ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଆମେ ଓଡିଆମାନେ ସଦା ସର୍ବଦା ଖାଦ୍ୟ ପ୍ରିୟ । ବାର ମାସେ ତେର ପର୍ବ କରି ମହାପ୍ରଭୁଙ୍କର ପର୍ବ ପର୍ବାଣୀକୁ ଘରେ ଘରେ କେଉଁ ଅବାହମାନ କାଳରୁ ପାଳନ କରି ଆସୁଛନ୍ତି । ସକଳ ଶକ୍ତିର ଉତ୍ସ ସୂର୍ଯ୍ୟନାରାୟଣ ଓଡିଶାରେ ବିଭିନ୍ନ ସମୟରେ,ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପୂଜା,ଆରାଧନା ପାଉଛନ୍ତି।ଶାମ୍ବ ଦଶମୀ ଓଡିଶାର ଏକ ସୌର ପର୍ବ,ଯାହା ଘରେ ଘରେ ପୂଜା କରାଯାଏ।ଅର୍କ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ୱ ପ୍ରସିଦ୍ଧ।ଗଞ୍ଜାମର ବୁଗୁଡାରେ ବିରଞ୍ଚିନାରାୟଣ,ବେଲଗୁଣ୍ଠାରେ ସ୍ୱତନ୍ତ୍ର ସୂର୍ଯ୍ୟ ମନ୍ଦିର ରହିଛି । କିନ୍ତୁ ଉଦୟାଚଳରେ ଅରୁଣ ଉଦୟ ହେବା ମାତ୍ରେ ହାତରେ ପାଣି ନେଇ ଅର୍ଘ୍ଯ ରୂପେ ପ୍ରତିଦିନ ପ୍ରଦାନ କରିଥାନ୍ତି। “ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍ ପ୍ରସୂତି,ସ୍ଥିତି,ନାଶ ହେତବେ,ତ୍ରୈ ମୈୟାୟ ତ୍ରିଗୁଣାତ୍ମ ଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ।”ଏହାତ ସ୍ନାନ ପରେ ପରେ ଜଳ ଅର୍ଘ୍ଯ ଦେଇଥାନ୍ତି।କିନ୍ତୁ ବିଷୁବ ସଂକ୍ରାନ୍ତି ,ମକର ସଂକ୍ରାନ୍ତି,ରବି ନାରାୟଣ ବ୍ରତ,ପୌଷ ଶୁକ୍ଳ ଦଶମୀରେ ଶାମ୍ବ ଦଶମୀ,ଓ ମାଘ ଶୁକ୍ଳ ସପ୍ତମୀ ଚନ୍ଦ୍ରଭାଗା ବୁଡରେ ସୂର୍ଯ୍ଯଦେବଙ୍କୁ ତିଳ ସପ୍ତମୀ ବୁଡରେ ଜଳ ଅର୍ଘ୍ଯ ଅର୍ପଣ କରାଯାଇଥାଏ।ଶାମ୍ବ ଦଶମୀ ଗତକାଲି,ବୁଧବାରେ ଯାଇଛି।ବାଳସୂର୍ଯ୍ଯ ଉଦୟ ସମୟରେ ଆବାହନା ଅର୍ଘ୍ଯରେ ଫଳ ନାରିକେଳ ଧୂପରେ ଲାଗେ,ମଧ୍ଯାହ୍ନରେ ସହଣିକ ପିଠା ସହ ଘଡଘଡିଆ ତରକାରୀ ସୂର୍ଯ୍ଯଦେବଙ୍କୁ ଆରତୀ,ବନ୍ଦାପନା କରି ସମର୍ପଣ କରାଯାଇଥାଏ।ଏହି ଦିନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଅର୍କ କ୍ଷେତ୍ରରେ ତପସ୍ଯା କରି ସୂର୍ଯ୍ଯଦେବଙ୍କୁ ସନ୍ତୋଷ କରି କୁଷ୍ଠ ରୋଗରୁ ଆରୋଗ୍ଯ ହୋଇଥିଲେ।ଏଣୁ ଜବା ଭୁବନ ଭାସ୍କରଙ୍କ ପ୍ରମୁଖ ପର୍ବ ଶାମ୍ବ ନାମରେ ଶାମ୍ବ ଦଶମୀ ହୋଇଛି।ଅସ୍ତାଚଳ ଯିବା ପୂର୍ବରୁ ସନ୍ଧ୍ୟା ଧୂପ ଅର୍ପଣ କରାଯାଇଥାଏ।
ଲେଖକ : ଦାମୋଦର ପାଢ଼ୀ , ଅବସରପ୍ରାପ୍ତ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ .