

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗଜପତି ଶାଖା ପକ୍ଷରୁ ଏକ ରାଷ୍ଟ୍ରୀୟ ଜାଗରଣ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଗତ ୧୨ ତାରିଖ ବିବେକାନନ୍ଦଙ୍କ ଜୟନ୍ତୀରେ ଏହି ସମାବେଶ ହେବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ପାରଳା ମହାରାଜା ଗୋପିନାଥ ଗଜପତି ନାରାୟଣ ଦେବଙ୍କ ମୃତ୍ୟୁ ଯୋଗୁଁ ଏହି କାର୍ଯ୍ୟକ୍ରମ ଉକ୍ତ ଦିନ ବାତିଲ କରାଯାଇ ଆଜି ରବିବାର ଦିନ ଆୟୋଜନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ପ୍ରାୟ ହଜାରରୁ ଅଧିକ ସେବକ ଯୋଗଦେଇ ପାରମ୍ପରିକ ଶୈଳୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବସ୍ତ୍ର ପରିଧାନ କରି ହାତରେ ଲାଠି ଧରି ସ୍ଥାନୀୟ କଲେଜ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରେଳ ଷ୍ଟେସନ ନିକଟସ୍ଥ ପଡ଼ିଆରେ ପହଞ୍ଚି ଥିଲେ । ସେଠାରେ ଏହି ସ୍ୱୟଂସେବକମାନେ ନିୟୁଧ କ୍ରୀଡ଼ା ପ୍ରଦର୍ଶନ କରିଥିଲେ । ମୁଖ୍ୟତଃ ବିନା ଅସ୍ତ୍ରଶସ୍ତ୍ରରେ କିପରି ଆତ୍ମ ସୁରକ୍ଷା କରାଯାଇପାରିବ ସେ ବିଷୟରେ ଲୋକ ମାନଙ୍କୁ ଏବଂ ଯୁବକ ମାନଙ୍କୁ ସଚେତନ କରିବା ପାଇଁ ଏହି ପରି ପ୍ରଦର୍ଶନ କରାଯାଇଥିଲା । ପରେ ଅନୁଷ୍ଠିତ ଏକ ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଜୀରାଙ୍କ ସ୍ଥିତ ବୌଦ୍ଧ ମନ୍ଦିରର ମୁଖ କେମ୍ପୁ ପେସା ଖେମ୍ପୁ ଯୋଗଦେଇ ଏହି ପରି ଯୁବ ଜାଗରଣ କାର୍ଯ୍ୟକ୍ରମ ଦ୍ୱାରା ଯୁବକମାନେ ଅନେକ କିଛି ଶିକ୍ଷା ହାସଲ କରିପାରିବେ ବୋଲି ସେ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ପୂର୍ବ କ୍ଷେତ୍ର କାର୍ଯ୍ୟ ବାହାକ ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ଯୁବକମାନେ ଆଜିକାଲି ବିଭିନ୍ନ କୁସଂସ୍କାର ଦିଗକୁ ଆକଷିତ ହୋଇଥିବା ବେଳେ ଏପରି ଯୁବ ଜାଗରଣ କାର୍ଯ୍ୟକ୍ରମ ଦ୍ୱାରା ସେମାନେ ସଂସ୍କାର ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ପରିଚାଳିତ ହୋଇପାରିବ ବୋଲି ସେ କହିଥିଲେ । ଅନ୍ୟ ପକ୍ଷରେ ବର୍ତ୍ତମାନ ଦେଶରେ ଯେଉଁ ନାଗରିକ ସଂଶୋଧନ ଆଇନ ଗୃହୀତ ହୋଇଛି ତାହା ନାଗରିକ ମାନଙ୍କ ଅଧିକାର ପାଇଁ ତିଆରି ହୋଇଛି ଏବଂ ସାଧାରଣ ଲୋକଙ୍କ ନାଗରିକତ୍ୱ ପ୍ରଦାନ କରାଯାଇଛି ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ସେହିପରି ବର୍ତ୍ତମାନ ଯୁବ ସମାଜ ଭୁଲ ଦିଗରେ ପରିଚାଳିତ ନହୋଇ ନିଜକୁ ସଠିକ ମାର୍ଗରେ ପରିଚାଳିତ କଲେ ଏକ ସୁନ୍ଦର ଦେଶ ଏବଂ ସଂସ୍କାର ଧର୍ମୀ ଦେଶଗଠନ ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ ଯୁବ ସମାଜକୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲାର ଖଣ୍ଡବୈଦ୍ଧିକ ପ୍ରଚାରକ ଆପଲ୍କାରାଜୁ, ଗଂଜାମ ବିଭାଗର ସଂଘଚାଳକ ଡ. ପ୍ରଭାକର ସାହୁ, ଗଂଜାମ ଜିଲ୍ଲା ସଂଘ ଚାଳକ ଅନାଦି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁପ୍ରାଣୀତ ବେହେରା ଓ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ପ୍ରାୟ ହଜାର ସ୍ୱୟଂ ସେବକ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



