ଛତ୍ରପୁର (ସମୃଦ୍ଧ ଓଡିଶା) କୃଷକ ଓ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ଶିବ ସେନା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଓ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶ୍ରମ କାର୍ଯ୍ୟାଳୟରେ ପକ୍ଷପାତିତା କରାଯିବା ସହ ବର୍ଷ ବର୍ଷ ଧରି ଲୋକଙ୍କୁ ଲେବର କାର୍ଡ଼ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ଲେବର କାର୍ଡ଼ଧାରୀମାନଙ୍କ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ କରାଯିବା ସହ କାର୍ଡ଼ ପିଛା ୩ଶହରୁ ୫ଶହ ଟଙ୍କା ଆଦାୟ କରାଯାଉଛି । କାର୍ଡ଼ର ନବୀକରଣ ନାମରେ ବିନା ରସିଦରେ ଶହ ଶହ ଟଙ୍କା ଆଦାୟ କରାଯାଉଛି । ୧୫ ଦିନ ମଧ୍ୟରେ ଲେବର କାର୍ଡ଼ ଏବଂ ସମସ୍ତ ସହାୟତା ଶ୍ରମିକ ମାନଙ୍କୁ ପ୍ରଦାନ କରିବାକୁ ଶିବ ସେନା ପକ୍ଷରୁ ଦାବି ହୋଇଛି । ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ସେହିଭଳି ଧାନ କିଣିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ଷାରେ ଖରାପ ହୋଇଥିବା ଧାନ ସମବାୟ ସମିତି ଗ୍ରହଣ କରୁନାହିଁ । ଅନ୍ୟ ପକ୍ଷରେ ୧୦୦ କେଜି ଓଜନ କରି ୯୦ କେଜିର ଟଙ୍କା ଚାଷୀଙ୍କୁ ଦେଉଥିବା ଅଭିଯୋଗ ହୋଇଛି । ସମବାୟ ସମିତିର ଦୋମୁହା ନୀତି ଦୁର୍ନୀତି ଆଡ଼କୁ ଗତି କରୁଛି ବୋଲି ଶିବ ସେନା ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ପାଇଁ ଶିବ ସେନା ଦାବି କରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନର ସିମାଂଚଳ ପାଢି, ଜିଲ୍ଲା ପ୍ରମୁଖ ସନାତନ ଚୌଧୁରୀ, କାହ୍ନୁଚରଣ ସାହୁ, ମୀନତି ପାତ୍ର, ତୁଳସାୟା ରେଡ୍ଡି, ରାଜେନ୍ଦ୍ର ରାଓ, ରାଜେଶ ମହାରଣା, ସୁମିତ୍ରା ବେହେରା, ଗୋବିନ୍ଦ ଦାଶ ପ୍ରମୁଖ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା