ରାବଣ ଚରିତ୍ର ଜଣେ ଖଳନାୟକ ଭାବେ ସାଧାରଣରେ ଜଣାଶୁଣା । ତାଙ୍କୁ ବିଦ୍ୱାନ ଭାବେ ଲୋକେ ସ୍ୱୀକାର କରିବା ସହ ତ୍ରେତୟା ଯୁଗର ସବୁଠୁ ହୀନପ୍ରାଣୀ ବୋଲି ମଧ୍ୟ ଆଖ୍ୟା ଦିଆଯାଏ । ସାଧାରଣ ଭାବେ ଯେତେବେଳେ ରାବଣଙ୍କ କଥା ଉଠେ ସେତେବଳେ ଆମ ମନରେ ଏକ ନକରାତ୍ମକ ଛବି ଭାସି ଉଠେ ଏବଂ ଆମେ ତାଙ୍କ ଅଵଗୁଣ ଦେଖିବାରେ ଲାଗୁ । କିନ୍ତୁ ସେ ଯେଉଁ ଯୁଗରେ ଥିଲେ ସେହି ସମୟରେ ତାଙ୍କ ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଦ୍ୟା ମଧ୍ୟ ଥିଲା । ଆସନ୍ତୁ ଏହି ବିଷୟରେ ନଜର ପକାଇବା ।
ହନୁମାନ ମଧ୍ୟ ରାବଣଙ୍କ ଜ୍ଞାନରେ ପ୍ରଭାବିତ ହୋଇଥିଲେ
ମହର୍ଷି ବାଲ୍ମିକୀ ତାଙ୍କ ରାମାୟଣରେ ରାବଣଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ଯେତେବେଳେ ମାତା ସୀତାଙ୍କୁ ଖୋଜି ଖୋଜି ହନୁମାନ ଲଙ୍କାରେ ପହଁଞ୍ଚିଲେ ସେତେବେଳେ ସେ ମଧ୍ୟ ରାବଣଙ୍କ ଗୁଣ ପ୍ରତି ଆକର୍ଷିତ ହୋଇଯାଇଥିଲେ । ରାମାୟଣରେ କୁହାଯାଇଛି- ଲଙ୍କା ଓ ରାବଣଙ୍କୁ ଦେଖି ହନୁମାନ କହିଥିଲେ ’ରାବଣ ରୂପ-ରଙ୍ଗ, ସୌନ୍ଦର୍ଯ୍ୟ, ଧୈର୍ଯ୍ୟ, କାନ୍ତି ତଥା ସର୍ବଲକ୍ଷଣଯୁକ୍ତ ବୀର ପୁରୁଷ ଅଟନ୍ତି । ଯଦି ରାବଣଙ୍କ ନିକଟରେ ଅଧର୍ମ ଅଧିକ ବଳବାନ ନଥାନ୍ତା ତେବେ ସେ ଦେବଲୋକର ମଧ୍ୟ ସ୍ୱାମୀ ହୋଇପାରିଥାନ୍ତେ ।
ପର୍ବତରେ ହାତ ଦବି ରହିଥିବା ବେଳେ ଶିବ ତାଣ୍ଡବ ସ୍ତ୍ରୋତ ରଚନା କରିଥିଲେ
ଶିବ ତାଣ୍ଡବ ସ୍ତ୍ରୋତ ରଚନା ସମ୍ପର୍କରେ କୁହାଯାଏ ଯେ, ଥରେ ରାବଣ ନିଜ ଶକ୍ତିର ମଦରେ ଏତେ ମତୁଆଲା ହୋଇଗଲେ ଯେ ଭଗବାନ ଶିବଙ୍କ କୈଳାଶ ପର୍ବତକୁ ଉଠାଇଦେଇଥିଲେ । ସେ ସମୟରେ ଭଗବାନ ଶିବ ତାଙ୍କର ପାଦର ଗୋଟିଏ ଅଙ୍କୁଳିରେ କୈଳାଶ ପର୍ବତର ଓଜନ ବଢ଼ାଇଦେଇଥିଲେ ଏବଂ ରାବଣ ତାହାକୁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଉଠାଇ ରଖି ପାରିଲେ ନାହିଁ । ଫଳରେ ତାଙ୍କ ହାତ ପର୍ବତ ତଳେ ଚାପି ହୋଇଗଲା । ବହୁତ ଚେଷ୍ଟା କରିବା ପରେ ମଧ୍ୟ ରାବଣ ତାଙ୍କ ହାତ ପର୍ବତ ଚାପରୁ ମୁକୁଳାଇପାରିନଥିଲେ । ସେତେବେଳେ ରାବଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସେହି ସମୟରେ ଶିବ ତାଣ୍ଡପ ସ୍ତ୍ରୋତ ରଚନା କରିଥିଲେ । ସେଥିରେ ଭଗବାନ ଶିବ ପ୍ରସନ୍ନ ହୋଇଥିଲେ ଏବଂ ତାଙ୍କୁ ମୁକ୍ତ କରିଦେଇଥିଲେ ।
ରାବଣଙ୍କ ଭଳି ପ୍ରଖର ବୁଦ୍ଧି କାହାର ନାହିଁ
ରାବଣଙ୍କ ଜ୍ଞାନ ସମ୍ପର୍କରେ କୁହାଯାଏ, ତାଙ୍କ ସମାସ୍କନ୍ଦ ପ୍ରଖର ବୁଦ୍ଧିମାନ ପ୍ରାଣୀ ପୃଥିବୀରେ କେହି ଦ୍ୱିତୀୟ ନାହାନ୍ତି କିମ୍ବା କେହି ନଥିଲେ । ମାନବ ମସ୍ତିଷ୍କରେ ବୁଦ୍ଧି ଓ ଜ୍ଞାନର ଭଣ୍ଡାର ରହିଥାଏ । ଏହା ବଳରେ ସେ ଯାହା ଇଚ୍ଛା ତାହା ହାସଲ କରିପାରେ । କିନ୍ତୁ ରାବଣଙ୍କର ୧୦ଟି ଶିର ଅର୍ଥାତ ୧୦ ମସ୍ତ୍ରିଷ୍କର ଜ୍ଞାନ ଥିଲା ।
ଭଗବାନ ଶିବ ରାବଣଙ୍କ ଦ୍ୱାରା ମାତା ପାର୍ବତୀଙ୍କ ପାଇଁ ଲଙ୍କାଗଡ଼ ନିର୍ମାଣ କରାଇଥିଲେ
ରାବଣ ବାସ୍ତୁ ଶାସ୍ତ୍ରର ବହୁତ ବଡ଼ ଜ୍ଞାତା ଥିଲେ । କୁହାଯାଏ, ମାତା ପାର୍ବତୀଙ୍କ ପାଇଁ ମହଲ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ଭଗବାନ ଶଙ୍କର ରାବଣଙ୍କ ହାତରେ ଅର୍ପଣ କରିଥିଲେ । ସେତେବେଳେ ରାବଣ ସୁନାର ଲଙ୍କା ନିର୍ମାଣ କରିଥିଲେ । ଭଗବାନ ଶିବ ଗୃହପ୍ରବେଶ ପୂଜା ପାଇଁ ମଧ୍ୟ ରାବଣଙ୍କୁ ପୁରୋହିତ ଭାବେ ନିମନ୍ତ୍ରିତ କରିଥିଲେ । ପୂଜା ପରେ ଯେତେବେଳେ ଦକ୍ଷିଣ ଦେବା ସମୟ ଆସିଲା, ରାବଣ ସେହି ସ୍ୱର୍ଣ୍ଣଲଙ୍କାକୁ ହିଁ ଭଗବାନଙ୍କ ଠାରୁ ଦକ୍ଷିଣା ଆାକାରରେ ମାଗି ନେଇଥିଲେ ।
ତପ ବଳରେ ଗ୍ରହ ମାନଙ୍କୁ ଦାସ ବନାଇଥିଲେ
ରାବଣ ଜଣେ ମହାତପସ୍ୱୀ ଥିଲେ । ନିଜ ତପ ବଳରେ ହିଁ ସେ ସମସ୍ତ ଦେବତା ଓ ଗ୍ରହମାନଙ୍କୁ ନିଜ ପକ୍ଷକୁ ନେଇ ଆସିଥିଲେ । କଠିନ ତପସ୍ୟାରେ ବ୍ରହ୍ମା ପ୍ରସନ୍ନ ହୋଇ ତାଙ୍କୁ ଅମରତା ଓ ବିଦ୍ୱତା ବରଦାନ ଦେଇଥିଲେ । ବଜରଙ୍ଗବାଲି ହନୁମାନ ସୀତାଙ୍କୁ ଖୋଜିବା ବେଳେ ଶନି ଦେବଙ୍କୁ ବନ୍ଦୀ ଥିବା ଦେଖି ରାବଣ କବଳରୁ ମୁକ୍ତ କରାଇଥିଲେ ।
କବି ଓ ଆୟୁର୍ବେଦର ଜ୍ଞାତା ଥିଲେ ରାବଣ
ବେଦର ଋଚା ଗୁଡ଼ିକୁ ଅନୁସନ୍ଧାନ କରି ରାବଣ ବିଜ୍ଞାନର ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିଲେ । ରାବଣଙ୍କୁ ଆୟୁର୍ବେଦ ବିଷୟରେ ମଧ୍ୟ ଜଣାଥିଲା । ସେ ଜଣେ ମହାନ କବି ମଧ୍ୟ ଥିଲେ । ତାଙ୍କର ଏହି ଜ୍ଞାନ କୌଶଳ ଶିବ ତାଣ୍ଡବ ସ୍ତ୍ରୋତରେ ଦେଖିବାକୁ ମିଳେ । ପର୍ବତ ଚାପାରେ ପୀଡା ଭୋଗିବା ଅବସ୍ଥାରେ ମଧ୍ୟ ରାବଣ ଏହି କଳା ବଳରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିଥିଲେ । ରାବଣଙ୍କୁ ରସାୟନ ଶାସ୍ତ୍ର ତଥା କେମିଷ୍ଟ୍ରି ବିଷୟରେ ମଧ୍ୟ ଜ୍ଞାନ ଥିଲା । ଏହି ଜ୍ଞାନ ବଳରେ ସେ ଅନେକ ବିରଳ ଶକ୍ତି ହାସଲ କରିଥିଲେ ଏବଂ ସେହି ଶକ୍ତି ବଳରେ ସେ ଅନେକ ଚମତ୍କାରିକ କାର୍ଯ୍ୟ ସମ୍ପନ୍ନ କରିପାରୁଥିଲେ ।