ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ୱାର୍ଡ ସୁବୁଦ୍ଧି ସାହି, ଧୋବା ସାହି ଓ ବଡ ହରିଜନ ସାହିର ତିନି ଛକି ସଡ଼କ ଉପରେ ବହୁ ଦିନ ଧରି ଅସମ୍ପୂର୍ଣ୍ଣ ଅଚଳ ନଳକୂପ୨ ଫୁଟ ଉପରକୁ ବାହାରି ସଡ଼କ ମଝି ରାସ୍ତା ଉପରେ ରହିଛି । ଯାହା ଫଳରେ ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତାରେ ଦୈନିକ ଶହଶହ ଲୋକ ଯିବା ଆସିବା କରିବା ସହ ବାଇକ୍, କାର୍, ଅଟୋ ଓ ସାଇକେଲରେ ପ୍ରଭୃତି ଯିବା ଆସିବା କରିଥାଏ । ଯାହା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଅଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର ସମାଧାନ କରିବା ପରିବର୍ତ୍ତେ ସବୁଜାଣି ନ ଜାଣିବା ଭଳି ଅଭିନୟ କରୁଛନ୍ତି ପୋଲସରା ଏନ୍.ଏ.ସି. ଓ ପୋଲସରା ଜନସ୍ୱାସ୍ଥ୍ୟ ବିଭାଗ । ଏହି ଅସମ୍ପୂର୍ଣ୍ଣ ଅଚଳ ନଳକୂପ ପାଇପ ବାହାର କରିବା କାହାର ଦାୟୀତ୍ୱ ଉଭୟ ଏନ.ଏ.ସି. ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଆଲୋଚନା କରି ତୁରନ୍ତ ପ୍ରତିକାର କରିବାକୁ ଦାବୀ ହୋଇଛି । ଗତ ଏକ ସପ୍ତାହ ଧରି ସନ୍ଧ୍ୟା ୫ ଟାରୁ ରାତି ପର୍ଯ୍ୟନ୍ତ ବିଜୁଳି ଚାଲିଯାଉଥିବା ଓ ବର୍ଷା ଲାଗି ରହୁଥିବା ସମୟରେ ଘନ ଅନ୍ଧାରରେ ଜନସାଧାରଣଙ୍କ ଯାତାୟାତ ବେଳେ ଯଦି କୌଣସି ଅଘଟଣ ଘଟେ ତେବେ ସେଥିପାଇଁ ଉଭୟ ଏନ.ଏ.ସି. ଓ ଜନସ୍ୱାସ୍ଥ୍ୟ ବିଭାଗ ଦାୟୀ ରହିବେ ବୋଲି ୧୨ ନଂ ୱାର୍ଡର ପୂର୍ବତନ କାଉନସିଲର କେ. କୈଳାସ ଚନ୍ଦ୍ର ପାତ୍ର, ବିପିନ ବିହାରୀ ପଣ୍ଡା, ରମେଶ ଚନ୍ଦ୍ର ପାତ୍ର, ଶିବଶଙ୍କର ସାହୁ, ସାହେବ ପୃଷ୍ଟି, ସଂଗ୍ରାମ ପାତ୍ର, ପ୍ରଶାନ୍ତ ପାତ୍ର, ସତ୍ୟ ନାରାୟଣ ନାୟକ ପ୍ରମୁଖ ସମୂହ ଭାବେ ଦାବୀ କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା