ରାସ୍ତା ଉପରେ ଗାଡ଼ିରଖି ଏମଭିଆଇ ଗାଡି ଯାଞ୍ଚ କରୁଥିବାରୁ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇ୧ମୃତ

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୂଲ୍ୟା ବ୍ରିଜ ନିକଟ ମାଛ ବିକ୍ରି ସ୍ଥାନରେ ଏମଭିଆଇର ଯାନବାହାନ ଯାଞ୍ଚ ସମୟରେ ଦୁର୍ଘଟଣାର ଶିକାର ହୋଇ ବାଇକ ଚାଳକ ଦାଦା ଘଟଣା ସ୍ଥଳରେ ମୃତ୍ୟୁବରଂ କରିଥିବାବେଳେ ପୁତୁରା ଗୁରୁତର ଆହତ ହୋଇଥିଲା । ସେଠାରେ ସେ ପାଣି ପାଇଁ ଚିତ୍କାର କରୁଥିବାବେଳେ ଯାନବାହାନ କରୁଥିବା ଅଧିକାରୀ ଆହତଙ୍କୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ସେଠାରୁ ଭୟରେ ଚାଲିଯାଇଥିଲେ । ଏହି ଖବର ପ୍ରଚାର ହେବାମାତ୍ରେ ଶହଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ପୁତୁରାକୁ ହସ୍ପିଟାଲ ନେଇଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏମଭିଆଇ ଯାନବାହାନ ଯାଞ୍ଚ ନାଁରେ ଜୁଲମ କରୁଛନ୍ତି ବୋଲି ଅଭିଯୋଗ କରି ଜାତୀୟ ରାଜପଥକୁ ଉତ୍ୟକ୍ତ ଜନତା ଅବରୋଧ କରିଥିଲେ । ଖବର ପାଇ ଗଂଜାମ ଥାନା ଇନଚାର୍ଜ ଅନିଲ କୁମାର ମହାନ୍ତି, ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ଛତ୍ରପୁର ଏସ୍ଡ଼ିପିଓ ରମେଶ ଚନ୍ଦ୍ର ସେଠି, ରାଜୁ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସେମାନଙ୍କ ଦାବି ମୁତାବକ ଯାନବାହାନ ଯାଞ୍ଚ କରୁଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କୁ ଜଣାହେବ ବୋଲି ପ୍ରତିଶ୍ରୁତି ଦେବା ପରେ ବାତାବରଣ ଶାନ୍ତ ହୋଇଥିଲା । ଯାଞ୍ଚ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ କରିବା ସହ ପରିବହନ ବିଭାଗରୁ ପଚିଶି ଲକ୍ଷ ଟଙ୍କା କ୍ଷତି ପୁରାଣ ଦେବା ପାଇଁ ସେମାନଙ୍କ ଦାବି ରହିଥିଲା । ରେଡକ୍ରସରୁ ଦଶହଜାର ଟଙ୍କା ମୃତକଙ୍କ ପରିବାରକୁ ଦିଆଯିବା ପରେ ଦୁଇ ଘଣ୍ଟା ଧରି ଚାଲିଥିବା ରାଜପଥ ଆବୋରଧରୁ ଉତ୍ୟକ୍ତ ଜନତା ହଟିଥିଲେ । ଗଂଜାମ ବ୍ଲକ ଅନ୍ତର୍ଗତ କଇଁଚପୁର ପଞ୍ଚାୟତର ଝାଡ଼କୁଦା ଗ୍ରାମର ଲାଇଟ ଏଣ୍ଡ ସାଉଣ୍ଡ ବ୍ୟବସାୟୀ ଯୁଧିଷ୍ଠିର ରେଡ୍ଡୀ (ରାଜୁ) ନିଜ ବାଇକ ନମ୍ବର ଓଡି୦୭ଜେ୩୪୨୯ରେ ପୁତୁରା ପରୀକ୍ଷିତ ରେଡ୍ଡୀ (୧୮)ଙ୍କୁ ଧରି ବ୍ରହ୍ମପୁରରୁ ଲାଇଟ ସାଉଣ୍ଡ ସମାନ କିଣି ନିଜ ଘରକୁ ଫେରୁଥିଲେ ।ଏହି ସମୟରେ ଗଂଜାମ ବ୍ରିଜ ନିକଟ ମାଛ ବିକ୍ରି ଛକରେ ଏମଭିଆଇ ଯାନବାହାନ ଯାଞ୍ଚ କରୁଥିବାରୁ ଗୋଟିଏ ଗାଡିକୁ ଅଟକାଇବାକୁ ହାତ ମରୁଥିବାବେଳେ ଗାଡିଟି କ୍ଷିପ୍ର ଗତିରେ ଚାଲିଯିବା ଫଳରେ ଯୁଧିଷ୍ଠିର ବାଇକ ପଛପଟୁ ବାଜିଯିବାରୁ ବାଇକଟି ଯାଇ ଆଗରେ ଅଟକି ଥିବା ଟ୍ରକକୁ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଯୁଧିଷ୍ଠିରଙ୍କୁ ଗୁରୁତର ଆଘାତ ବାଜି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ପୁତୁରା ପରୀକ୍ଷିତ ରେଡ୍ଡୀ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ଜି ସନ୍ତୋଷ ରେଡ୍ଡୀ, ପୂର୍ବତନ ବ୍ଲକ ଉପଦକ୍ଷ ଭାଗ୍ୟ ରେଡ୍ଡୀ, ସାଂସଦ ପ୍ରତିନିଧି ସୁଧୀର ପାଢ଼ୀ,ଏ ଚନ୍ଦ୍ରମଣି ରେଡ୍ଡୀ, କୃଷ୍ଣ ଦାଶ, ଜିତୁ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ଲୋକ ଏମଭିଆଇଙ୍କ ଏଭଳି କାର୍ଯ୍ୟ ପାଇଁ ଉଦବେଗ ପ୍ରକାଶ କରି ରାଜପଥ ଅବରୋଧ କରିଥିଲେ ।ସୂଚନା ଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏଭଳି ଏମଭିଆଇ ଚେକିଂ ବେଳେ ଏକ କାର ଦୁର୍ଘଟଣା ହୁମ୍ମା ନିକଟରେ ଘଟିଥିଲା । ଦୁଇଜଣ ଗୁରୁତର ଆହତ ହୋଇଥିଲେ । ତେଣୁ ଏମଭିଆଇ ମାନେ ସତର୍କ ରହି ଏଣିକି ଗାଡି ଯାଞ୍ଚ କରିବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଛତ୍ରପୁର ମେଡିକାଲରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ମେଡିକାଲ କତୃପକ୍ଷ ଅବହେଳା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଭିଡ଼ିଓ ରେକଡ଼ିଂ ଦ୍ୱାରା ଶବ ବ୍ୟବଛେଦ କରାଯାଇଥିଲା । 

ରିପୋର୍ଟ:ନିମାଇଁ ଚରଣ ପଣ୍ଡା