ରାସ୍ତା ଉପରେ କୃତ୍ରିମ ବାଲି, ଗୋଡିର ପାହାଡ ! ଯାତାୟତ ବାଧାପ୍ରାପ୍ତ, ବଢୁଛି ଦୂର୍ଘଟଣା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହରର ସମସ୍ତ ସାହି ରାସ୍ତା ଏବେ ମରାମତି ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । ବର୍ଷାରେ ସମ୍ପ୍ରତ୍ତି ସମସ୍ତ ସିମେଣ୍ଟ କଂକ୍ରିଟ୍ ରାସ୍ତା ଏବେ ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ସହରର ଜନତା ଲେନ୍ ଠାରୁ ଗୁପ୍ତେଶ୍ୱର ମନ୍ଦିର ଏବଂ ଥାନା ଛକ ଠାରୁ ମେଡିକାଲ୍ ଛକ ଯାଏଁ ରହିଥିବା ପ୍ରମୁଖ ଦୁଇ ରାସ୍ତା ଏବେ ମରାମତି ଅପେକ୍ଷାରେ ରହିଥିବା ବେଳେ ଏହାର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇଥିବା ଜଣାପଡିଛି । ଏହି ଦୁଇ ରାସ୍ତା ଉପରେ ସହରବାସୀ ନିର୍ଭରଶୀଳ ହୋଇଥିବା ବେଳେ ସର୍ବଦା ଜନଗହଳିପୂର୍ଣ୍ଣ ରହିଥାଏ । ଏନଏସି ଠାରୁ ସାହି ଗଳିର ସମସ୍ତ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଯିବା ପରେ ଗତ ୨୦୧୫ ମସିହାରେ ପୂର୍ତ୍ତବିଭାଗ ଆନୁକୂଲ୍ୟରେ ୮ କୋଟି ଟଙ୍କା ବ୍ୟୟ ବରାଦରେ ଦୁଇଟି ପ୍ୟାକେଜ୍ରେ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ସେତେବେଳେ ଏହି ଦୁଇ ରାସ୍ତା ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ଲୋକେ ହନ୍ତସନ୍ତ ହୋଇଥିଲେ । ବହୁ ଦାବୀ ଅଭିଯୋଗ ପରେ ଉଭୟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ରାସ୍ତା ନିର୍ମାଣକୁ ଦୁଇ ବର୍ଷ ଅତିବାହିତ ହୋଇଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଆଉ ରକ୍ଷଣାବେକ୍ଷଣ କରାଯାଇନଥିଲା । ସେହିପରି ରାସ୍ତା ଗୁଡିକର ନିର୍ମାଣ ନକ୍ସା ଅନୁଯାୟୀ ସିମେଣ୍ଟ କଂକ୍ରିଟ୍ ରାସ୍ତା ଗୁଡିକ ନିର୍ମାଣ କରାଯାଇନଥିବା ଅଭିଯୋଗ ହୋଇଥିଲା । ରାସ୍ତାଗୁଡିକର ଓସାର ଅନୁସାରେ ରାସ୍ତା ନିର୍ମାଣ କରାଯାଇନଥିବାରୁ ବର୍ତ୍ତମାନ ଏହି ରାସ୍ତା ଗୁଡିକରେ ଯାତାୟତ କରୁଥିବା ସମୟରେ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଥିବା ଅଭିଯୋଗ ହୋଇଛି । ସାମାନ୍ୟତମ ଅସାବଧାନତା ହୋଇ ଦୂର୍ଘଟଣାର ଶୀକାର ହୋଇଥିବା ମଧ୍ୟ ପୂର୍ବରୁ ନଜିର୍ ରହିଛି । ରାସ୍ତା ନିର୍ମାଣ ପ୍ରକଳ୍ପ ଆରମ୍ଭରୁ ଅଦ୍ୟାବିଧି ତିତିଲି ଓ ଫଣୀ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଅନୁଭୂତ ହୋଇ ଚାଲିଯାଇଥିବା ବେଳେ ସମ୍ପ୍ରତ୍ତି ଦୁଇ ଦୁଇଟି ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତା ସବୁ ଧୋଇ ହୋଇଯାଇ ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି । ବିଭିନ୍ନ ପତ୍ରପତ୍ରିକା ଏବଂ ଗଣମାଧ୍ୟମରେ ସମସ୍ୟା ନେଇ ପ୍ରକାଶିତ ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାଦାର ମାନଙ୍କୁ ମରାମତି କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା । ସମ୍ପ୍ରତ୍ତି ଉକ୍ତ ରାସ୍ତା ମାନଙ୍କରେ ବାଲି, ଗୋଡି, ପଥର ଆଦି ପାହାଡ ସଦୃଶ ଗଦା କରି ରଖିଦିଆଯାଇଥିବା ବେଳେ ରାସ୍ତାର ଅର୍ଦ୍ଧାଧିକ ସ୍ଥାନ ଏହା ମାଡି ବସୁଥିବା ଦେଖିବାକୁ ମିଳିଛି । ତେବେ ରାସ୍ତା ନିର୍ମାଣ କାର୍ଯ୍ୟାରମ୍ଭ ନକରି ଏଭଳି ରାସ୍ତା ଉପରେ ମେଟେରିଆଲ୍ ସବୁ ଗଚ୍ଛିତ ରଖିଦେଇ ଛାଡିଦିଆଯାଇଥିବାରୁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସହରର ଥାନା ଛକ ଠାରୁ ମେଡିକାଲ୍ ରାସ୍ତାର ବଡବନ୍ଧ ତଥା ମିନି ଷ୍ଟାଡିୟମ୍ ନିକଟରେ ଏବେ ପାହାଡ ସଦୃଷ ବାଲି , ପଥର, ଗୋଡି ଆଦି ରଖାଯାଇଛି । ସେହି ରାସ୍ତା ଦେଇ ବିଶେଷ କରି ଦୈନିକ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ବଡ ଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୀଣାପାଣୀ ନର୍ସରୀ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭଳି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନକୁ କୋମଳମତି ଶିଶୁ ଠାରୁ ଆରମ୍ଭ କରି ଶତାଧିକ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ସେହିପରି ମେଡିକାଲକୁ ମଧ୍ୟ ବିଭିନ୍ନ ଜରୁରୀ କାଳୀନ ସମୟରେ ଲୋକେ ଯାତାୟତ କରୁଥିବା ବେଳେ ସହରବାସୀଙ୍କର ଏହି ରାସ୍ତା ଏକ ପ୍ରମୁଖ ରାସ୍ତା ଭାବେ ପରିଚିତ । ହେଲେ ଉକ୍ତ ରାସ୍ତାରେ ଏବେ ଗଚ୍ଛିତ ରହିଥିବା ମେଟେରିଆଲ୍ ଯାତାୟତ ବେଳେ ସମସ୍ୟା ସୃଷ୍ଟି କରୁଛି । ସାମାନ୍ୟ ତମ ଅସାବଧାନତା ହେଲେ ଦୂର୍ଘଟଣାର ଶୀକାର ହେଉଥିବା ନଜିର୍ ରହିଛି । ସେହିପରି ଦୀର୍ଘ ଦିନ ଧରି ଏହି ମେଟେରିଆଲ୍ ସବୁ ଗଚ୍ଛିତ ହୋଇଥିବାରୁ ଗତ ଲଗାଣ ବର୍ଷାରେ ବାଲି, ଗୋଡି କିଛି ବର୍ଷା ପାଣିରେ ଭାସିଯାଇ ପୋଖରୀକୁ ଚାଲିଯାଇଥିବା ମଧ୍ୟ ଆଲୋଚନା ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ତଥା ଯନ୍ତ୍ରୀ ମାନେ ଘଟଣା ସ୍ଥଳକୁ ପରିଦର୍ଶନରେ ଯାଇ ସମସ୍ୟାର ଅନୁଧ୍ୟାନ କରି ସମାଧାନ କରିବା ନେଇ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ମନୋଜ ସାହୁ, ମୁନା ବିଷୋୟୀ, ଶଙ୍କର୍ଷଣ ରଥ ପ୍ରମୁଖ ଦାବୀ କରିଛନ୍ତି ।
ପ୍ରକାଶଥାଉକି, ପୂର୍ବରୁ ସମସ୍ତ ସାହି ଗଳି ରାସ୍ତା ଏନଏସି ଅଧିନରେ ରହିଥିବା ବେଳେ କୌଣସି ସମସ୍ୟା ହେଲେ ତୁରନ୍ତ ପ୍ରତିକାର କରାଯାଇପାରୁଥିଲା । କାଉନସିଲ୍ ବୈଠକ ମାଧ୍ୟମରେ ପ୍ରସ୍ତାବ ଗୃହିତ କରାଯାଇ ତୁରନ୍ତ ମରାମତି ନତୁବା ନୂତନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଇପାରୁଥିଲା । ସମ୍ପ୍ରତ୍ତି ରାଜ୍ୟ ନଗର ଉନ୍ନୟନ ବୋର୍ଡ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଦିଆଯାଇ ବ୍ୟୟବହୁଳ ପ୍ରକଳ୍ପ କରାଯାଇଥିବାରୁ ଖୁବ୍ ଶୀଘ୍ର କୌଣସି ସମସ୍ୟାର ସମାଧାନ ନେଇ ସମସ୍ୟା ଉପୁଜିଥିବା ଆଲୋଚନା ହେଉଛି । ରାସ୍ତା ନିର୍ମାଣ ପ୍ରକଳ୍ପ ଗୁଡିକ ସଠିକ୍ ନକ୍ସା ଓ ମାପ ଅନୁସାରେ ହୋଇନଥିବାରୁ ସମ୍ପ୍ରତ୍ତି ସେହି ରାସ୍ତା ଗୁଡିକ ଏବେ ମରଣଯନ୍ତା ସଦୃଶ ହୋଇଯାଇଛି । ସମ୍ପ୍ରତ୍ତି କାଉନସିଲର ଅବଧି ଶେଷ ହୋଇଯାଇଥିବା ବେଳେ ନିର୍ବାଚନ ହୋଇନଥିବାରୁ ପ୍ରଶାସନ ଦାୟିତ୍ୱରେ ଏନଏସି ରହିଆସିଛି । ଏନଏସି ମଧ୍ୟ ଡୁଡା (ଡିଷ୍ଟ୍ରିକ୍ଟ୍ ଅର୍ବାନ୍ ଡେଭୋଲପ୍ମେଣ୍ଟ୍ ଅଥରିଟି) ଅଧିନରେ ପରିଚାଳିତ ହେଉଥିବା ବେଳେ ପୂର୍ବରୁ ଏମକେସିଜିର ପ୍ରଶାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳ ଦିଗପହଣ୍ଡି ଏନଏସି ଦାୟିତ୍ୱରେ ରହିଥିଲେ । ସେ ପଦୋନ୍ନତି ପାଇବା ପରେ ତାଙ୍କ ସ୍ଥାନରେ ରହିଥିବା ଅଧିକାରୀ ଏନଏସିକୁ ପରିଦର୍ଶନରେ ଆସି ସହରର ରାସ୍ତା ଘାଟ ସମସ୍ୟା ବୁଲି ସ୍ଥିତି ପରଖିବା ପରେ ସମସ୍ୟାରେ ସମାଧାନ ଆସିବ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା