ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାରେ କାୟା ମେଲାଉଛି କ୍ୟାନସର ରୋଗ । ବଦଳୁଥିବା ଜୀବନଶୈଳୀ, ଆଧୁନୀକ ଜୀବନଜାପନ ଓ ଅତ୍ୟାଧିକ ମାଦକଦ୍ରବ୍ୟ ସେବନ ବା ଧୂମପାନ ଯୋଗୁଁ ରାୟଗଡା ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ରୋଗ ନିରୂପଣ ବ୍ୟବସ୍ଥା । ବିଗତ ଦିନରେ କ୍ୟାନସର ରୋଗୀ ଜିଲ୍ଲାରେ କୁଚିତ୍ ଚିହ୍ନଟ ହୋଇଥିବା ବେଳେ ଗତ ୨୦୧୮ମସିହାରୁ ରୋଗୀଙ୍କ ସଂଖ୍ୟା ଆକସ୍ମିକ ବୃଦ୍ଧି ଘଟିଥିବା ଜଣାପଡିଛି । କ୍ୟାନସର ରୋଗ ନିରୂପଣ ସକାଶେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ରୋଗୀଙ୍କ ଉପଚାର ନିମନ୍ତେ ବେଡ ରହିଥିବାବେଳ କେମୋ ଥାରାପି ପାଇଁ ପ୍ରଶିକ୍ଷିତ ଡାକ୍ତର ରହିଛନ୍ତି । ଜିଲ୍ଲାରେ କ୍ୟାନସର ରୋଗୀ ସନ୍ଦେହ ହେଲେ ବ୍ରହ୍ମପୁରସ୍ଥିତ ଏମକେସିଜି କିମ୍ବା କଟକ ଏସସିବି ମେଡିକାଲ କଲେଜକୁ ରୋଗୀଙ୍କୁ ସ୍ଥାନାନ୍ତରଣ କରି ସେଠାରେ ପରୀକ୍ଷା କରାଯାଉଛି । ୨୦୧୮ ମସିହା ଜାନୁଆରୀ ୨୫ତାରିଖରୁ କ୍ୟାନସର ରୋଗୀଙ୍କ ସକାଶେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ବେଡ ବ୍ୟବସ୍ଥା କରାଯାଇ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା କ୍ୟାନସର ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଉଥିବା ଜଣାଯାଇଛି । ଏ ନେଇ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ନିୟୋଜିତ ରହିଥିବାସ୍ଥଳ ଅନ୍ୟ ପ୍ରଶିକ୍ଷିତ ଷ୍ଟାଫ ମଧ୍ୟ ରୋଗୀଙ୍କ ସେବାରେ ନିୟୋଜିତ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୧୮ଠାରୁ ଅଦ୍ୟାବଧି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪୬ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି । ଚିକିତ୍ସାଳୟରେ କ୍ୟାନସର ରୋଗ ନିରୂପଣ ସକାଶେ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଉପରୋକ୍ତ ସଂଖ୍ୟା କେବଳ ନାମମାତ୍ର । ଜିଲ୍ଲାରେ ମୋଟ ଚିକିତ୍ସିତ କ୍ୟାନସର ରୋଗୀଙ୍କ ସଂଖ୍ୟାଠାରୁ ଏହା ବହୁଗୁଣା ଊଦ୍ଧ୍ୱର୍ ବୋଲି ଜଣାଯାଇଛି । ଜିଲ୍ଲାରେ କ୍ୟାନସର ଏକ ପ୍ରକାର କାୟା ମେଲାଉ ଥିବାବେଳେ ଜିଲ୍ଲା ଚିକିତ୍ସାଳୟରେ ଉକ୍ତ ରୋଗ ନିରୂପଣ ଓ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡିଥିବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ