ଢେଙ୍କାନାଳ(ସମୃଦ୍ଧଓଡିଶା) ଢେଙ୍କାନାଳ ଜିଲା ସଦର ଥାନା ବିଦାବନ୍ଧ ଗ୍ରାମର ନଗେଶ କୁମାର ରାଉତ ହତ୍ୟା ମାମଲା ରାୟ ଗୁରୁବାର ପ୍ରକାଶ ପାଇଛି । ଏହି ମାମଲାର ରାୟ ପ୍ରକାଶ କରି ଢେଙ୍କାନାଳ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍(ଭିଜିଲାନ୍ସ) ପ୍ରଣତି ସାହା, ମାମଲାର ଅଭିଯୁକ୍ତ ରୁଦ୍ର ନାରାୟଣ ନାୟକ ଓରଫ୍ ଲିଟୁ ଓରଫ୍ ଦୁର୍ଯେ୍ୟାଧନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ବିଦାବନ୍ଧ ଗ୍ରାମର ନଗେଶ କୁମାର ରାଉତଙ୍କର ଭିଣୋଇ ହେଉଛନ୍ତି ନରଣପୁର ଗ୍ରାମର ରୁଦ୍ର ନାରାୟଣ ନାୟକ । ଘରୋଇ କଳିକୁ ନେଇ ଗତ ୨୩ା୩ା୨୦୧୯ ରାତି ପ୍ରାୟ ସାଢେ ୧୨ଟା ବେଳେ ଭିଣୋଇ ରୁଦ୍ର ନାରାୟଣ ଏକ କଟୁରୀ ଓ ଏକ ମାରଣାସ୍ତ୍ର ଧରି ଘରେ ପଶି ନଗେଶଙ୍କୁ ଆକ୍ରମଣ କରି ବିଭତ୍ସ ଭାବେ ହତ୍ୟା କରିଥିଲା । ଏହି ସମୟରେ ରୁଦ୍ର ନାରାୟଣଙ୍କ ପତ୍ନୀ ତଥା ନଗେଶଙ୍କ ଭଉଣୀ ଅନୁସୟା ଓରଫ୍ ରୁବି ଏବଂ ତାଙ୍କ ମା’ ଏହାର ପ୍ରତିରୋଧ କରିବାରୁ ରୁଦ୍ର ନାରାୟଣ ଉଭୟଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ମା’ ଝିଅ ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଘଟଣା ପରେ ରୁଦ୍ର ନାରାୟଣ ଫେରାର ହୋଇଯାଇଥିଲେ । ଘଟଣା ଦେଖି ଭଉଣୀ ରୁବି, ଅନ୍ୟତମ ଭାଇ ଦେବାଶିଷ ରାଉତଙ୍କୁ ଜଣାଇବା ପରେ ଦେବାଶିଷ ଘରେ ପହଁଚି ଦେଖନ୍ତି ତ, ନଗେଶଙ୍କର ମୃତ୍ୟୁ ହୋଇଯାଇଛି । ଏ ସଂକ୍ରାନ୍ତରେ ସେ ସଦର ଥାନାରେ ୨୪.୦୩.୨୦୧୯ରେ ଅଭିଯୋଗ କରିଥିଲେ । ସେହି ସମୟରେ ସଦର ଥାନାରେ କେସ୍ ନଂ-୧୨୨ା୨୪.୦୩.୨୦୧୯ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ଘଟଣାର ୬ଦିନ ପରେ ପୋଲିସ ରୁଦ୍ର ନାରାୟଣଙ୍କୁ ଗିରଫ କରିଥିଲେ । ଏହି ମାମଲାର ସିଟି ସେସନ୍ସ କେସ୍ ନଂ-୧୧୦/୧୯ର ବିଚାର କରି ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ବିଚାରପତି ପ୍ରଣତି ସାହା ଦୁଇଜଣ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାଶ୍ୱର୍ିକ ପରିସ୍ଥିତିକୁ ଆଧାରକରି ଘଟଣାର ଅଭିଯୁକ୍ତ ରୁଦ୍ର ନାରାୟଣ ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୫୦ହଜାର ଟଙ୍କା ଜରିମନା ଆଦେଶ କରିଥିଲେ । ଅନାଦୟେ ୬ମାସ ଅଧିକ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିମଳେନ୍ଦୁ ମହାପାତ୍ର, ଗଣେଶ୍ୱର ସାହୁ ଓ ଅକ୍ଷୟ କୁମାର ଭୋଇ ପରିଚାଳନା କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର