ସୋରଡ଼ା (ସମୃଦ୍ଧ ଓଡିଶା) ବଡ଼ଗଡ଼ ଥାନା ଅନ୍ତର୍ଗତ ଅଞ୍ଚଳରେ ବହୁଳ ପରିମାଣରେ ଗଞ୍ଜେଇ ଗଛ ଲଗାଯାଇଥିବା ଖବର ପାଇ ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି । ବଡ଼ଗଡ଼ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ବଡ଼ଗଡ଼ ପୋଲିସ ସମେତ ସୋରଡ଼ା ଅବକାରୀ ବିଭାଗ ଓ ସ୍ଥାନୀୟ ତହସିଲଦାର ଅମର କୁମାର ବସନ୍ତରାୟ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗୌଡ଼ଗୋଠ ପଞ୍ଚାୟତର ଶଗଡ଼ବସା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବହୁ ପରିମାଣର ଗଞ୍ଜେଇ ଗଛ ଲଗାଯାଇଥିବା ଦେଖିବାକୁ ପାଇଥିଲେ । ଥାନା କର୍ମଚାରୀ ଓ ତହସିଲଦାରଙ୍କ ଚଢଉ ଦେଖି ସମସ୍ତେ ସେଠାରୁ ଚାଲିଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ତନାଘନା କରିଥିଲେ ମଧ୍ୟ କେହି ଧରାପଡ଼ିନଥିଲେ । ପରେ ପୋଲିସ ବଡ଼ଗଡ଼ ଅଞ୍ଚଳର ସମସ୍ତ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଥିଲେ । ତେବେ ଏହି ଅଞ୍ଚଳରେ ଲଗାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପୋଲିସ ଅନୁମାନ କରୁଛି । ଆଉ କିଛି ଅଞ୍ଚଳରେ ମଧ୍ୟ ଏହି ଚାଷ କରାଯାଉଥିବା ସନ୍ଦେହ କରି ପୋଲିସ ତଦନ୍ତ ଜାରୀ ରଖିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା