ରାୟଗଡ଼ା ରେଳ ଷ୍ଟେସନରୁ ସୁରକ୍ଷା ବଳ ଓ ଜିଆରପିର ମିଳିତ ପେଟ୍ରୋଲିଂରେ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର…..

ରାୟଗଡ଼ା,(ସମୃଦ୍ଧ ଓଡିଶା) ରାୟଗଡ଼ା ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳ ଓ ଜିଆରପି ପୋଲିସର ମିଳିତ ପେଟ୍ରୋଲିଂ ବେଳେ ୨୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖାଯାଇଛି । ସେମାନେ ବିଳାସପୁର ତିରୁପତି ଏକ୍ସପ୍ରେସରେ ମୁନିଗୁଡାଠାରୁ ପଡୋଶୀ ଆନ୍ଧ୍ର ଓ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ରେଳ ବିଭାଗ ଥାନା ଅଧିକାରୀ ସୁବେନ୍ଧୁ କୁମାର ଶବର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟି, ରାୟଗଡା ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଅଞ୍ଚଳରୁ ୨୫ମହିଳା ଏବଂ ୨ପୁରୁଷ ଏକତ୍ର ହୋଇ ବିଳାସପୁର ତିରୁପତି ଏକ୍ସପ୍ରେସ ଟ୍ରନରେ ମୁନିଗୁଡା ଷ୍ଟେସନଠାରୁ ଆନ୍ଧ୍ର ରାଜ୍ୟ ଭିମଭରମ ଓ ଅବଶିଷ୍ଟ କେରଳ ରାଜ୍ୟ ଏରନାକୁଲମକୁ ଦାଦନ ଖଟିବା ପାଇଁ ଯାଉଥିଲେ । ସନ୍ଧିଗ୍ଧ ଅବସ୍ଥାରେ ଯାତ୍ରା କରୁଥିବାରୁ ଏମାନଙ୍କୁ ପୁଲିସ ପଚରାଉଚରା ପରେ ରାୟଗଡାରେ ଅଟକ ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ୭ଜଣ ନାବଳକ ଥିବା ପୁଲିସ ପକ୍ଷରୁ ଜଣାଯାଇଛି । ତେବେ ଏହି ଦାଦନ ଚାଲଣ ଘଟଣାରେ ସମ୍ପୃକ୍ତ ୫ଜଣ ଦଲାଲଙ୍କୁ ଗିରଫ କରି ପୋଲିସ ଅଧିକ ଅନୁସନ୍ଧାନ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏମାନଙ୍କୁ ଆଜି ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ କାମଧନ୍ଧା ଅଭାବରୁ ରାୟଗଡା ଜିଲ୍ଲାର ବେକାରୀ ଯୁବକ ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ଜଣାପଡିଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ