିରୁପତି, ଶାନ୍ତ୍ରାଗାଛି-ସିକନ୍ଦରାବାଦ, ଶାନ୍ତ୍ରାଗାଛି-ମାଙ୍ଗାଲୋର, ଦୀଘା-ବିଶାଖାପାଟଣା, ଦୀଘା-ପୁରୀ, ସାଲିମାର – ଚେନ୍ଦାଇ, ପାଟଣା-ଏନାକୁଲମ ଇତ୍ୟାଦି ଏକ୍ସପ୍ରେସ ଟେନ୍ ଦ୍ୱାରା ଦିଲ୍ଲୀ, ମୁମ୍ବାଇ, ଆହାଲାବାଦ, ଲକ୍ଷେ୍ମø, କୋଲକତା, ଜାମସେଦପୁର, ସୁରଟ, ଆନ୍ଧ୍ରପ୍ରଦେଶ, ଚେନ୍ନାଇ, ବାଙ୍ଗାଲୋର ପ୍ରଭୃତି ସ୍ଥାନରେ ଥିବା ହୋଟେଲ, କାରଖାନା, ବ୍ୟବସାୟ କେନ୍ଦ୍ରରେ ଥିବା ଲୋକେ ଜଳେଶ୍ୱର ଫେରୁଛନ୍ତି । ଏଠାରୁ ସେମାନେ ବସ୍‌, ପିକ୍‌ଅପ୍‌, ମ୍ୟାଜିକ୍‌, ଟେମ୍ପୋ, ଟ୍ୟାକ୍ସି ଏପରିକି ଟ୍ରକ୍‌ରେ ମଧ୍ୟ ଭିଡାଭିଡି ହୋଇ ଯାତାୟାତ କରୁଛନ୍ତି । କେବଳ ଯାନଗୁଡିକରେ ସିଟ୍ ଅନୁଯାଇ ଯିବାର ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଏଥିପ୍ରତି କୌଣସି କଟକଣା ଦେଖିବାକୁ ମିଳୁନାହିଁ । ଏ ଗୁଡିକ ପ୍ରତି ଗୁରୁତ୍ୱ ଦେଇ ଜଳେଶ୍ୱର ରେଳ ଷ୍ଟେସନରେ ଆପାତତ ସନ୍ଦୋହ କରୁଯାଉଥିବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା ନିରୀକ୍ଷା କରାଯିବାକୁ ଜନସାଧାରଣ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା