ରିଲିଫ ଓ ଉଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ଧର୍ମେନ୍ଦ୍ର

ଭୁବନେଶ୍ବର : ଗଜପତି ଓ ଗଞ୍ଜାମ‌ର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଦିନକ ପରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ଗତ ୧୮ ତାରିଖରେ  ଉଭୟ ଜିଲ୍ଲା ଗସ୍ତ କରି ଲୋକଙ୍କ ଭେଟିବା ପରେ ରାଜ୍ୟ ସରକାରଙ୍କୁ ଭତ୍ସର୍ନା କରିଛନ୍ତି। ସେଦିନ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଅସନ୍ତୋଷ ଓଗାଳିଲା ପରେ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟ ସରକାର ସାହୁକାର ପରି ମଣିଷ ଜୀବନକୁ ଟଙ୍କାର ବିନିମୟରେ ବିବେଚନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ‌ପ୍ରଭାବିତ ଅଞ୍ଚଳ ଗସ୍ତ କଲା ପରେ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଜିରୋ କାଜୁଆଲିଟି ମୋହରୁ ବାହାରି ବନ୍ୟା ନେଇ ଲୋକଙ୍କୁ ସତର୍କ କରାଇବା ଦାୟିତ୍ବ ନେଇଥିଲେ ଏପରି ଅଭାବନୀୟ ପରିସ୍ଥିତି ହୋଇ ନ ଥା’ନ୍ତା। ବାତ୍ୟା ତିତିଲି ପ୍ରଭାବରେ ଲୋକମାନେ ଘୋର ଅବ୍ୟବସ୍ଥାରେ ରହୁଛନ୍ତି। ବାତ୍ୟାର ୮ ଦିନ ପରେ ବି ଭୟଙ୍କର ସମସ୍ୟା ରହିଛି। ଅନେକ ଗାଁ ଓ ଏହାର ଆଖପାଖ ଅଞ୍ଚଳକୁ ପକ୍କା ରାସ୍ତା ନାହିଁ। ସରକାର ରାଜ୍ୟର ୯୫ ଭାଗ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯାଇଥିବା କହୁଥିଲା ବେଳେ ଏହି ଅଞ୍ଚଳରେ ବିଦ୍ୟୁତ ନାହିଁ। ରିଲିଫ୍ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ପହଞ୍ଚି ନାହିଁ। ଆସ୍କା ପରି ଏକ ବ୍ୟବସାୟିକ ସହରରେ ଲୋକମାନେ ଅନେକ ଦିନ ଧରି ପାଣିରେ ବୁଡ଼ିକି ରହିବା କଳ୍ପନା କରାଯାଇପାରୁ ନାହିଁ। ଏଠାରେ ବି ରିଲିଫ୍ ମିଳି ନ ଥିବା ଅଭିଯୋଗ ହୋଇଛି। ଏ ଯାଏ ଫସଲ କ୍ଷତିର ଆକଳନ ଠିକ୍ ଭାବେ କରାଯାଇ ନାହିଁ। ପ୍ରଶାସନକୁ ଜଣାଥିଲା ଯେ ବଡ଼ ବାତ୍ୟା ଆସୁଛି, ବର୍ଷା ହେବ ଓ ପାଣି ବଢ଼ିବ। ମିଛ ମିଛିକା ଉପକୂଳ ଅଞ୍ଚଳରେ ଓ ଭୁବନେଶ୍ବରରେ ଜିରୋ କାଜୁଆଲିଟି ମୋହରେ ପଡ଼ି ଗଞ୍ଜାମ ଓ ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଓ ଚାଷୀଙ୍କୁ ଅଣଦେଖା କରାଗଲା। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ର ସରକାରଙ୍କ ୯୦ ପ୍ରତିଶତ ଅଂଶ ରହିଛି। କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ଠିକ୍ ବିବରଣୀ ଦେଲା ପରେ କେନ୍ଦ୍ର ସରକାରଙ୍କ ଏନ୍‌ଡିଆର୍‌ଏଫ୍‌ରୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।