


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୂଚନା ଅନୁଯାୟୀ ଗସ୍ତକାଳରେ ସେ ପ୍ରଥମେ ଭୁବନେଶ୍ୱର ଓ ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ରାଷ୍ଟ୍ରପତି ଆଜି ଅର୍ଥାତ ୨୭ ରିଖ ଶୁକ୍ରବାର ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଓହ୍ଲାଇବେ । ସେଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜକୁ ଯାଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ରାତ୍ରିଯାପନ କରିବେ । ପରେ ଅର୍ଥାତ ୨୮ ତାରିଖ ସକାଳେ ପୁଣି ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମରେ ସାମିଲ ହୋଇ ପୁଣି ବିମାନ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ । ଏଥିପାଇଁ ଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୁରକ୍ଷା ସହିତ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ରଙ୍ଗେଇଲୁଣ୍ଡା ବିମାନବନ୍ଦର ଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ପର୍ଯ୍ୟନ୍ତ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ ସଶସ୍ତ୍ର ବଳ ସହିତ ୧୦୦ଜଣ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ମୁତୟନ କରାଯାଇଥିବା ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଗତକାଲି ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବାୟୁ ସେନାର ଏକ ହେଲିକେପ୍ଟର ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଆଗୁଆ ଯାଞ୍ଚ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




