ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗାଈ ମାଲିକମାନଙ୍କୁ ସେମାନଙ୍କ ଗାଈ ଓ ଗୃହପାଳିତ ପଶୁଙ୍କୁ ସହର ରାସ୍ତାରେ ନ ଛାଡିବା ପାଇଁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ସେମାନେ ତାହାକୁ ଭୃକ୍ଷେପ ନକରି ରାସ୍ତାରେ ଛାଡି ଦେଉଥିବା ଦେଖା ଦେଉଛି । ଫଳରେ ବିଭିନ୍ନ ସମୟରେ ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ସଂସ୍ପର୍ଶରେ ଆସି ଦୁର୍ଘଟଣାର ଶିକାର ହେଉଛନ୍ତି । କେତେବେଳେ ଯେ ଗାଈ ମାନେ ଆହତ ହେଉଛନ୍ତି ତ କେତେବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ସେହିପରି ଦୁର୍ଘଟଣାର ଶିକାର ହୋଇ ଗାଡ଼ି ଏବଂ ଗାଡିରେ ଥିବା ଯାତ୍ରୀ ଆହତ ହେଉଛନ୍ତି ତ ବେଳେବେଳେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି । ଏହିପରି ଏକ ଘଟଣା ଆଜି ଦେଖିବାକୁ ମିଳିଛି ଲାଞ୍ଜିପଲିକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟରେ । ଘଟଣାରୁ ଜଣାପଡ଼ିଛି ଏକ କାର (OD02BN5678) ବ୍ରହ୍ମପୁରରୁ କବିସୂର୍ଯ୍ୟନଗର ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥକୁ ଏକ ଗାଈ ଆସିଯାଇଥିଲା । ଗାଈକୁ ବଞ୍ଚାଇବା ପାଇଁ ଗାଡ଼ି ଚାଳକ ବହୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ିଟି ଗାଇକୁ ଧକା ହେବା ଫଳରେ ଗାଈଟି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକା ଦେଇଥିଲା । ସୌଭାଗ୍ୟବଶତଃ ଗାଡ଼ିରେ ଥିବା ଜୀବନ ବଞ୍ଚିବା ବେଲୁନ ଖୋଲି ଯିବା ଫଳରେ ଡ୍ରାଇଭର ସମେତ ପାଞ୍ଚଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଉଦ୍ଧାର କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଗାଈ ଓ ଗୃହପାଳିତ ପଶୁ ମାଲିକଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାର ସମୟ ଆସିଛି । ଏସିପିସିଏର ସଭ୍ୟ ହିସାବରେ ଲଲାଟେନ୍ଦୁ ଚୈଧୁରୀ ସମସ୍ତ ଗାଈ ଓ ଗୃହପାଳିତ ପଶୁ ମାଲିକଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ନିଜ ନିଜର ପଶୁଙ୍କ ହେପାଜତ କରନ୍ତୁ ଯେପରି ସେମାନେ ସୁରକ୍ଷା ବଳୟରେ ରହିପାରିବେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା