
ଭୁବନେଶ୍ୱର: ଓଡିଶାରେ ଲୋକାୟୁକ୍ତ ଗଠନ ଓ ନିଯୁକ୍ତିରେ ଅହେତୁକ ବିଳମ୍ବ ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକୟୁକ୍ତ ଆଇନ୍ କୁ ନିର୍ବାଚନୀ ଫାଇଦା ପାଇଁ ନବୀନଙ୍କ ସରକାର ବ୍ୟବହାର କରୁଛି ବୋଲି ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କ ପାଖରେ ନିଜର ଭାବମୂର୍ତିକୁ ସୁଦୃଢ କରିବା ପାଇଁ ଗତ ୫ ଫେବୃୟାରୀ ୨୦୧୪ରେ ନବୀନ ବାବୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ଲୋକାୟୁକ୍ତ ଗଠନ ପାଇଁ ଏକ ନୂତନ ଅଧିନିୟମ ପ୍ରଣୟନ କରିବା ନିମିତ ପ୍ରସ୍ତାବକୁ ଅନୁମୋଦନ କଲେ । ତା’ପରେ ଓଡିଶା ଲୋକାୟୁକ୍ତ ବିଲ୍ – ୨୦୧୪କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଗଲା । ୧୬ ଜାନୁୟାରୀ ୨୦୧୫ ରେ ମାନ୍ୟବର ରାଷ୍ଟ୍ରପତି ଏହି ବିଲ୍ କୁ ଅନୁମୋଦନ କଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଶା କରାଯାଉଥିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଆଇନ୍ ବିଭାଗ ପରେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଲୋକାୟୁକ୍ତ ବିଲ୍ ଫାଇଲ୍ କୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ନିଜ ପାଖକୁ ନେଇଗଲା । ଆହୁରି ଗୁରୁତ୍ୱର ଅଭିଯୋଗ ହେଲା ଜାନୁଆରୀ ୨୦୧୫ ରୁ ମଇ ୨୦୧୮ ପର୍ଯ୍ୟନ୍ତ ଅର୍ଥାତ ୩ ବର୍ଷ ୪ ମାସ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନବୀନ ବାବୁଙ୍କ ଦପ୍ତର ଏ ଫାଇଲ୍ କୁ ନିଜ ପାଖରେ ରଖିଲେ । ଆଗକୁ ଯେହେତୁ ସାଧାରଣ ନିର୍ବାଚନ, ସେପଟେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ତାଗିଦ୍ କୁ ଦେଖି ତରବରିଆ ଭାବେ ୨୩ ଜୁନ୍ ୨୦୧୮ ରେ ବିଲ୍ ବ୍ୟବସ୍ଥା ଅନୁଯାୟୀ ତାକୁ ଗେଜେଟ୍ ପ୍ରକାଶ କରାଗଲା ଏବଂ ୭ ଜୁଲାଇ ୨୦୧୮ ରୁ ଏହା କାର୍ଯ୍ୟକାରୀ ହେଲା ବୋଲି କୁହାଗଲା । ଏଥିସହିତ ଲୋକପାଳ ନିଯୁକ୍ତି ପାଇଁ ଉପର ଠାଉରିଆ ଭାବେ ଏକ ସର୍ଚ୍ଚ କମିଟି ଗଠନ କରାଗଲା । ଯାହାର ଅବଧି ଥିଲା ୩ ମାସ । ୩ ମାସ ମଧ୍ୟରେ କିଛି ନକରି ରାଜ୍ୟ ସରକାର ଚୁପ୍ ବସିପଡିଲେ । ଏବେ ଆଉ ୩ ମାସ ଅଧିକ ସମୟ ଆବଶ୍ୟକତା ଅଛି ବୋଲି କହି ସୁପ୍ରିମ୍ କୋର୍ଟଙ୍କ ଠାରୁ ମହଲତ ମାଗିଲେ । ଯାହାକୁ ମାନ୍ୟବର ଅଦାଲତ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କ ମତିଗତିକୁ ଭର୍ତ୍ସନା କରିଛନ୍ତି । ଲୋକପାଳ ଗଠନକୁ ବିଳମ୍ବ କରିବା ଏବଂ ନିଯୁକ୍ତିରେ ଟାଳଟୁଳ ନୀତି ଆପଣେଇବ। ପଛର ମାଷ୍ଟର ମାଇଣ୍ଡ୍ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଅଭିଯୋଗ ଆଣିଛନ୍ତି । ଏଥିସହିତ ୩ ବର୍ଷ ୪ ମାସ ଧରି ଫାଇଲ୍ କୁ ଯେଭଳି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କାହିଁକି ଚାପି ରଖିଲେ ଓଡିଶାବାସୀଙ୍କ ସମ୍ମୁଖରେ ତାହାର ଜବାବ ରଖନ୍ତୁ ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।