ଶୁକ୍ରବାର ଅମିତାଭଙ୍କ ‘କୌନ ବନେଗା କରୋଡପତି’ରେ ହକି ବିଶ୍ୱକପ୍ ର ସ୍ୱତନ୍ତ୍ର ଅଧ୍ୟାୟ..

– ପ୍ରସାଦ ରାଓ –

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍ କୁ ନେଇ ସବୁ ମହଲରେ ଉତ୍ସାହ ବଢିବାରେ ଲାଗିଛି । ଏହି ‘ହକି ମହାକୁମ୍ଭ’କୁ ସଫଳ କରିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଆଡୁ ତାହାର ପ୍ରଚାର, ପ୍ରସାର ଦାୟିତ୍ୱ ନେଇ ଥିବା ବେଳେ ବଲିଉଡ୍ ସେହେନ୍ସା ଅମିତାଭ ବଚ୍ଚନଙ୍କ ସଂଚାଳନାରେ ସୋନି ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ର ୧୨ ତାରିଖ (ଶୁକ୍ରବାର) ଅଧ୍ୟାୟରେ ଏହାର ଜଲୱା ଦେଖିବାକୁ ମିଳିବ । ଶୁକ୍ରବାରର ସୋ’ରେ ହକି ବିଶ୍ୱକପ୍ କୁ ନେଇ ଏକ ସ୍ୱତନ୍ତ୍ର ଅଧ୍ୟାୟ ପ୍ରସାରିତ ହେବାକୁ ଥିବା ଏଠାରେ ସୂଚନା ମିଳିଛି । ଏବେ ଏହି ସ୍ୱତନ୍ତ୍ର ଅଧ୍ୟାୟର ‘ପ୍ରୋମୋ’ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ‘ପ୍ରୋମୋ’ରେ ଅମିତାଭ କହୁଛନ୍ତି, ବିଶ୍ୱର ୫ଟି ସର୍ବଶ୍ରେଷ୍ଠ ହକି ଦଳ ମଧ୍ୟରେ ଭାରତକୁ ସାମିଲ କରାଯିବା ଦେଶ ପାଇଁ ଗର୍ବର ବିଷୟ । ଓଡ଼ିଶାରେ ହେବାକୁ ଥିବା ହକି ବଶ୍ୱ କପ୍ରେ ଭାରତ ପୁଣି ଥରେ ଚାଂପିଅନ ହୋଇ ଇତିହାସ ରଚିବ । ସେହିପରି, ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡ଼ିଓରେ କହୁଛନ୍ତି, ଓଡ଼ିଶାରେ ହକି ଅତ୍ୟନ୍ତ ଲୋକପ୍ରିୟ । ବିଶେଷକରି, ଓଡ଼ିଶାର ଆଦିବାସୀ ବହୁଳ ଅଂଚଳରେ ଏହା ଏକ ଲୋକପ୍ରିୟ ଖେଳ । ଏହି ଅଂଚଳର ପିଲାମାନେ ଛୋଟବେଳୁ ହିଁ ହକିକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଂଗ ଭାବେ ସାମିଲ କରି ନିଅନ୍ତି । ହକି ବିଶ୍ୱ କପ୍ ର ଯେପରି ଅଧିକରୁ ଅଧିକ ପ୍ରଚାର, ପ୍ରସାର ହେବ ସେ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ କାନ୍ଧକୁ ନେଇ ଥିବାରୁ ଉଦ୍ଘାଟନ ଉତ୍ସବକୁ ସ୍ମରଣୀୟ କରିବା ସକାଶେ ପ୍ରଖ୍ୟାତ ସଂଗୀତ ନିର୍ଦେଶକ ଏ.ଆର.ରହମାନ, ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚତ୍ର ଗୀତିକାର ଗୁଲଜାର ଓ ବଲିଉଡ୍ ର ମେଗା ଷ୍ଟାର୍ ଶହାରୁଖ ଖାନଙ୍କ ଭଳି ଦିଗ୍ଗଜମାନଙ୍କୁ ଉଦ୍ଘାଟନ ଉତ୍ସବରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଏ.ଆର.ରହମାନ ଗୀତିକାର ଗୁଲଜାରଙ୍କ ଏକ ଭିନ୍ନ ସ୍ୱାଦର ରଚନା ‘ଜୟ ହିନ୍ଦ ହିନ୍ଦ, ଜୟ ଇଂଡ଼ିଆ’ରେ କଂଠଦାନ କରିବେ । ଗୁଲଜାର୍ ଖାସ୍ ହକି ବିଶ୍ୱକପ୍ ଉଦ୍ଘାଟନ ଉତ୍ସବ ପାଇଁ ଏହି ଗୀତ ରଚନା କରିଛନ୍ତି । ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଉହ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଏପରିକି, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଏହି ପୁରୁଷ ହକି ବିଶ୍ୱ କପ୍ ର ଉଦ୍ଘାଟନ ଉତ୍ସବରେ ‘ମୋ ସହିତ ଆପଣମାନେ ସାମିଲ ହୁଅନ୍ତୁ’ ବୋଲି ସେ ସମସ୍ତ ହକିପ୍ରେମୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଭାରତରେ ଏହି ମହାକୁମ୍ଭ ପୂର୍ବରୁ ଦୁଇ ଥର ଆୟୋଜିତ ହୋଇ ଥିବା ବେଳେ ଏବେ ଓଡ଼ିଶାକୁ ସୁଯୋଗ ମିଳିଛି । ଏଥିପାଇଁ ସ୍ମାର୍ଟସିଟି ଭୁବନେଶ୍ୱରରୁ ଆରମ୍ଭ କରି ପୂରା ବିଶ୍ୱବ୍ୟାପୀ ହକିପ୍ରେମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ, ଉଦ୍ଦିପନା ଦେଖିବାକୁ ମିଳୁଛି । ଦିନ ଯେତିକି ପାଖେଇ ଆସୁଛି ଉତ୍ସାହ ସେତିକି ବଢି ଚାଲିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣମେଂଟ ଆୟୋଜନ ଇତିହାସ ରଚିବାକୁ ଯାଉଛି । ବିଶ୍ୱର ବିଭିନ୍ନ କୋଣରୁ ଆସୁଥିବା ଅତିଥିମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ରାଜ୍ୟ ସରକାର ଅହରହ ପ୍ରସ୍ତୁତି ଚଳାଇଛନ୍ତି । ହୋଟେଲ ଗୁଡିକରେ ରହିବା ଠାରୁ ଆରମ୍ଭ କରି ଖେଳାଳୀମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଖୋଦ୍ ମୁଖ୍ୟମନ୍ତ୍ରୀ ତଦାରଖ କରୁଛନ୍ତି । ସଚିବମାନଙ୍କ ଠାରୁ ସବୁ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପଚାରି ବୁଝିବା ସହ ଆବଶ୍ୟକ ପରାମର୍ଶ ଦେଉଛନ୍ତି । ଆନ୍ତର୍ଜାତିକ ଓ ଭାରତୀୟ ହକି ଫେଡେରେସନ ଭୁନେଶ୍ୱରରେ ‘ହକି ମହାକୁମ୍ଭ’ର ଆୟୋଜନକୁ ନେଇ ସନ୍ତୁଷ୍ଟ । ଏହାକୁ ସଫଳ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ନିରବଚ୍ଛିନ୍ନ ଉଦ୍ୟମକୁ ମଧ୍ୟ ଫେଡେରେସନ୍ ପ୍ରଶଂସା କରିଛି । କଳିଙ୍ଗ ଷ୍ଟାଡିୟମରେ ପୂର୍ବରୁ ଆୟୋଜିତ ଜାତୀୟ ଓ ଆନ୍ତର୍ଜାତିକ ଖେଳର ସଫଳତାକୁ ଦେଖିଲେ ନଭେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ସଫଳ ଆୟୋଜନ ହେବ ଏବଂ ତାଙ୍କ ମୁଣ୍ଡରେ ଆଉ ଏକ ସଫଳତାର ମୁକୁଟ ପିନ୍ଧାଇବ ବୋଲି ତଥ୍ୟାଭିଜ୍ଞ ମହଲ ଆଶା କରୁଛନ୍ତି ।