ରୋଜଗାର ଯୋଗାଇ ଦେବା ଦାବି ନେଇ ଆସନ୍ତା ୭ରେ ବିଧାନସଭା ଘେରାଓ କରିବ ଯୁବମୋର୍ଚ୍ଚା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଯୁବମାରଣ ନୀତି, ରୋଜଗାର ପ୍ରଦାନରେ ବିଫଳତା, ଓଡିଆ ଯୁବକ ଯୁବତୀମାନଙ୍କୁ ସ୍ୱରୋଜଗାର କରିବାରେ ବାଧକ ସାଜୁଥିବା ରାଜ୍ୟ ସରକାର ବିରୁଦ୍ଧରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ଫେବୃଆରୀ ୭ ତାରିଖରେ ଲକ୍ଷାଧିକ ଓଡିଆ ଯୁବକ ଯୁବତୀ ବିଧାନସଭା ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥି ସହ ସେମାନେ ସେମାନଙ୍କ ସାର୍ଟିଫିକେଟ୍ ରାଜ୍ୟସରକାରଙ୍କୁ ଫେରାଇବେ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି । ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ସୁଚନା ଦେଇ କହିଛନ୍ତି ଯେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବିଶେଷ କରି ଯୁବପୀଢିଙ୍କୁ ନିୟୁକ୍ତି ଦେବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ଦୀର୍ଘ ବର୍ଷ ଶାସନ ଗାଦିରେ ଶାସକ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ରିପାରିଲେ ନାହିଁ । ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ପଡିଛି । ସେହିପରି ରାଜ୍ୟସରକାର ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଇନାହାଁନ୍ତି । ଅନ୍ୟପଟେ ରାଜ୍ୟସରକାର ଏନଟିପିସି, ଜାତୀୟ ରାଜପଥ, ତୈଳ ଗଚ୍ଛିତ କେନ୍ଦ୍ର ଆଦି ପ୍ରକଳ୍ପକୁ ଆଗକୁ ନେବାରେ ବାଧକ ସାଜିଛନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ସମାଜର ସବୁଠାରୁ ବଡ ବର୍ଗ ଯୁବସମାଜଙ୍କୁ ନବୀନ ସରକାର ଧୋକ୍କା ଦେଇଚାଲିଛନ୍ତି । ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇନାହଁନ୍ତି ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର