ଶହେ ବର୍ଷ ପୂରଣ କଲା ମଧୁବନ ପ୍ରାଥମିକ ବିଦ୍ୟାଳୟ…

ମଧୁବନ (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ମଧୁବନ ପ୍ରାଥମିକ ବିଦ୍ୟାଳୟ ୨୭ ତାରିଖ ଶୁକ୍ରବାର ଶତବାର୍ଷିକୀ ପୂରଣ କରିଛି । ସ୍ୱାଧୀନତା ପୂର୍ବରୁ ଅର୍ଥାତ୍‌ ୧୯୧୮ ମସିହା ଡିସେମ୍ବର ୨୭ ତାରିଖରେ ମଧୁବନରପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ ସତ୍ୟବାଦୀ ରଥଙ୍କ ଉଦ୍ୟମରେ ଏବଂ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ଏହି ଐତିହାସିକ ଶିକ୍ଷାନୁଷ୍ଠାନଟି ପ୍ରତିଷ୍ଠିତ ହୋଇଥିଲା । ବହୁ ବର୍ଷ ଧରି ଏହି ବିଦ୍ୟାଳୟ ଆବାସିକ ବିଦ୍ୟାଳୟ ରୂପେ ଚାଲିଥିଲା ଏବଂଶତାଧିକ ଛାତ୍ରଙ୍କୁ ରହିବା, ଖାଇବା ବ୍ୟବସ୍ଥା କରାଯାଇଥିଲା । ସେତେବେଳେ ଶିକ୍ଷାର ପ୍ରସାର ନିମନ୍ତେ ଆଖପାଖର ପ୍ରାୟ ୨୦ଟି ଗ୍ରାମର ଶିକ୍ଷାର୍ଥୀଙ୍କ ପାଇଁ ଉକ୍ତ ବିଦ୍ୟାଳୟଟି ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠା ପାଇଥିଲା । ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ବିଦ୍ୟାଳୟଟି ସେତେବେଳେ ବନ ବିଦ୍ୟାଳୟ ଭଳି ସୁଖ୍ୟାତି ଅର୍ଜନ କରିଥିଲା । ମଧୁବନର ପ୍ରାକୃତିକ ଶୋଭାରାଜି ପିଲାମାନଙ୍କୁ ଆକର୍ଷିତ କରୁଥିଲା । ଗ୍ରାମ ପାଶ୍ୱର୍ରେ ଚିର ପ୍ରବହମାନ ଘୋଡ଼ାହାଡ଼ ନଦୀ ନିକଟରେ ଉଜ୍ୱଳେଶ୍ୱର ଓ ଲୋକନାଥେଶ୍ୱର ଶୈବପୀଠ ବିଦ୍ୟମାନ ଥିବାବେଳେ ଶିକ୍ଷା କ୍ଷେତ୍ରରେ ଏହି ଗ୍ରାମ ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି । ଉକ୍ତ ସ୍କୁଲରେ ଅଧ୍ୟୟନକରିଥିବା ବହୁ ଛାତ୍ର ଦେଶ ବିଦେଶରେ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମଧୁବନ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଗତ ବର୍ଷ ଡିସେମ୍ବର ୨୭ ତାରିଖରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଏହି ଉତ୍ସବର ଉଦଯାପନୀ ଦିବସ । ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁବୁଦ୍ଧିଜୀବୀ, ପୂର୍ବତନ ଛାତ୍ରଛାତ୍ରୀ, ସମାଜସେବୀ, ଶିକ୍ଷାବିତ, ଯୁବ ଛାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବାସହ ଅଞ୍ଚଳର ଶିକ୍ଷା ବିକାଶର ମୂକସାକ୍ଷୀ ମଧୁବନ ବିଦ୍ୟାଳୟ ଶହେ ବର୍ଷ ପୂରଣ କରିଥିବାରୁ ଖୁସି ପ୍ରକଟ କରିଥିଲେ । ଏହି ବିଦ୍ୟାଳୟ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଭାବେ ସୁଖ୍ୟାତି ଅର୍ଜନ କରିପାରିଛି ବୋଲି ମତପ୍ରକାଶ ପାଇଛି । ସୂଚନାଥାଉକି, ରାଜା ପଦ୍ମନାଭ ଅନଙ୍ଗ ଭୀମଦେବଙ୍କ ନିକଟସ୍ଥ ବିଜୟନଗର ଗଡ଼ ପ୍ରତିଷ୍ଠା କରିବା ଅବସରରେ ୧୬୮୫ ମସିହାରେ ଜନୈକ ବ୍ରାହ୍ମଣ ବାସୁଦେବ ରଥଶର୍ମାଙ୍କ ପୁତ୍ର ପଣ୍ଡିତ ରଘୁନାଥ ରଥଶର୍ମା ମଧୁବନଗ୍ରାମର ପ୍ରଥମ ବାସିନ୍ଦା ଏବଂ ସେ ହିଁ ଗ୍ରାମର ପ୍ରତିଷ୍ଠାତା ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

One thought on “ଶହେ ବର୍ଷ ପୂରଣ କଲା ମଧୁବନ ପ୍ରାଥମିକ ବିଦ୍ୟାଳୟ…

  1. Rabi bhai bahut dhanyabada. Satabasriki uchhaba ayojanpain.. Puruna smruti ku ujagar kala…………………

    Ananta ram panda?????

Comments are closed.