

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାସ୍ତାକଡରୁ ଦୁର୍ଘଟଣା ଗ୍ରସ୍ତ ହୋଇ ପଡି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଜେଜେଜିଓ । ନିଜ କର୍ମକ୍ଷେତ୍ରରୁ ଫେରିବା ବାଟରେ ହଠାତ ଜେଜେଜିଓର ଅନ୍ୟତମ ଆଡ୍ମିନ ରାଜେନ୍ଦ୍ର ପାତ୍ର ଗୋପାଳପୁର ଓଭୋର ବ୍ରିଜ ନିକଟରେ ଲୋକଙ୍କ ଗହଳି ଦେଖି ଅଟକି ଯାଇ ଦେଖିଲେ ଶ୍ରୀକାନ୍ତ ପାତ୍ର ନାମକ ଜଣେ ବ୍ୟକ୍ତି ଲହୁଲୁହାଣ ଅବସ୍ଥାରେ ପଡିଛନ୍ତି । ସେ ସଂଗେ ସଂଗେ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି କିଛି ସ୍ଥାନୀୟ ଯୁବକଙ୍କ ସହାୟତାରେ ଆହତଙ୍କୁ ନିଜ କାରରେ ବସାଇ ବ୍ରହ୍ମପୁର ଏମକେସିଜି ମେଡିକାଲର ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଇଥିଲେ । ଖବର ପାଇ ବ୍ରହ୍ମପୁର ଜେଜେଜିଓର ଅନ୍ୟତମ ବଡ଼ଭାଇ କାର୍ତ୍ତିକ ପାଣିଗ୍ରାହୀ ମଧ୍ୟ ଏମକେସିଜି ମେଡିକାଲରେ ପହଁଚି ଚିକିତ୍ସା ସମ୍ବନ୍ଧରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ମେଡିକାଲରେ ପହଞ୍ଚି ଆହତଙ୍କ ଆତ୍ମୀୟ ସ୍ୱଜନଙ୍କୁ ଯୋଗାଯୋଗ କରିବାରୁ ଆହତଙ୍କ ସ୍ତ୍ରୀ ଶ୍ରୀମତୀ ଲିପିକା ପାତ୍ର ଓ ଅନ୍ୟମାନେ ବି ମେଡିକାଲରେ ପହଁଚିଥିଲେ । ଆଶୁ ଚିକିତ୍ସା ପରେ ଆହତଙ୍କୁ ଗେଟ ବଜ଼ାର ସ୍ଥିତ ତାଙ୍କ ବାସଭବନରେ ଛାଡ଼ି ଥିଲେ । କଥାରେ ଅଛି ଯାହାର କେହିନାହିଁ ତା ପାଇଁ ଭଗବାନ ଅଛନ୍ତି, ଆଉ ଏକଥା ବି ସତ ଯେ ଭଗବାନ ପ୍ରତି ଯାଗାରେ ପହଞ୍ଚି ପାରନ୍ତିନି, ତେଣୁ କୁହାଯାଏ ନର ଦେହେ ନାରାୟଣ । ଏମିତି ପ୍ରତ୍ୟେକ ଜାଗାରେ ସେ ବ୍ରହ୍ମପୁର ହେଉ ଅବା ଭୁବନେଶ୍ୱର, କଟକ ହେଉ ଅବା କେନ୍ଦ୍ରାପଡା, ଖୋର୍ଦ୍ଧା ହେଉ ଅବା କଳାହାଣ୍ଡି, ପୁରୀ ହେଉ ଅବା ସମ୍ବଲପୁର, ସେ ମଣିଷ ହୁଅନ୍ତୁ ଅବା କଥା କହି ପାରୁନଥିବା ପଶୁପକ୍ଷୀ ସମସ୍ତଙ୍କ ପାଇଁ ସେବାର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ପହଞ୍ଚି ଯାଆନ୍ତି ଜେଜେଜିଓର ସ୍ବେଚ୍ଛାସେବୀ ଭାଇ ଓ ଭଉଣୀମାନେ । କାରଣ ସେମାନେ ଠିକ ବୁଝିଛନ୍ତି ଯଦି ଶିବଙ୍କ ସାନିଧ୍ୟ ପାଇବାର ଅଛି ତ ହେଲେ ଜୀବଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ହେବ । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଆଡ୍ମିନ ଭାଇ ରାଜେନ୍ଦ୍ର ପାତ୍ର, ଭଉଣୀ ମମତା ପାତ୍ର, ବଡ଼ଭାଇ କାର୍ତିକ ପାଣିଗ୍ରାହିଙ୍କ ସମେତ ଅନ୍ୟାନ୍ୟ ସଭ୍ୟସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


