

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋର୍ଟପେଟା ଛକ ସ୍ଥିତ ଆର.କେ ଡାଏବେଟିକସ୍ ଓ ଏଣ୍ଡୋକ୍ରାଇନୋଲୋଜି ସେଣ୍ଟର ପକ୍ଷରୁ ବ୍ରହ୍ମପୁର ଟାଉନ ହଲ ପରିସରରେ ରବିବାର ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଆର.କେ ଡାଏବଟେିକସ୍ ସେଣ୍ଟରର ମୁଖ୍ୟ ତଥା ସହରର ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଆସୋସିଏଟ ପ୍ରଫେସର ଡା. ପି. ରବି କୁମାରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଅଧ୍ୟକ୍ଷ ତଥା ଡିନ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ରେଡକ୍ରସ ବିଶ୍ୱର ଏକ ବଡ ସଂସ୍ଥା ବୋଲି କହିବା ସହ ଯେତେବେଳେ ମହାମାରୀ ଆସେ ରେଡକ୍ରସ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସେବା ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ଏମକେସିଜିର ଉପାଧ୍ୟକ୍ଷ ପ୍ରଫେସର ଡା. ଦୁର୍ଗଚରଣ ଶତପଥି ସମ୍ମାନୀତ ଅତିଥିଭାବେ ଯୋଗଦେଇ ରେଡକ୍ରସ ଦିବସ ପାଳନ ଓ ଟୀକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା. ରବି କୁମାର ନିଜ ବକ୍ତବ୍ୟରେ ମଧୁମେହ ରୋଗ ବିଷୟରେ ଆର.କେ ଡାଏବେଟିକସ୍ ସେଣ୍ଟର ପକ୍ଷରୁ ଜନସାଧାରଣଙ୍କୁ କିଭଳି ସଚେତନ କରାଯାଉଛି ତାହା ଜଣାଇବା ସହ ‘ମଧୁମେହ ଓ କୋଭିଡ’ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ମଧୁମେହ ରୋଗୀଙ୍କୁ ସହଜରେ କରୋନା ହୁଏ ନାହିଁ, ଆଉ ଯଦି ହୁଏ ତେବେ ତାହା ଅତି ମାରାତ୍ମକ ହୋଇଯାଏ ବୋଲି ଡା. ରବିକୁମାର କହିଥିଲେ । ସେହିପରି ସନ୍ତୁଳିତ ଖାଦ୍ୟପେୟ, ନିୟମିତ ବ୍ୟାୟାମ, ମାନସିକ ଚାପରୁ ଦୂରରେ ରହିଲେମଧୁମେହକୁ ରୋକା ଯାଇ ପାରିବ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ବରିଷ୍ଠ କର୍ମଚାରୀ ଡ. ଶଙ୍କର ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାମାୟୀ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ. ସ୍ୱର୍ଣ୍ଣଲତା ପଟ୍ଟାନୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲୋକସେବ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ସାମନ୍ତ, କଳିଙ୍ଗ ବିଦ୍ୟାମନ୍ଦିର ସମ୍ପାଦକ ହରିକୃଷ୍ଣ କୋଠିଆ, ଅଧ୍ୟାପକ ଡ. ରମେଶ ପ୍ରଧାନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲା ଇକୋ କ୍ଳବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ ଧନ୍ୟବାଦ ଦେଇଥିଲେ । ଆର.କେ ଡାଏବେଟିକସ୍ ପକ୍ଷରୁ ଟାଉନହଲରେ ଉପସ୍ଥିତ ୨୦୦ରୁ ଉର୍ଦ୍ଧ୍ୱେ ବ୍ୟକ୍ତିଙ୍କ ମଧୁମେହ ଓ ଥାଇରଏଡ ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା । ସେହିପରି ଉପସ୍ଥିତ ବ୍ୟକ୍ତିମାନେ ମଧୁମେହକୁ ନେଇ ନିଜ ମନରେ ଥିବା ବିଭିନ୍ନ ପ୍ରଶ୍ନ ଡା. ରବିକୁମାରଙ୍କୁ ପଚାରି ଦ୍ବନ୍ଦ ଦୂର କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ସେଣ୍ଟରର ସମସ୍ତ କର୍ମଚାରୀ ଓ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

