ରାସ୍ତାକଡ଼ ଦୋକାନୀଙ୍କୁ ଆର୍ଥିକ ସହାୟତା ୩ ହଜାର ଟଙ୍କା ଓ ଗାଁରେ ଦୈନିକ ୧୦ଲକ୍ଷ ଗରିବ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ ‘କରୋନା’ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନ୍ୟାନ୍ୟ ଦେଶ ଭଳି ଭାରତରେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଦୈନିକ ମଜୁରୀ ନେଇ ଗୁଜୁରାଣ ମେଣ୍ଟାଉଥିବା ଗରିବ ପରିବାର ଗୁଡିକ ବିଶେଷ ହନ୍ତସନ୍ତ ହୋଇ ଯାଇଥିବା ଶୁଣିବାକୁ ମିଳୁଛି । ଗାଁ ଗହଳରେ ଗରୀବ ପରିବାର ଗୁଡିକ କ୍ରନ୍ଦନ କରିବା ଛଡା ଆଉ କୌଣସି ଉପାୟରେ ବଞ୍ଚିବା କଷ୍ଟ ସାଧ୍ୟ ହୋଇ ଯାଇଛି । ଏହାକୁ ବିଚାର କରି ଏଭଳି ଗରିବ ଓ ନିରାଶ୍ରୟ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଅନେକ ଏଭଳି ଗରିବ ପରିବାର ବର୍ତ୍ତମାନ ଦୈନିକ ମଜୁରୀ ଛଡା ହୋଇ ଲକଡାଉନ ଯୋଗୁଁ ଘରେ ବସି ରହି ଥିବା ଶୁଣିବାକୁ ମିଳୁଛି । ସେଥିପାଇଁ ରାଜ୍ୟର ଗାଁ ଗହଳିରେ ଥିବା ଗରିବ ଓ ନିରାଶ୍ରୟ ବର୍ଗର ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଦୈନିକ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସରକାର ନିଷ୍ପତି ନେଇଥିବା ଜଣାପଡିଛି । ୧୧୪ଟି ପୌରାଞ୍ଚଳରେ ପଞ୍ଜିକୃତ ୬୫ହଜାର ରାସ୍ତାକଡ଼ ଦୋକାନୀଙ୍କୁ ଆର୍ଥିକ ସହାୟତା ୩ହଜାର ଟଙ୍କା ଲେଖାଏ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଏହି ଘୋଷଣା କରି କହିଛନ୍ତି । କରୋନା ଭାଇରସ ସଂକ୍ରମଣ ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରାଯାଇଛି । କେବଳ ଘରେ ରହିବା ଦ୍ୱାରା ହିଁ ଏହି ଲଢ଼େଇକୁ ଜିତି ହେବ । ଏହି ଲଢ଼େଇରେ ଗରିବ ଲୋକ, ମଜଦୁର ଭଉଣୀମାନଙ୍କ ରୋଜଗାର ବିଶେଷ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ସେଥିପାଇଁ ଗତକାଲି ଗରିବ ଲୋକଙ୍କ ନିମନ୍ତେ ୩ମାସର ରାସନ, ୪ମାସର ଭତ୍ତା ସହ ଅନ୍ୟ ସହାୟତା ଯୋଗାଇଦେବାକୁ ଘୋଷଣା କରାଯାଇଥିଲା । ପ୍ରତି ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୧୦୦ରୁ ୨୦୦ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ଲୋକମାନେ ଏହି ରନ୍ଧା ଖାଦ୍ୟକୁ ଘରକୁ ନେଇ ଖାଇପାରିବେ । ଏହାଦ୍ୱାରା ପ୍ରାୟ ୧୦ଲକ୍ଷ ଲୋକ ଗରିବ ଓ ନିରାଶ୍ରୟ ଲୋକ ଦୈନିକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରି ସମସ୍ତଙ୍କୁ ଘରେ ରହିବା ଓ ସାବୁନରେ ହାତ ଧୋଇ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ : ଭ୍ରାମ୍ୟମାଣ ପ୍ରତିନିଧି ନିମାଇଁ ଚରଣ ପଣ୍ଡା