

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସଦର ମହକୁମା ସ୍ଥିତ ଆର ଏମ୍ ସି ୟାର୍ଡରେ ଶୁକ୍ରବାର ଜିଲାସ୍ତରୀୟ ଖରିଫ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ସି.ଏଚ. ମୂରଲୀକ୍ରିଷ୍ଣା ରାଓ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଭବାନୀ ଶଙ୍କର ଦାଶ, ଡି ଆର ସି ଏସ ପ୍ରମୋଦ କୁମାର ସାହୁ ଯୋଗ ଦେଇ ମଣ୍ଡିର ଶୁଭାରମ୍ଭ କରିଥିଲେ । ଏହା ବ୍ୟତୀତ ଜିଲାରେ ଥିବା ଅନ୍ୟ ୧୧ଟି ବ୍ଲକରେ ୩୯ଟି ମଣ୍ଡି କରାଯାଇ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ୯୦ହଜାର କ୍ୱିଣ୍ଟାଲ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ଚାଷୀ ଧାନ ଆଣିବାର ୪୮ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଧାନ ଉଠିବାର ବ୍ୟବସ୍ଥା ରହିଥିବା ବେଳେ ଚାଷୀଙ୍କୁ ଧାନ ବିକ୍ରି କରିବାରେ ତିନିଦିନ ମଧ୍ୟରେ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସେହିପରି ସାଧାରଣ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା ରହିଥିବା ବେଳେ ଗ୍ରେଡ୍ ଏ ଧାନର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୩୫ ଟଙ୍କା ରଖାଯାଇଛି । ଚଳିତବର୍ଷ ପ୍ରଥମଥର ଚାଷୀଙ୍କ ଆଧାରକାର୍ଡ ସଂଯୋଗୀକରଣ କରାଯାଇଥିବା ବେଳେ ଆଇରିସ୍ ସ୍କାନର୍ ଦ୍ୱାରା ଆଖିଡୋଳାର ଫଟୋ ବାହାର କରାଯାଇ ଅନଲାଇନ ମାଧ୍ୟମରେ ଯାଞ୍ଚ କରାଯିବାର ପ୍ରକୃତ ଚାଷୀଙ୍କ ଚିହ୍ନଟ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହିପରି ଚାଷୀଙ୍କୁ ଧାନ ବିକ୍ରି ନିମନ୍ତେ ଟୋକେନ ବ୍ୟବସ୍ଥା ଭୁବନେଶ୍ୱରରେ ମୁଖ୍ୟ କାର୍ଯ୍ୟାଳୟରୁ କାର୍ଯ୍ୟକାରୀ ହେବ ବୋଲି ଜଣାଯାଇଛି । ସେହପରି ଟୋକେନ ପ୍ରଦାନ ହେବାର ୧୫ ଦିନ ମଧ୍ୟରେ ନିଜର ଧାନ ବିକ୍ରି କରିପାରିବେ ବୋଲି ସୂଚନା ଦିଆଯାଇଥିଲା । ସେହିପରି ଟୋକେନ୍ ବ୍ୟବସ୍ଥା ଓ ଚାଷୀ ପଞ୍ଜିକରଣକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଚାଷୀ ମାନେ ମଣ୍ଡିକୁ ଧାନ ଆଣିବା ସମୟରେ ଆଧାର କାର୍ଡର ନକଲ ଧରି ଆସିବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ମୁଣ୍ଡି ଉଦଘାଟନର ପ୍ରଥମ ଦିନରେ ରାୟଗଡ଼ା ଲ୍ୟାମ୍ପସ୍ ପକ୍ଷରୁ ୨ଜଣ ଚାଷୀଙ୍କ ଠାରୁ ୯୦କ୍ୱିଣ୍ଟାଲ ଧାନ କ୍ରିୟ କରାଯାଇଥିବା ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ