ରାୟଗଡା ଗସ୍ତରେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ …

ରାୟଗଡ଼ା (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟପାଳ ଗଣେଶୀ ଲାଲ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ସାରି ଦିନିକିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ରାଜ୍ୟପାଳ କୋରାପୁଟ ଠାରୁ ସଡକ ପଥରେ ରାୟଗଡ଼ା ଜିଲ୍ଲା କୁ ଆସି ପ୍ରଥମେ କୁଟୁଳି ପଞ୍ଚାୟତ ରେ ପହଞ୍ଚି ଥିଲେ ସେଠାରେ ୧୦ ଜଣ ହିତାଧାରୀଙ୍କୁ ଭତ୍ତା ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ରାଜ୍ୟପାଳ କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ହିମରପାଡି ଗ୍ରାମକୁ ଯାଇ ମନରେଗା ଯୋଜନାରେ ୧୦ ଏକର ଜମିରେ ରୋପଣ ହୋଇଥିବା କାଜୁ ଚାରା ବୁଲି ଦେଖିଥିଲେ । ଏହା ପରେ ରାୟଗଡ଼ା ସହରର ଉପକଣ୍ଠରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ଆୟୋଜିତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଦଳଙ୍କ ଦ୍ଵାରା କରାଯାଇ ଥିବା ଷ୍ଟଲ ବୁଲି ଦେଖିବା ସହ ସେମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ ଓ ଆୟୋଜିତ ସଭାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ରାଜ୍ୟପାଳ “ଏକ ଭାରତର ଅର୍ଥ ମାନେ କଣ” ବୋଲି ପ୍ରଶ୍ନ କରିଥିଲେ ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ର ଛାତ୍ରୀ ଏହାର ଉତ୍ତର ମାନ୍ୟବର ରାଜ୍ୟପାଳଙ୍କୁ ଦେଇଥିଲେ, ଏହି ପ୍ରସଙ୍ଗରେ ରାଜ୍ୟପାଳ କହିଥିଲେ ଯେ, ଆମ୍ଭେ ମାନେ ଯେ କୌଣସି ପ୍ରାନ୍ତରର ହେଉ ଥାଉନା କାହିଁକି ସମସ୍ତଙ୍କୁ ସମାନ ଅଧିକାର ମିଳିବା ଦରକାର । ଓଡ଼ିଶା ହେଉଛି ଜଗତର ନାଥ ଜଗନ୍ନାଥଙ୍କ ରାଜ୍ୟ ଓ ଜଗନ୍ନାଥ ହେଉଛନ୍ତି ସାଂସ୍କୃତିକ ଭଗବାନ । ରାଜ୍ୟପାଳ ଜଗନ୍ନାଥ ସଂସ୍କୃତିକୁ ପ୍ରଶଂସା କରିବା ସହ ଏହି ମାଟିରେ ଯିଏ ଥରେ ପାଦ ଦେଇଛି ତାର ପାପରୁ ସେ ମୁକ୍ତି ପାଇଯାଇଥାଏ ବୋଲି କହିଥିଲେ । ଏକ ଭାରତ ମାନେ ଆମେ ସମସ୍ତେ ଏକ ଯେପରି ଲହଡି ଠାରୁ ସାଗରକୁ କେହି ଅଲଗା କରିପାରିବେନି, ଯେପରି କିରଣ ଠାରୁ ସୂର୍ଯ୍ୟକୁ ଅଲଗା କରିପାରିବେନି ଠିକ୍ ସେହି ଭଳି ଆମକୁ ମଧ୍ୟ କେହିଵି ଭାରତ ଠାରୁ ଅଲଗା କରିପାରିବେନି। ରାଜ୍ୟପାଳ କହିଥିଲେ ଯେ, ମୁଁ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ, ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ, ସ୍ବର୍ଗତ ବିଜୁ ପଟନାୟକ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହାକୁ ଵି ମୁଁ ଅଲଗା ଦୃଷ୍ଟିରେ ଦେଖି ନଥାଏ ସମସ୍ତେ ମୋ ପାଇଁ ସମାନ ମୁଁ ସମସ୍ତଙ୍କୁ ସନମ୍ମାନ ଦେଇଥାଏ । ବର୍ତ୍ତମାନ ଭାରତ ସାରା ପୃଥିବୀ ବାସୀଙ୍କୁ ଯୋଗ ମାଧ୍ୟମରେ ପ୍ରେମର ଭାଷା ଦେଇ ବାନ୍ଧି ରଖିବାରେ ସଫଳ ହୋଇଥିବା ସେ ପ୍ରକାଶ କରିଥିଲେ । ଏହାପରେ ରାଜ୍ୟପାଳ କନ୍ଧ ମାଲିଗାଁରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଓ ଏଠାରୁ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଝୀନ ହିକ୍କକା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ମଧୁସୂଦନ ପାଢ଼ୀ, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ଓ ଜିଲ୍ଲାର ସମସ୍ତ ସରକାରୀ ପଦାଧିକାରୀ ପ୍ରମୂଖ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଳାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ