ଭୁବନେଶ୍ୱର(ସମୃଦ୍ଧଓଡିଶା) ବର୍ତ୍ତମାନ ସମୟରେ ରାଷ୍ଟ୍ରର ମାନବ ସମ୍ବଳର ସଦ୍ ବିନିଯୋଗ, ଭୂସମ୍ବଳର ଆଧୁନିକୀକରଣ ଏବଂ ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ ସମସ୍ତେ ହାତ ମିଳାଇବା ଆବଶ୍ୟକ । ଏ ଦିଗରେ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଏକ ସମୃଦ୍ଧ ଭାରତ ଗଠନରେ ସଫଳତା ମିଳିବା ବିଳମ୍ବ ହେବନାହିଁ ବୋଲି ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ କହିଛନ୍ତି । ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୋମବାର ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ଠାରେ ପ୍ରଶାନ୍ତ କୁମାର କରଙ୍କ ଦ୍ୱାରା ‘ପରିକଳ୍ପନା’ ନାମକ ଏକ ପୁସ୍ତିକାର ଉନ୍ମୋଚନ ଅବସରରେ ନ୍ୟାୟମୂର୍ତ୍ତି ଶ୍ରୀ ରଥ ପରିବର୍ତ୍ତନ ପାଇଁ ଆବଶ୍ୟକ ହେଉଥିବା ଇଚ୍ଛାଶକ୍ତି ଯେତେ କମ୍ ହେଲେ ବି ମିଳିତ ଇଚ୍ଛାଶକ୍ତି ସମସ୍ତ ପ୍ରତିବନ୍ଧକକୁ ଦୂର କରିପାରେ ବୋଲି କହିଛନ୍ତି । ପରିକଳ୍ପନା ପୁସ୍ତିକାର ଲେଖକ ପ୍ରଶାନ୍ତ କୁମାର କର ଏକ ସମୃଦ୍ଧ ରାଷ୍ଟ୍ରର ସ୍ୱପ୍ନ ଦେଖି ମାନବ ସମ୍ବଳର ସୁପରିଚାଳନା କ୍ଷେତ୍ରରେ ବର୍ତ୍ତମାନ ରହିଥିବା ସମସ୍ୟା, ଏସବୁର ସମାଧାନ ନିମିତ୍ତ ଉପାୟ ଏବଂ ସମ୍ଭାବ୍ୟ ଉପକାର ସମ୍ପର୍କରେ ଆଲୋଚନା କରିଥିଲେ । ଆହୁରି ମଧ୍ୟ ଭାରତର ପ୍ରାକୃତିକ ଭୂସମ୍ବଳର ଏବଂ ଆର୍ଥିକ ସମ୍ବଳର ସୁବିନିଯୋଗ ସହିତ ନିର୍ବାଚନରେ ସଂସ୍କାର ପାଇଁ କେତେଗୁଡ଼ିଏ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ କରାଗଲେ ଦେଶର ସମସ୍ତ ନାଗରିକଙ୍କ ନିକଟରେ ଉପକାର ପହଞ୍ôଚବା ସହିତ ଏକ ବିରାଟ ପରିବର୍ତ୍ତନ ହୋଇପାରିବ ବୋଲି ଶ୍ରୀ କର କହିଥିଲେ । ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଡଃ ଆଦିତ୍ୟ ମହାନ୍ତି ପୁସ୍ତକଟିର ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତଙ୍କର ମତାମତ ଏହି ସ୍ୱପ୍ନ ପୂରଣ ଦିଗରେ ପ୍ରେରଣା ହୋଇପାରିବ ବୋଲି କହିଛନ୍ତି । ଏ ପ୍ରସଙ୍ଗରେ ବିଭିନ୍ନ ଦାର୍ଶନିକ ଗ୍ରନ୍ଥର ଅବତାରଣା କରିବା ସହ ସଫଳତା ପ୍ରାପ୍ତିରେ ନଥାଏ, ବରଂ ଚେଷ୍ଟାରେ ଥାଏ ବୋଲି କହି ରାସ୍ତା ଦେଖାଯାଉ ନଥିଲେ ମଧ୍ୟ ଆଗେଇଯିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ବକ୍ତବ୍ୟର ଅବତାରଣା କରି ଏହି ପୁସ୍ତକରେ ରହିଥିବା ସ୍ୱପ୍ନ ପୂରଣ କ୍ଷେତ୍ରରେ ସଫଳତା ନ ମିଳିଲେ ମଧ୍ୟ ସେପରି ଅବସ୍ଥା ଆସିବା ପୂର୍ବରୁ ଚେଷ୍ଟା କରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି । ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ହିମାଂଶୁ ଶେଖର ଦାଶ ଏହି ପୁସ୍ତିକାର ପରିକଳ୍ପନାର ଆରମ୍ଭ, ପରିସମାପ୍ତି, ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ତ୍ରିଭାଷାରେ ପ୍ରକାଶନ ସହିତ ବଙ୍ଗଳା ଭାଷାରେ ପ୍ରକାଶନର ବିସ୍ତୃତ ସୂଚନା ଦେଇଥିଲେ । ୨୦୨୪ ମସିହାରେ ସମ୍ବଲପୁରସ୍ଥିତ ଆଇଆଇଏମ୍ରେ ଏହି ପୁସ୍ତକ ଲୋକାର୍ପଣ ହୋଇଥିବା ସୂଚନା ଦେଇ ବିନା ମୂଲ୍ୟରେ ଫ୍ଲିପକାର୍ଡ଼ ଓ ଆମାଜନରେ କେବଳ ସେବା ଖର୍ଚ୍ଚ ମାଧ୍ୟମରେ ମିଳିପାରିବ ବୋଲି କହିଥିଲେ । ପୁସ୍ତକ ସମ୍ପର୍କିତ ନିଜର ମତାମତକୁ ଇଣ୍ଟରନେଟ ମାଧ୍ୟମରେ ଦେବା ପାଇଁ ମଧ୍ୟ ଶ୍ରୀ ଦାଶ ଅନୁରୋଧ କରିଥିଲେ । ଏହି ଅବସରରେ ପୁସ୍ତକଟିର ଉନ୍ମୋଚନ ନ୍ୟାୟମୂର୍ତ୍ତି ଶ୍ରୀ ରଥ କରିଥିବା ବେଳେ ଅନଲାଇନରେ ମଧ୍ୟ ଏହାର ଉନ୍ମୋଚନ ହୋଇଥିଲା । ଆଲୋଚନା ପ୍ରାରମ୍ଭରେ ବିଷ୍ଣୁଚରଣ ମିଶ୍ର ଅତିଥିମାନଙ୍କ ପରିଚୟ ଦେଇ ପୁସ୍ତକର ରଚୟିତା ପ୍ରଶାନ୍ତ କୁମାର କର ଯେଉଁ ପରିବେଶରେ ପୁସ୍ତକ ରଚନା କରିଥିଲେ, ତାହାର ବିବରଣୀ ଦେଇଥିଲେ । ଆଦୃତା ଶିଶୁ ସଦନର ଅନ୍ତେବାସୀମାନେ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଏବଂ ଶେଷରେ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର