

ରାୟଗଡ଼ା (ସମୃଦ୍ଧ ଓଡିଶା) ଜିଲ୍ଲାରେ ବାଟବଣା ହେଉଛି ଏଟିଏମ ସୁରକ୍ଷା ବ୍ୟବସ୍ଥା । ଅସୁରକ୍ଷିତ ଅବସ୍ଥାରେ ରାୟଗଡା ସହରର ଅଧିକାଂଶ ଏଟିଏମ କାଉଣ୍ଟର । ମଧ୍ୟରାତ୍ରୀ ହେଉ ବା ଦିନବେଳା, ବିନା ସୁରକ୍ଷାକର୍ମୀଙ୍କ ତଦାରଖରେ ସହରରେ ୨୪ଘଣ୍ଟା ଖୋଲାରହୁଛି ଏଟିଏମ । ରାଜ୍ୟରେ ଏଟିଏମ୍ରୁ ଲୁଟ ଭଳି ଅପରାଧ ଘଟଣା ବୃଦ୍ଧି ପାଉଥିବାବେଳେ ରାୟଗଡା ଜିଲ୍ଲାରେ ମଧ୍ୟ ବିଗତ ଦିନରେ ଅନୁରୂପ ଘଟଣା ଘଟିଛି । ଗତ ଦୁଇମାସ ପୂର୍ବେ ସହରର କପିଳାସ ଛକ ଆନ୍ଧ୍ରବ୍ୟାଙ୍କ ଏଟିଏମରୁ ଜଣେ ବ୍ୟବସାୟୀ ଟଙ୍କା ଉଠାଉଥିବାବେଳେ ଏଟିଏମ ସମ୍ମୁଖରେ ପୂର୍ବରୁ ଜଗିରହିଥିବା ଡକାୟତ ୧.୫ଲକ୍ଷ ଟଙ୍କା ଲୁଟ୍କରି ବାଇକରେ ପଳାଇଯାଇଥିଲେ । ଦିନବେଳା ଏଭଳି ଲୁଟ ଘଟଣା ସାମ୍ନାକୁ ଆସିବାପରେ ମଧ୍ୟ ଏଟିଏମ କାଉଣ୍ଟର ସମ୍ମୁଖରେ ସୁରକ୍ଷାକର୍ମୀଙ୍କୁ ମତୁୟନ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ଦୃଷ୍ଟିଦେଉନଥିବା ଉଦ୍ବେଗର ବିଷୟ ବୋଲି ସହରବାସୀ କହିଛନ୍ତି । ଏଟିଏମ କାଉଣ୍ଟରଗୁଡିକରେ ସୁରକ୍ଷାକର୍ମୀ ନଥିବାରୁ ତନ୍ମଧ୍ୟକୁ ଜଣକ ପରେ ଜଣେ ଗ୍ରାହକମାନେ ଧାଡିରେ ଅପେକ୍ଷା ନକରି ଥରକେ ତିନି, ଚାରିଜଣ ଲୋକ ପ୍ରବେଶ କରୁଛନ୍ତି । ଏହାର ସୁଯୋଗନେଇ ଲୁଟେରାମାନେ ନିରୀହ ଲୋକଙ୍କ ଏଟିଏମ୍ କାର୍ଡର ପାସୱାର୍ଡ ହାସଲ କରିବା ପରେ ଉକ୍ତ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି । ଅନ୍ୟପକ୍ଷେ ସହରର ଏଟିଏମ କାଉଣ୍ଟରଗୁଡିକରେ ଲାଗିଥିବା ସିସିଟିଭି କେଉଁଠି ଭାଙ୍ଗିଯାଇଛି ତ ଆଉ କେଉଁଠି ସଠିକ ରୂପେ କାର୍ଯ୍ୟ କରୁନଥିବାରୁ କାଉଣ୍ଟରରେ ହେଉଥିବା କାର୍ଯ୍ୟକଳାପର ଚିତ୍ର ରେକର୍ଡ କରାଯାଇପାରୁନାହିଁ । ଏହି ସମସ୍ୟା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥଙ୍କୁ ପଚାରିବାରୁ ସେ କହିଛନ୍ତି, ଏଟିଏମଗୁଡିକରେ ସୁରକ୍ଷାକର୍ମୀ ନିଯୁକ୍ତି ଦେବାକୁ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ସେଥିପ୍ରତି ଦୃଷ୍ଟି ଦେଉନଥିବାରୁ ବିନା ସୁରକ୍ଷାକର୍ମୀରେ ଏଟିଏମ୍ ସେବା ଚାଲିଛି । ତେବେ ରାତି ସମୟରେ ପୋଲିସ ପାଟ୍ରୋଲିଂ କରି ସ୍ଥିତି ତଦାରଖ କରୁଛି ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


