



ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କଳା ସାଂସ୍କୃତିକ ଲୋକ ମହୋତ୍ସବ ‘ଚଇତି’-୨୦୧୯ ଓ ପଲ୍ଲିଶ୍ରୀ ମେଳା ଗତକାଲି ବର୍ଣ୍ଣାଢ୍ୟ ଢଙ୍ଗରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହାରଙ୍କ ପୌରୋହିତ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ ଓ କୋରାପୁଟ ଲୋକସଭା କ୍ଷେତ୍ର ସାଂସଦ ସପ୍ତଗିରି ଉଲାକା ଉପସ୍ଥିତରେ ଅଧିଷ୍ଟାତ୍ରୀ ଦେବୀ ମା’ ମଝିଘରିଆଣି ମନ୍ଦିର ପ୍ରାଙ୍ଗଣରେ ବିଧିବଦ୍ଧ ପୂଜାର୍ଚ୍ଚନା ଆୟୋଜନ ହୋଇଥିଲା । ମା’ଙ୍କଠାରୁ ଅଜ୍ଞାମାଳ ଓ ମଶାଲ ଆଣି ଏକ ବିରାଟ ପଟୁଆରରେ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ତିନି ଠାକୁରଙ୍କଠୁ ଆଜ୍ଞାମାଳ ଘେନି ଉକ୍ତ ଶୋଭାଯାତ୍ରା ପୁଣି ସହର ପରିକ୍ରମା କରି ‘ଚଇତି’ ପଡିଆଠାରେ ପହଞ୍ଚିଥିଲା । ବିରାଟ ଶୋଭାଯାତ୍ରା ପଟୁଆରା ସାଙ୍ଗକୁ ସହର ରାସ୍ତା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହାକୁ ଦେଖିବା ଲାଗି ସହର ରାସ୍ତା ଜନସମୁଦ୍ରରେ ପରିଣତ ହୋଇଥିଲା । ଶେଷରେ ଉକ୍ତ ପଦଯାତ୍ରା ‘ଚଇତି’ ପଡିଆରେ ପହଞ୍ଚିବା ପରେ ସେଠାରେ ମଶାଲ୍ ଓ ଆଜ୍ଞାମାଳ ମଞ୍ଚରେ ସ୍ଥାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ପଲ୍ଲିଶ୍ରୀ ମେଳାକୁ ଉଦ୍ଘାଟନ କରିଥିଲେ । ଏଥିସହ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ସହ ଷ୍ଟଲ ପରିଦର୍ଶନ କରିଥିଲେ । ପରେ ଶ୍ରୀ ମିଶ୍ର ମଞ୍ଚରେ ଉପସ୍ଥିତ ରହି ‘ଚଇତି’ ମହୋତ୍ସବ-୨୦୧୯ ଶୁଭାରମ୍ଭ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଆଦିବାସୀ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା, ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବୀଣାପାଣି ସାହୁକାର, ରାୟଗଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ଭାଷଣରେ ଦୁଇ ହଜାର ବର୍ଷ ପୂର୍ବରୁ ରାୟଗଡ଼ା ମାଟିରେ ଯାହା କଳା ସଂସ୍କୃତି ରହିଥିଲା ତାହା ଆଜି ବି ଆଦିମ ଅଧିବାସୀଙ୍କ ମଧ୍ୟରେ ଉଜ୍ଜୀବିତ ହୋଇ ରହିଛି । କିନ୍ତୁ ଆଗାମୀ ୨୦୦୦ ବର୍ଷ ଯାଏଁ ଆଧୁନିକତାର ଛାପରେ ଏ ଗୁଡ଼ିକ ବିଲୀନ ହେବାକୁ ଯାଉଛି । କିନ୍ତୁ ଚଇତି ଭଳି ମଞ୍ଚ ପ୍ରତିବର୍ଷ କଳା ସଂସ୍କୃତି ଯେଭଳି ଉଜ୍ଜୀବିତ ହେଉଛି ତାହା ଆଗାମୀ ଦଶନ୍ଧି ଦଶନ୍ଧି ଧରି ରହିଥିବ, ଏହା ହିଁ ଚଇତିର ବିଶେଷତ୍ୱ ବୋଲି କହିଥିଲେ । ଏମାନଙ୍କ ଆଦିମ କଳା ସଂସ୍କୃତି ଆଜି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଦିବାସୀଙ୍କ ଖାଦ୍ୟାଭ୍ୟାସକୁ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଓବାମା ଅନୁକରଣ କରନ୍ତି । ପ୍ରକୃତିକୁ ନେଇ ଆଦିବାସୀଙ୍କ ପରମ୍ପରା ରହିଆସିଛି । ଆଜିର ବିଶ୍ୱ ସାମଗ୍ରିକ ବିକାଶ ପାଇଁ ଆଦିବାସୀଙ୍କ ଠାରୁ ଶିକ୍ଷା ଲାଭ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଗାନ୍ଧିଙ୍କ ଉକ୍ତି ‘ମା ମୁଝେ ଖାଦି ଦେଦେ, ମେ ଗାନ୍ଧି ବନ୍ ଜାଉଙ୍ଗା’କୁ ସେ ମଞ୍ଚରେ ଦୋହରାଇଥିଲେ । ଗ୍ରାମର ବିକାଶ ହେଲେ ଜିଲ୍ଲାର ବିକାଶ ଓ ରାଜ୍ୟ ଏବଂ ଦେଶର ବିକାଶ ହେବ ବୋଲି କହିଥିଲେ । ସମ୍ମାନୀତ ରୂପେ ଯୋଗଦେଇଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣମନ୍ତ୍ରୀ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଆଦିବାସୀ ଲୋକକଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିଛି ଚଇତି ମଞ୍ଚ । ଶିକ୍ଷା, ସଂସ୍କୃତି, ସାହିତ୍ୟକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଛି ଏହି ଚଇତି ମଞ୍ଚ । ଏହି ମଞ୍ଚ ମାଧ୍ୟମରେ ଗାଁ ଗହଳିର ଲୁକ୍କାୟିତ ପ୍ରତିଭା ପ୍ରସ୍ଫୁଟିତ ହୋଇପାରୁଛି । ଲୁକ୍କାୟିତ ପ୍ରତିଭାକୁ ଜନସାଧାରଣଙ୍କ ନିକଟରେ ପରିଚିତ କରୁଛି ଏହି ଚଇତି ମଞ୍ଚ । ଚଇତି ଭାଇଚାରାର ପର୍ବ ଓ ଆଦିବାସୀଙ୍କ ପର୍ବ । ସମସ୍ତେ ଏକତ୍ରିତ ହୋଇ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହି ମହୋତ୍ସବରେ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ପ୍ରମୁଖ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଆଜାଦ ହିଂନ୍ଦ ୟୁଥ ଆସୋସିଏସନ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଅନୀତା ରାଜଗୁରୁଙ୍କ ଦ୍ୱାରାମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ପୁଟାସିଂରୁ ଅଞ୍ଚଳରୁ ଆସିଥିବା ରାୟଗଡା ଜିଲ୍ଲାର ଆଦିବାସୀ ଲୋଲନୃତ୍ୟ କଳାକାରଙ୍କ ଦ୍ୱାରା ଲାଞ୍ଜିଆ ସୌରା ନୃତ୍ୟ ପରିବେଷଣ ବେଳେ ଦର୍ଶକ ମନଭରି ଉପଭୋଗ କରିଥିଲେ । ତତ୍ସହ ପଡୋଶୀ ଦେଶ ନେପାଳ ଓ ଶ୍ରୀଲଙ୍କାର ଲୋକନୃତ୍ୟ ପରିବେଷଣ କଳାଶୈଳୀ ଦର୍ଶକଙ୍କ ମନ ମୋହିଥିଲା । ପ୍ରଥମ ଦିନରେ ଲାଞ୍ଜିଆ ସୋଉରା, ପାଇକ ଅଖାଡା, ଛତିଶଗଡି ଓ ମଧ୍ୟପ୍ରଦେଶ ରାଜ୍ୟର ଲୋକନୃତ୍ୟ ପରିବେଷଣ ବେଳେ ମଞ୍ଚ ଦୁଲିକିଥିବା ବେଳେ ଦର୍ଶକ ଏହର ଖୁବ ମଜା ନେଉଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ







