ରାସ୍ତାରୁ ୧୧ ଶ୍ରମିକ ଉଦ୍ଧାର:ଆଶ୍ରୟ ସ୍ଥଳୀରେ ପଞ୍ଜିକୃତ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଆତଙ୍କକୁ ନେଇ ସାରା ଦେଶରେ ଲକଡାଉନ ଚାଲିଥିବା ସମୟରେ ଗାଡି ମଟର, ରେଳ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଘରମୁହାଁ ହୋଇଛନ୍ତି । ଅନେକ ଲୋକ ରାସ୍ତାରେ ଚାଲି ଚାଲି କିମ୍ବା ରେଳ ଲାଇନ କଡେ କଡେ ଘରକୁ ଫେରୁଥିବାରୁ ପ୍ରଶାସନ ପାଇଁ ଚିନ୍ତା ଜନକ ବିଷୟ ପାଲଟିଛି । ଏଗାର ଜଣ ଶ୍ରମିକ ପଶ୍ଚିମବଙ୍ଗ ଅଭିମୁଖେ ଚାଲି ଚାଲି ରାସ୍ତାରେ ଯାଉଥିବା ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସେମାନଙ୍କୁ ଅଟକାଇ ଚମାଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରଖିଛନ୍ତି । ଅନେକ ବୁଝାଇବା ପରେ ସେମାନେ ସ୍ୱାସ୍ଥ୍ୟ ଶିବିରରେ ରହିବାକୁ ସମ୍ମତ ହୋଇଥିଲେ । ସେଠାରେ ସ୍ଥାନୀୟ ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ସେମାନଙ୍କର ଠିକଣା ଏବଂ ସମ୍ପୂର୍ଣ୍ଣ ବିବରଣୀ ରେଜିଷ୍ଟ୍ରିଭୁକ୍ତ କରାଯାଇଥିଲା । ସକାଳ ଜଳଖିଆ ସହିତ ଦିନରେ ଦୁଇବେଳା ସେମାନଙ୍କୁ ଖାଇବାକୁ ଦେବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ତହସିଲଦାର ନୀଳମାଧଵ ଭୋଇ ଏବଂ ବ୍ଲକ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ମଧ୍ୟ ଏଥିରେ ସହଯୋଗ କରିଥିଲେ । ପୂର୍ବରୁ ୬୪ ଜଣ ବାହାର ରାଜ୍ୟ ଶ୍ରମିକଙ୍କୁ ରାସ୍ତାରେ ଅଟକା ଯାଇ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଏମାନଙ୍କ ମଧ୍ୟରୁ ୪୪ ଜଣ ତାମିଲନାଡୁର, ୪ ଜଣ ପଶ୍ଚିମବଙ୍ଗର ଏବଂ ୧୬ ଜଣ ଝାଡ଼ଖଣ୍ଡ ବାସିନଡା ଅଟନ୍ତି । ଏମାନେ ମାଲବାହୀ ଟ୍ରକ, ମାଛ ଗାଡି ଓ ଅଣ୍ଡା ଗାଡ଼ିରେ ସ୍ଥାନାନ୍ତର ହେଉଥିଲେ । ମାଲବାହୀ ଟ୍ରକକୁ ଜବତ କରାଯାଇ ଚମାଖଣ୍ଡି ଥାନାରେ ଅଟକ ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା