ଲୁଟେରାଙ୍କ ନଜର ଏବେ ବ୍ୟାଙ୍କ ଉପରେ…

ଶେରଗଡ଼ (ସମୃଦ୍ଧ ଓଡିଶା) ଲୁଟେରାଙ୍କ ନଜର ଏବେ ପଡ଼ିଛି ବ୍ୟାଙ୍କ ଉପରେ । ଶେରଗଡ଼ ବ୍ଳକ ତଥା ହିଞ୍ଜିଳି ଥାନା ଅନ୍ତର୍ଗତ ଠୁରୁଵୁରାଇ ଗ୍ରାମରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାର ମୁଖ୍ୟ କବାଟ ଭାଙ୍ଗି ଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବ୍ୟାଙ୍କ କର୍ମଚାରୀମାନେ ଗତକାଲି ନିଜ କାର୍ଯ୍ୟ ସାରି ଘରକୁ ଫେରିଥିଲେ । ରାତିରେ କେହି ଅଜଣା ଦୁର୍ବୃତ୍ତ ମାନେ ଲୁଟ ଉଦ୍ୟମ କରି ବ୍ୟାଙ୍କର ମୁଖ୍ୟ ଫାଟକ ତାଲା ଭାଙ୍ଗି ଦେଇଛନ୍ତି । ସବୁ ଠାରୁ ବଡ କଥା ଲୁଟେରାମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରି ଲକର୍ ଖୋଲି ପାରି ନାହାନ୍ତି ଯାହା ଫଳରେ ଏକ ବଡ଼ ଧରଣର ଲୁଟ୍ ବିଫଳ ହୋଇଛି । ଏହାକୁ ଅନୁଧ୍ୟାନ କଲେ ନିଛାଟିଆ ରାତିରେ ଘଟିଥିବା ଜଣାପଡୁଛି । ତାଲା ଭାଙ୍ଗି ଭିତରକୁ ପ୍ରବେଶ କଲେ ବେଳେ ବ୍ୟାଙ୍କରେ ସାଇରନ ବାଜେ କିନ୍ତୁ ରାତିରେ ସାଇରନ୍ ମଧ୍ୟ ବାଜି ନାହିଁ । ସକାଳୁ ତାଲା ଭାଙ୍ଗି ଥିବା ପୋଲିସ ଖବର ପାଇ ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏହି ଘଟଣାରେ ବ୍ୟାଙ୍କ ପକ୍ଷରୁ ଏତଲା ଦେବା ପରେ କେସ ନମ୍ବର ୨୦୫/୨୦ରେ ଏକ ମାମଲା ରୁଜୁ କରି ଏସଆଇ ବାସୁଦେବ ଭୋଇ ତଦନ୍ତ କରୁଥିବା ଜଣାପଡିଛି । ବ୍ୟାଙ୍କରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ସାଇର୍ ତାର ମଧ୍ୟ କାଟି ଦେଇଛନ୍ତି ଲୁଟେରା । ସନ୍ଧାନୀ କୁକୁର, ସାଇଣ୍ଟିପିକ୍ ଟିମ୍ ମଧ୍ୟ ଅନୁଧ୍ୟାନ କରି ଫେରିଛି । ସିସି ଟିଭି ଫୁଟେଜକୁ ଆଧାର କରି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଇଛି । ସମସ୍ତ କାଗଜ ପତ୍ର, ସୁନାଟଙ୍କା ଇତ୍ୟାଦି ସୁରକ୍ଷିତ ରହିଥିବା ଆଇଆଇସି ଦାସ କହିଛନ୍ତି ।

ରିପୋର୍ଟ : ବିପ୍ଳବ ସେଠୀ